ପୁଣି ବାଲେଶ୍ବର ଅଶାନ୍ତ : ଯୁବକଙ୍କୁ ଗୋଡ଼େଇ ହାଣିଲେ ଅପରାଧୀ

ବାଲେଶ୍ବର: କିଛିଦିନର ବ୍ୟବଧାନ ପରେ ବାଲେଶ୍ବର ସହର ପୁଣି ଅଶାନ୍ତ ହୋଇଛି। ଅପରାହ୍ନରେ ସହରର ସହଦେବଖୁଣ୍ଟା ଥାନା ଅଧୀନ କୁକୁଡ଼ାପଦା ଅଞ୍ଚଳରେ କିଛି ଦୁର୍ବୃତ୍ତ ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ସମ୍ପୃକ୍ତ ଯୁବକ ଜଣକ ହେଉଛନ୍ତି ଶୋଭାରାମପୁର ଅଞ୍ଚଳର ବିନୋଦ ଦେଙ୍କ ପୁଅ ଦିଲ୍ଲୀପ(୨୨)। ତାଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ସଦର ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
ମିଳିଥିବା ଖବରରୁ ପ୍ରକାଶ ଯେ,  ଅପରାହ୍ନରେ ଦିଲ୍ଲୀପ ସ୍ଥାନୀୟ ଅଞ୍ଚଳର ଏକ ପାନଦୋକାନକୁ ଯାଇଥିଲେ। ସେଠାରେ ସିଗାରେଟ୍‌ ଟାଣିବାକୁ ନେଇ ତାଙ୍କ ସହ କିଛି ଯୁବକଙ୍କର ଝଗଡ଼ା ସୃଷ୍ଟି ହୋଇ ଉତ୍ତେଜନା ଦେଖାଯାଇଥିଲା। ଏହାପରେ ହଠାତ୍‌ ସେଠାରେ ସ୍ଥାନୀୟ ଅଞ୍ଚଳର ୫-୬ ଜଣ ଅପରାଧୀ ଶ୍ରେଣୀର ଯୁବକ ହାତରେ ଖଣ୍ଡା ଓ ତେଲେଙ୍ଗା କଟୁରି ଧରି ପହଞ୍ଚିବା ପରେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏଭଳି ପ୍ରଣାନ୍ତକ ଆକ୍ରମଣରେ ଦିଲ୍ଲୀପଙ୍କ ହାତ, ମୁଣ୍ତ ଓ କାନ୍ଧରେ ଗଭୀର ଆଘାତ ହୋଇ ରକ୍ତସ୍ରାବ ହୋଇଛି। ଖବର ପାଇ ଘଟଣାସ୍ଥଳରେ ସହଦେବଖୁଣ୍ଟା ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଏନେଇ ୫୫/୧୯ରେ ଏକ ମାମଲା ରୁଜୁ କରାଯାଇଥିବା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର