ନିଶା ଦେଇ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ବନ୍ତ: ବନ୍ତ ବ୍ଲକର କେନ୍ଦୁଆପଦା ଫାଣ୍ତି ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜଣେ ମହିଳାଙ୍କୁ ନିଶା ଦେଇ ଗତକାଲି ଏକ ପରିତ୍ୟକ୍ତ ଘରେ ଦଶ ଘଣ୍ଟା ଧରି ଦୁଷ୍କର୍ମ କରାଯାଇଥିବା ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ଗ୍ରାମର ଜଣେ ଦଳିତ ମହିଳା ୭ଦିନ ଧରି ନିଜ ବାପଘର ବାଲିଖଣ୍ତରେ ରହିବା ପରେ ଗତକାଲି ବସ୍‌ ଯୋଗେ ଘରକୁ ଫେରୁଥିଲେ। ନିଜ ଗାଁ ଛକରେ ଓହ୍ଲାଇବା ପରେ ଛକରେ ପାନ ଦୋକାନ କରୁଥିବା ଜଣେ ବ୍ୟକ୍ତି ମହିଳାଙ୍କୁ ପ୍ରରୋଚିତ କରି ନିଶା ଖାଇବାକୁ ଦେଇ ନିକଟରେ ଥିବା ଏକ ପରିତ୍ୟକ୍ତ ଗୃହକୁ ନେଇଯାଇ ଦୁଷ୍କର୍ମ କରିଥିଲା। ଦୀର୍ଘ ଦଶ ଘଣ୍ଟା ପରେ କୌଣସି ସୁତ୍ରରୁ ଖବର ପାଇ ପରିବାର ଲୋକମାନେ ସେହି ପରିତ୍ୟକ୍ତ ଘରୁ ମୁମୂର୍ଷୁ ଅବସ୍ଥାରେ ପୀଡିତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଚିକିତ୍ସା କରୁଥିବା ଡାକ୍ତର ତାଙ୍କଠାରୁ ସମସ୍ତ ବିଷୟ ଅବଗତ ହେବା ପରେ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି। ତେବେ ପୀଡିତା ଜଣଙ୍କ ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା କେନ୍ଦୁଆପଦା ଫାଣ୍ତି ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର