ସିମୁଳିଆ: କୁହାଯାଏ, ଜୀବନକୁ କି ଅବା ଭରସା… ଆଜି ଅଛି କାଲିକି ନାହିଁ । ହଁ ଆଜ୍ଞା ! ଜୀବନ ଉପରେ କାହାର ବି ଭରସା ନାହିଁ । ଆମ ନିଜ ନିଶ୍ବାସ ଉପରେ ବି ଆମର ବିଶ୍ବାସ ନାହିଁ । ଜୀବନ ଏଇ ଅଛି ଏଇ ନାହିଁ । କେତେବେଳେ କଣ ହେବ କେହି ପାରିବେନି । ଏବେ ହସୁଥିବେ, ଏବେ ହିଁ ଟଳିପଡିବେ । ଏବେ ସୁସ୍ଥ ଥିବେ ସାଙ୍ଗେ ସାଙ୍ଗେ ଶବ ପାଲଟିଯିବେ… ଏମିତି ଘଟଣା ଅନେକ ସମାଜରେ ଘଟୁଥିବାରୁ ଜୀବନ ଉପରେ କାହାର ନିୟନ୍ତ୍ରଣ ନାହିଁ । କେତେବେଳେ କିଏ ଦୁର୍ଘଟଣାରେ ତ ପୁଣି କିଏ ବଜ୍ରାଘାତରେ ଅବା ଅନ୍ୟ କୌଣସି କାରଣରୁ କିଏ ମୃତ୍ୟୁ ମୁଖରେ ପଡୁଥିବା ବେଳେ ଅନେକ ଘଟଣା ଆମକୁ ଚକିତ କରେ । ଠିକ୍ ସେମିତି ଏକ ଖବର ଆସିଛି ବାଲେଶ୍ବର ସିମୁଳିଆ ଅଞ୍ଚଳରୁ… ଯେଉଁଠି ପୂଜା କରୁକରୁ ଟଳିପଡ଼ିଛନ୍ତି ପୂଜକ । ଆଉ ମାଆ ଲକ୍ଷ୍ମୀଙ୍କ ଆଗରେ ଚାଲିଗଲା ଜୀବନ…
ତେବେ ମଇତାପୁର ପଞ୍ଚାୟତର ରାମବିନ୍ଧା ଗ୍ରାମର ପଦ୍ମଲୋଚନ ଦାଶଙ୍କ ୨୪ ବର୍ଷର ପୁଅ ତଥା ପୂଜକ ସୁରେନ୍ଦ୍ର ଦାଶ କଳାଶୁଣିରେ ପୂଜା କରୁଥିବା ସମୟରେ ବ୍ରଜ୍ରପାତରେ ପ୍ରାଣ ହରାଇଛନ୍ତି । କଳାଶୁଣିରେ ଲଷ୍ମୀପୂଜା କରୁଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ଲଷ୍ମୀପୂଜା ବେଳେ ପୂଜକ ସୁରେନ୍ଦ୍ର ଦାଶ ହାତରେ ମାଇକ୍ରୋଫୋନ ଧରିଥିବା ବେଳେ ଅପରାହ୍ନରେ ହଠାତ ବଜ୍ରାଘାତ ହୋଇଥିଲା । ଆଉ ସେହି ବଜ୍ରାଘାତରେ ମାଇକ୍ରୋଫୋନଟି ଚାର୍ଜ ହୋଇଯାଇଥିଲା। ବିଜୁଳିର ଜୋରଦାର ଝଟକା ପରେ ନନା ସେହି ଠାରେ ହିଁ ଟଳିପଡ଼ିଥିଲେ । ବଜ୍ରାଘାତ ଏତେ ଜୋରରେ ଥିଲା ଯେ ପୂଜକ ପଡି ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଦୂରକୁ ଛାଟି ଦେଇଥିଲା । ଫଳରେ ପୂଜାସ୍ଥଳ ହିଁ ପୂଜକଙ୍କ ମୃତ୍ୟୁ ହୋଇଥିଲା ।
କିଛି ସମୟ ଆଗରୁ ଯେଉଁଠି ଧନଲକ୍ଷ୍ମୀଙ୍କ ପୂଜା ପାଇଁ ମନ୍ତ୍ର ଶ୍ଳୋକରେ ପରିବେଶ ଉଛୁଳି ପଡୁଥିଲା… ବାସ୍ କିଛି ସମୟ ପରେ ହିଁ ସେହି ସ୍ଥାନ କାନ୍ଦବୋବାଳିରେ ଫାଟିପଡିଲା । ଆଧ୍ଯାତ୍ମିକ ପରିବେଶଟା ଶୋକାକୂଳ ପରିବେଶ ସୃଷ୍ଟିକଲା । ଗାଁରେ ପୂରା ଖବର ଖେଳିଗଲା ।
ଘଟଣା ପରେ ପୂଜକଙ୍କୁ ଭଦ୍ରକ ଡାକ୍ତରଖାନା ନେଇଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ଦେହାନ୍ତ ଖବର ସାରା ମଇତାପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।