ତଦନ୍ତକାରୀ ଅଧିକାରୀଙ୍କ ଗାଡ଼ିରେ ମହିଳାଙ୍କୁ ନେଇ ଚର୍ଚ୍ଚା

ନୀଳଗିରି: ନୀଳଗିରି ସବ୍-ଜେଲ୍‌ର ଜେଲର ମମତାବାଳା ପାତ୍ରଙ୍କ ସ୍ବାମୀ ବେଆଇନ ଭାବେ ସରକାରୀ କାର୍ଯ୍ୟ ତୁଲାଉଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତଦନ୍ତ ପାଇଁ ଜେଲ୍ ଡିଅାଇଜିଙ୍କୁ ଦାୟିତ୍ୱ ଦିଅାଯାଇଥିଲା। ଡିଅାଇଜିଙ୍କ ନିର୍ଦ୍ଦେଶରେ ବାରିପଦା ସର୍କଲ ଜେଲ୍‌ର ସିନିୟର ସୁପରିଣ୍ଟେଣ୍ଡେଣ୍ଟ ନିରଞ୍ଜନ ଦାସ ଅାଜି ଦିନ ପ୍ରାୟ ୧୧ଟା ସମୟରେ ଏଠାକୁ ତଦନ୍ତ ନିମନ୍ତେ ଆସିଥିଲେ। ମାତ୍ର ଶ୍ରୀ ଦାସ ମଧ୍ୟ ତଦନ୍ତ ଆରମ୍ଭରୁ ବିବାଦରେ ଛନ୍ଦି ହୋଇପଡ଼ିଥିଲେ। ଶ୍ରୀ ଦାସ ନିଜର ସରକାରୀ ଗାଡ଼ି ଓଡି-୦୭-୩୩୦୧ରେ ଜନୈକ ମହିଳାଙ୍କୁ ବସାଇ ନୀଳଗିରି ଜେଲ୍‌ରେ ପହଞ୍ଚି ତଦନ୍ତ କରିଥିଲେ। ମାତ୍ର ତଦନ୍ତ ସମୟରେ ଗାଡ଼ିରେ ମହିଳା ଜଣକ କିଏ ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିଲା। ଡ୍ରାଇଭର ସଂଗେସଂଗେ ବାହାରକୁ ଅାସି ମହିଳା ଜଣକ ମୋ ସ୍ତ୍ରୀ ବୋଲି କହି ସରକାରୀ ଗାଡ଼ିରେ ମହିଳା ଅାସିବା କ’ଣ ମନା ବୋଲି ଯୁକ୍ତି କରିଥିଲେ। ପରେ ତଦନ୍ତ କରି ଶ୍ରୀ ଦାସ ବାହାରିବା ପରେ ଅାପଣଙ୍କ ସରକାରୀ ଗାଡ଼ିରେ ମହିଳା ଜଣକ କିଏ ବୋଲି ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରି ପଳାଇ ଯାଇଥିଲେ। ତେବେ ମହିଳା ଜଣକ କିଏ? ସେ କ’ଣ ପାଇଁ ସରକାରୀ ଗାଡ଼ିରେ ଆସିଥିଲେ? ଏହାକୁ ନେଇ ନୀଳଗିରିର ବିଭିନ୍ନ ମହଲରେ ରୋଚକ ଚର୍ଚ୍ଚା ଚାଲିଥିବା ବେଳେ ତଦନ୍ତ ଆରମ୍ଭରୁ ବାଟବଣା ହୋଇଯିିବ ବୋଲି ଅଧିକାଂଶ ମତ ଦେଇଛନ୍ତି। ଉକ୍ତ ଘଟଣାର ତଦନ୍ତ କରାଗଲେ ବହୁ ଗୁମର ପଦାକୁ ଅାସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର