୧୦ ଲକ୍ଷରୁ ଉର୍ଦ୍ଧ୍ବ ମୂଲ୍ୟର ମଦ ସହ ଡମ୍ଫର୍ ଜବତ; ଚାଳକ ସମେତ ୩ ଗିରଫ

ବାଲେଶ୍ବର: ଜିଲ୍ଲା ଭାରପ୍ରାପ୍ତ ଅବକାରୀ ଅଧୀକ୍ଷକ ତଥା ଅବକାରୀ ଉପ କମିସନର ଅଶୋକ କୁମାର ଶତପଥୀଙ୍କ ନିର୍ଦେଶରେ ରବିବାର ମଧ୍ୟରାତ୍ରରେ ୧୬ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ନିକଟରୁ ଏକ ମଦ ବୋଝେଇ ଡମ୍ଫରକୁ ଜବତ କରାଯାଇଛି। ଏଥିସହ ଏହି ଘଟଣାରେ ସୋର ପଠାଣମହଲା ଗ୍ରାମର ଉକ୍ତ ଗାଡ଼ିର ଡ୍ରାଇଭର ସେଖ ଆବୁ ରହିମ(୨୪) ସହ ସଦର ଥାନା ଅଧିନ ମେଣ୍ଢାଶୋଳ ଗ୍ରାମର ଅନନ୍ତ ମାଝୀ(୨୮) ଓ ଟାଉନଥାନା ଅଧିନ ମୋତିଗଞ୍ଜ ଅଞ୍ଚଳର ରାଜୁ ଚୌଧୁରୀକୁ ଗିରଫ କରାଯାଇଛି।

ମିଳିଥିବା ସୂଚନାନୁସାରେ ମୟୂରଭଞ୍ଜରୁ ଓଆର-୦୯କେ-୧୯୩୦ ନମ୍ବରର ଡମ୍ଫରରେ ୧୦ ହଜାର ଲିଟରରୁ ଅଧିକ ଦେଶୀ ରନ୍ଧାମଦ ବାଲେଶ୍ବର ଓ ଭଦ୍ରକ ଅଭିମୁଖେ ଯାଉଥିଲା। ବିଶ୍ବସ୍ତସୂତ୍ରରୁ ଖବରପାଇ ଅବକାରୀ ଅଧୀକ୍ଷକଙ୍କ ନିର୍ଦେଶରେ ଉପ ଅଧୀକ୍ଷକ ସୁଶାନ୍ତ କୁମାର ପାଢ଼ୀ, ଭ୍ରାମ୍ୟମାଣ ଅବକାରୀ ଇନସ୍ପେକ୍ଟର ଗାଲୁରାମ ସୋରେନ ଓ ସଦର ଅବକାରୀ ଇନସ୍ପେକ୍ଟର ପ୍ରବୀଣ କୁମାର ପ୍ରଧାନଙ୍କ ମିଳିତ ନେତୃତ୍ବରେ ଏହି ମଦ ବୋଝେଇ ଡମ୍ଫରକୁ ରାଜପଥରେ ପିଛା କରି ଧରାଯାଇଥିଲା। ଗାଡ଼ିକୁ ଅଟକାଯାଇ ଯାଞ୍ଚ କରିବାରେ ଗାଡ଼ି ଡାଲାରେ ବସ୍ତା ବସ୍ତା ମଦ ଥିବାର ଦେଖି ଗାଡ଼ିକୁ ଜବତ କରାଯାଇଥିଲା। ଜବତ ମଦର ମୂଲ୍ୟ ୧୦ ଲକ୍ଷରୁ ଅଧିକ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏ ବାବଦରେ ବିଭାଗ ପକ୍ଷରୁ ୫୬/୨୧-୨୨ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର