ସ୍ତ୍ରୀକୁ ପରପୁରୁଷ ହାତରେ ଟେକିଦେଲା ଜୁଆଡ଼ି

ସ୍ତ୍ରୀ ଆଣିଲେ ଦୁଷ୍କର୍ମ ଅଭିଯୋଗ ଏତଲା ନେଲାନି ବାଲିଆପାଳ ପୁଲିସ, ଏସ୍‌ପିଙ୍କୁ ଭେଟିଲେ ପୀଡ଼ିତା

ବାଲେଶ୍ୱର/ ବାଲିଆପାଳ: ବାହାଘରକୁ ବିତିଯାଇଛି ୧୬ ବର୍ଷ, ଘରେ ସ୍ୱାମୀ, ପୁଅ, ଝିଅକୁ ନେଇ ଛୋଟିଆ ସଂସାର। ହେଲେ ଖୁସିର ସଂସାରରେ ଅଶାନ୍ତିର ନିଆଁ ଲଗାଇ ଦେଇଛି ଖୋଦ୍‌ ସ୍ୱାମୀ। ଜୁଆ ଖେଳରେ ହାରିଯିବା ପରେ ସ୍ୱାମୀ ଆଉ ଜଣଙ୍କୁ ଖୁସି କରାଇବା ପାଇଁ ନିଜ ସ୍ତ୍ରୀକୁ ପରପୁରୁଷ ପାଖରେ ଟେକିଦେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଆଜି ନ୍ୟାୟ ପାଇଁ ସେ ବାଲେଶ୍ୱର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ବାଲିଆପାଳ ଥାନା ଅନ୍ତର୍ଗତ ବାଲିକୁଟି ପଞ୍ଚାୟତ ମଳଂବାଲିକୁଟି ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା। ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ସ୍ୱାମୀ ଗତ ୨୨ ତାରିଖ ରାତିରେ ବିଲ ପାଖ ପୋଖରୀ କୂଳକୁ ଯିବାପାଇଁ ତାଙ୍କୁ ବାଧ୍ୟ କରିଥିଲେ। ଆଉ ସେ ସ୍ୱାମୀର କଥା ମାନି ସ୍ୱାମୀଙ୍କ ସହ ସେଠାକୁ ଯାଇଥିଲେ। ହେଲେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ସେଠାରେ ଛକି ରହିଥିଲେ ସେହି ଗାଁର ଅଭିରାମ ଦଳାଇ। ସେମାନେ ବିଲରେ ପହଞ୍ଚିବା ପରେ ହଠାତ୍‌ ସ୍ୱାମୀ ତାଙ୍କୁ ଅଭିରାମଙ୍କ ସହ ଶାରୀରିକ ସଂପର୍କ ରଖିବାକୁ କହିଥିଲେ। ଘଟଣା କିଛି ବୁଝିବା ଆଗରୁ ଅଭିରାମ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମର ଶିକାର ହେବା ପରେ ମହିଳା ଜଣକ କାନ୍ଦି କାନ୍ଦି ଘରକୁ ଏକୁଟିଆ ଫେରିଥିଲେ। ରାତିରେ ସ୍ୱାମୀ ସ୍ତ୍ରୀଙ୍କ ଉପରେ ଆରମ୍ଭ କରିଦେଇଥିଲେ ନିର୍ଯାତନା। ବାପାଙ୍କର ଏମିତି କାଣ୍ଡକୁ ଦେଖି ପୁଅ ଓ ଝିଆ ଶେଷରେ ପୁଅ ମାମୁ ଘରକୁ ଫୋନ୍‌ କରି ସମସ୍ତ ଘଟଣା କହିଥିଲେ। ପୀଡ଼ିତା ମହିଳାଙ୍କ ଭଉଣୀ ସେଠାକୁ ଆସିବା ପରେ ମଧ୍ୟ ସ୍ୱାମୀଙ୍କ ନିର୍ଯାତନା କମି ନଥିଲା। ଶେଷରେ ପୀଡ଼ିତାଙ୍କ ବାପା ୨୪ ତାରିଖ ଏହି ଘଟଣାରେ ଗାଁ ଲୋକଙ୍କ ସାହାଯ୍ୟ ଲୋଡ଼ିଥିଲେ। ଏନେଇ ଏକ ବୈଠକ ବସିଥିଲେ ମଧ୍ୟ ଗାଁ ଲୋକେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ୪ଦିନ ସମୟ ନେଇଥିଲେ। ମାତ୍ର ଗାଁ ଲୋକଙ୍କ ଦ୍ୱାରା ନ୍ୟାୟ ନପାଇବାରୁ ଶେଷରେ ଗତ ପୀଡ଼ିତା ୨୭ ତାରିଖରେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ବାଲିଆପାଳ ପୁଲିସ୍‌ ଏହି ଘଟଣାରେ ମାମଲା ରୁଜୁ ନକରି ଉଭୟ ପକ୍ଷଙ୍କୁ ଡାକି ଆପୋସ ସମାଧାନ କରିବାକୁ କହିଥିଲା ଏବଂ ସେମାନଙ୍କ ନିକଟରେ ସାଦା କାଗଜରେ କିଛି ଲେଖାଇ ନେଇଥିଲେ। ତେବେ ବାଲିଆପାଳ ପୁଲିସ ମାମଲା ରୁଜୁ ନକରିବାରୁ ପୀଡ଼ିତା ମହିଳା ଜଣକ ଆଜି ଏସ୍‌ପିଙ୍କୁ ଭେଟି ଘଟଣା ସଂପର୍କରେ ଲିଖିତ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ପ୍ରାର୍ଥନା କରିଥିଲେ। ଏ ସଂପର୍କରେ ବାଲିଆପାଳ ଆଇଆଇସି କ୍ଷମାସାଗର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ଏହି ଘଟଣାର ତଦନ୍ତ ପାଇଁ ଗାଁକୁ ଟିମ୍‌ ପଠାଇ ଯାଇଥିଲା। ତେବେ ମହିଳାଙ୍କ ବାପା ଓ ଶ୍ୱଶୁର ଆସନ୍ତା ୩୦ ତାରିଖ ଦିନ ଥାନାରେ ଏହାର ଆପୋସ ସମାଧାନ ପାଇଁ ଲିଖିତ ଭାବେ ଜଣାଇଥିବା ଯୋଗୁଁ ମାମଲା ରୁଜୁ କରାଯାଇାହିଁ। ତେବେ ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗ ପାଇବା ପରେ ଆଇଆଇସି ମାମଲା ରୁଜୁ ନକରି ଆପୋସ ସମାଧାନ ପାଇଁ କାହିଁକି ପ୍ରବର୍ତ୍ତାଇଥିଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର