ବାଲେଶ୍ବରରେ କାହିଁକି ଅଟକିଲା ଆୟୁଷ ହସ୍ପିଟାଲ?

ବାଲେଶ୍ବର: ଗୋଟିଏ ଛାତ ତଳେ ରୋଗୀଙ୍କୁ ଆୟୁର୍ବେଦ, ଯୋଗ, ୟୁନାନି, ସିଦ୍ଧ ଓ ହୋମିଓପ୍ୟାଥିକ୍ ଚିକିତ୍ସା ସୁବିଧା ମିଳିବ। ଏଥିପାଇଁ ରାଜ୍ୟର ୩ଟି ଜିଲ୍ଲା ଢେଙ୍କାନାଳ, ଗଞ୍ଜାମ ଓ ବାଲେଶ୍ବରରେ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିଲେ। ପ୍ରତି ହସ୍ପିଟାଲ ପିଛା ୧୦ କୋଟି ଖର୍ଚ୍ଚ ହେବ ଏବଂ ଏହି ଅର୍ଥର ୬୦ ପ୍ରତିଶତ କେନ୍ଦ୍ର ସରକାର ଏବଂ ୪୦ ପ୍ରତିଶତ ରାଜ୍ୟ ସରକାର ବହନ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ନିକଟରେ ଢେଙ୍କାନାଳରେ ଆୟୁଷ ହସ୍ପିଟାଲ ଉଦ୍ଘାଟିତ ହୋଇଥିବା ବେଳେ ଗଞ୍ଜାମରେ ୮୦ ପ୍ରତିଶତ କାମ ସରିବାକୁ ବସିଲାଣି। କିନ୍ତୁ ବାଲେଶ୍ବରରେ ଆଜି ପର୍ଯ୍ୟନ୍ତ ଇଟା ଖଣ୍ଡେ ବି ପଡ଼ିଲାନି।

୨୦୧୫ ମସିହାରେ ବାଲେଶ୍ବରରେ ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ପାଇଁ ରେମୁଣା ବ୍ଲକ ଅଚ୍ୟୁତପୁରଠାରେ ୫ ଏକର ଜମି ଚିହ୍ନଟ ହୋଇଥିଲା। ୨୦୧୮ ମସିହାରେ କେନ୍ଦ୍ର ସରକାର ଏଥିଲାଗି ୧ କୋଟି ଟଙ୍କା ମଞ୍ଜୁର କରିଥିଲେ। ହସ୍ପିଟାଲ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନ ପ୍ରଥମେ ୮ କୋଟି ଏବଂ ପରେ ୧୨ କୋଟି ୫୪ ଲକ୍ଷର ବ୍ୟୟ ଅଟକଳ ପ୍ରସ୍ତୁତ କରିଥିବାବେଳେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ଏହି ରିପୋର୍ଟକୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟକୁ ପଠାଇଥିଲା। ଏହି ହସ୍ପିଟାଲ ହେଲେ ବାଲେଶ୍ଵର, ମୟୂରଭଞ୍ଜ, ଭଦ୍ରକ, ଯାଜପୁର, କେନ୍ଦୁଝର ଜିଲ୍ଲା ସମେତ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟର ଲକ୍ଷାଧିକ ଲୋକ ଉପକୃତ ହୋଇଥାନ୍ତେ। ବିଡ଼ମ୍ବନାର ବିଷୟ, ଆଜି ଯାଏ ଟଙ୍କା ମଞ୍ଜୁର ହେଲାନାହିଁ କି ଏ ଦିଗରେ କୌଣସି ଗୁରୁତ୍ବ ଦିଆଯାଉନାହିଁ।

ଆୟୁଷ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ପ୍ରାଶାସନିକ ଅନୁମୋଦନ ହୋଇନଥିବାରୁ ପ୍ରସ୍ତାବିତ ପ୍ରକଳ୍ପଟି ଅଟକି ରହିଥିବା କୁହାଯାଉଛି। ତେବେ ପ୍ରସ୍ତାବ ମିଳିବାକୁ ଏହାମଧ୍ୟରେ ୬ ମାସ ବିତିଲାଣି। କିନ୍ତୁ ଆଜି ପର୍ଯ୍ୟନ୍ତ କାହିଁକି ଅନୁମୋଦନ ମିଳୁନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂପର୍କରେ ଆୟୁର୍ବେଦ ଡାକ୍ତର ଶାନ୍ତନୁ ଦାସ କହିଛନ୍ତି, ଦୁଇଟି ଜିଲ୍ଲାରେ ଆୟୁଷ ହସ୍ପିଟାଲ ପ୍ରତିଷ୍ଠା ସମ୍ଭବ ହେଲା, ଅଥଚ ଆମ ଜିଲ୍ଲାରେ ନହେବା ସରକାରୀ କଳର ନିଷ୍ଠା ଓ ଆନ୍ତରିକତା ଅଭାବକୁ ଦର୍ଶାଉଛି। ଏଥିପାଇଁ ବିଧାୟକ ଓ ସାଂସଦ ଗୁରୁତ୍ବ ଦେବା ଜରୁରୀ। ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ରାମଚନ୍ଦ୍ର ବେହେରା କହିଛନ୍ତି, ହସ୍ପିଟାଲ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ପ୍ରାଶାସନିକ ଅନୁମୋଦନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ସଚିବଙ୍କ ପାଖରେ ଏହା ଅଟକି ରହିଛି। ଅନୁମୋଦନ ମିଳିଲେ କେନ୍ଦ୍ର ସରକାର ହସ୍ପିଟାଲ ନିର୍ମାଣ ପାଇଁ ଟଙ୍କା ମଞ୍ଜୁର କରିବେ।

ସମ୍ବନ୍ଧିତ ଖବର