ବାଲେଶ୍ୱର : କେବେ ହଟିବ ସିନେମା ହଲ୍‌ ଉପରୁ କଟକଣା?

ବାଲେଶ୍ବର : କଳା ଓ ମନୋରଞ୍ଜନରେ ଅଧିକ ରୁଚି ରଖୁଥିବା ଜିଲ୍ଲା ମଧ୍ୟରେ ବାଲେଶ୍ବର ଅନ୍ୟତମ। ମାତ୍ର ମହାମାରୀ କରୋନା କାରଣରୁ ଦୀର୍ଘଦିନ ହେଲା ଏସବୁଥିରୁ ଦୂରେଇ ରହିଛନ୍ତି ବାଲେଶ୍ବରବାସୀ। ଏବେ ଲକ୍‌ଡାଉନ କଟକଣା କୋହଳ କରିଛନ୍ତି ସରକାର। ଗୋଟିଏ ପରେ ଗୋଟିଏ ବ୍ୟାବସା‌ୟିକ ତଥା ବାଣିଜ୍ୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳୁଥିଲେ ହେଁ ସିନେମା ଶିଳ୍ପକୁ ଏଯାଏ ସବୁଜ ସଙ୍କେତ ମିଳିପାରିନାହିଁ। ଯେଉଁଥି ପାଇଁ ସିନେମାଶିଳ୍ପ ଉପରେ ନିର୍ଭର କରୁଥିବା ହଲ୍‌ ମାଲିକ, କର୍ମଚାରୀ ଓ ଦର୍ଶକ ସମସ୍ତେ ଏକପ୍ରକାର ବିଷାଦପୂର୍ଣ୍ଣ ଜୀବନ ବିତାଉଛନ୍ତି।

TripAdvisor

ବାଲେଶ୍ବର ଓଟିରୋଡ୍‌ସ୍ଥିତ ଗାନ୍ଧୀସ୍ମୃତି ଭବନ ସାମ୍‌ନାରେ ମୁଭିଏକ୍ସ ଏବଂ ଆନନ୍ଦବଜାର ନିକଟରେ ଓଡ଼ିଆନ୍‌ ସିନେମା ହଲ ରହିଥିବା ବେଳେ କରୋନା କଟକଣା ଯୋଗୁଁ ଗତ ମାର୍ଚ୍ଚ ମାସଠାରୁ ଦୁଇଟିଯାକ ହଲକୁ ବନ୍ଦ କରି ଦିଆଯାଇଛି। କାଳେ ହଲ ଖୋଲିବ, ସେ ଆଶାରେ କର୍ମଚାରୀମାନେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ତେବେ ହଲ ଖୋଲିବା ନେଇ ସରକାରଙ୍କଠାରୁ ଆଉ କିଛି ସୂଚନା ନ ମିଳିବାରୁ ସମସ୍ତେ ଘରକୁ ପଳାଇଛନ୍ତି। ଏବେ ବି ହଲ ଖୋଲିବା ନିଷ୍ପତ୍ତି ଅନିଶ୍ଚିତତା ଭିତରେ ଅଛି। ତା ଛଡ଼ା ମହାମାରୀ ପ୍ରକୋପକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ଏଯାବତ ଫିଲମ୍‌ ଇଣ୍ଡଷ୍ଟ୍ରି ଏକପ୍ରକାର ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ଦର୍ଶକଙ୍କ ପାଇଁ ନୂଆ ଚଳଚ୍ଚିତ୍ର ଦେଖିବାକୁ କିଛି ନାହିଁ କହିଲେ ଚଳେ। ସେପଟେ ମହାମାରୀ ସଂକ୍ରମଣ ଭୟ ବି ରହିଛି। ତେଣୁ ହଲ ଖୋଲିବାକୁ ଅନୁମତି ମିଳିଲେ ବି ନିଜ ପରିବାର ଲୋକଙ୍କୁ ଧରି ସିନେମା ଦେଖିବାକୁ କିଏ ଆସିବ ବୋଲି ପ୍ରଶ୍ନ କରିଛନ୍ତି ‘ଓଡ଼ିଆନ ସିନେମାହଲର ପରିଚାଳକ ନିହାର ରଂଜନ ଭୂୟାଁ। ୧୯୮୯ରୁ ଚାଲିଥିବା ଏହି ହଲକୁ ପ୍ରତିଦିନ ଭରପୁର ଦର୍ଶକ ଆସୁଥିଲେ। ହଲରେ ୪୧୮ଟି ସିଟ୍‌ ରହିଥିବାବେଳେ ୧୫ ଜଣ କର୍ମଚାରୀ ଥିଲେ। ତେବେ ଲକ୍‌ଡାଉନ ପାଇଁ ହଲ୍‌ରେ ତାଲା ଝୁଲିବାରୁ ସବୁ କର୍ମଚାରୀ ଘରକୁ ପଳାଇଛନ୍ତି। ଲକ୍‌ଡାଉନ୍‌ ଖୋଲିଲେ ନୂଆରୂପରେ ଏହାକୁ ଆଉ ଥରେ ଠିଆ କରିବାକୁ ଯୋଜନା କରିଥିବା ନିହାର କହିଛନ୍ତି।

ସେହିପରି ସହରର ଆଉ ଏକ ପୁରାତନ ସିନେମାହଲ ହେଉଛି ମୁଭିଏକ୍ସ। ୨୦/୩୦ ବର୍ଷ ପୂର୍ବରୁ ନର୍ମଦା ନାମରେ ଥିବା ଏହି ହଲଟି ପରବର୍ତ୍ତୀ ସମୟରେ ନର୍ଗିସ ହଲ ନାମ‌ରେ ପରିଚିତ ଥିଲା। ମାତ୍ର ଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ଏହି ହଲ୍‌ଟି ୬ ବର୍ଷ ପୂର୍ବରୁ ଅତ୍ୟାଧୁନିକ ଢାଞ୍ଚାରେ ତିଆରି ହୋଇ ଏବେ ମୁଭିଏକ୍ସ ନାମରେ ପରିଚିତ ହୋଇଛି। ୩୯୫ ସିଟ୍‌ ବିଶିଷ୍ଟ ଏହି ହଲରେ ନୂଆ ହିନ୍ଦୀ ଓ ଓଡ଼ିଆ ଚଳଚ୍ଚିତ୍ର ପଡ଼ିଥାଏ। ଏଥିପାଇଁ ସବୁ ସମୟରେ ଏଠାରେ ଦର୍ଶକଙ୍କ ଗହଳି ଦେଖିବାକୁ ମିଳିଥାଏ। ମାତ୍ର ଲକଡାଉନ୍‌ ପରଠାରୁ ଏଠାରେ ବି ଖାଁ ଖାଁ ପରିବେଶ। ଏହି ହଲର ପରିଚାଳନା ଦାୟିତ୍ବରେ ଥିବା ୧୨ ଜଣ କର୍ମଚାରୀ ଏବେ ଘରେ ବସିଛନ୍ତି। ସେମାନଙ୍କୁ କେବଳ ମାର୍ଚ୍ଚ ମାସର ଦରମା ମିଳିଥିବା ବେଳେ ହଲ ବନ୍ଦ ରହିବାରୁ ସମସ୍ତେ ଘରକୁ ଚାଲି ଯାଇଛନ୍ତି। ହଲ କେବେ ଖୋଲିବ ତାହା କେବଳ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି ହଲ୍‌ ପରିଚାଳନା ଦାୟିତ୍ବରେ ଥିବା ଜଣେ କର୍ମଚାରୀ କହିଛନ୍ତି। ଅନ୍ୟପକ୍ଷରେ ହଲ ଖୋଲିଲେ ବି କୌଣସି ନୂଆ ସିନେମା ନଥିବାରୁ କିଛି ଲାଭ ଉଠିବ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର