ଫେସ୍‌ବୁକ୍‌ ଲାଇଭ୍‌ କରି ଆତ୍ମହତ୍ୟା କଲେ ଯୁବକ, ଘର ଲୋକ ଜାଣିଲା ବେଳକୁ ଚାଲି ଯାଇଥିଲା ଜୀବନ

ବାଲେଶ୍ବର: ବାଲେଶ୍ବରରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ଯୁବକ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ରେ ଲାଇଭ୍‌ କରି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ବାଲେଶ୍ବର ଜିଲ୍ଲାର ଖଇରା ଥାନା ଅଧିନସ୍ଥ ମିଟୁଆଣୀ ଗ୍ରାମରେ ଘଟିଥିବା ଏହି ଘଟଣା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି।

ମୃତକ ଜଣକ ହେଉଛନ୍ତି ପିତାମ୍ବର ଲେଙ୍କା(୩୦)। ପିତାମ୍ବରଙ୍କର ଏହି ଲାଇଭ୍‌ର ଏବେ ସୁଦ୍ଧା ଫେସ୍‌ବୁକ୍‌ରେ ୧୫୦୦ ଭିୟୁ ହୋଇଥିବା ବେଳେ ୩୦ ଜଣ ଏହାକୁ ସେୟାର୍‌ କରି ସାରିଲେଣି।

ଭିଡିଓରେ ବ୍ୟକ୍ତି ଜଣକ ତାଙ୍କ ଫୋନ୍‌କୁ ଏକ ପ୍ଲାଷ୍ଟିକ୍‌ ଚେୟାର୍‌ରେ ରଖୁଥିବାର ଦେଖିବାକୁ ମିଳିଛନ୍ତି। ତାପରେ ସେ ଘରର ଆଜ୍‌ବେଷ୍ଟ୍‌ରେ ରସି ଲଗାଉଛନ୍ତି। ତାପରେ ସେହି ରସିରେ ନିଜକୁ ଫାଶୀ ଦେଇଛନ୍ତି ପିତାମ୍ବର।

ଫେସ୍‌ବୁକ୍‌ ଲାଇଭ୍‌ ଦେଖିବା ପରେ ଲୋକେ ପିତାମ୍ବରଙ୍କ ଘର ଲୋକଙ୍କୁ ସୂଚୀତ କରାଇବା ଭିତରେ ହିଁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ପିତାମ୍ବରଙ୍କ ଆତ୍ମହତ୍ୟା ପଛର କାରଣ ଏଯାବତ୍‌ ଜଣା ପଡ଼ିନାହିଁ।

ମିଳିଥିବା ସୂଚନା ମୁତାବକ, ବର୍ଷେ ପୂର୍ବରୁ ପୀତାମ୍ବରଙ୍କର ପତ୍ନୀଙ୍କର ମୃତ୍ୟୁ ହୋଇଥିଲା। ସେହି ଦିନଠାରୁ ସେ ମାନସିକ ଚାପରେ ରହି ଆସୁଥିଲେ। ତାଙ୍କର ୧୧ ବର୍ଷର ଗୋଟିଏ ଝିଅ ଓ ୫ ବର୍ଷର ଗୋଟିଏ ପୁଅ ମଧ୍ୟ ଅଛନ୍ତି। ତେବେ ପୁଲିସ ପାଖରେ ଏ ନେଇ କେହି ଅଭିଯୋଗ କରି ନ ଥିବାବେଳେ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୁଲିସ । ପରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ନିକଟ‌ରେ ହୋଇଥିବା ଏକ ସର୍ଭେରୁ ଜାଣିବାକୁ ମିଳିଥିଲା ଯେ ଏହି ଲକ୍‌ଡାଉନ୍‌ରେ ଆତ୍ମହତ୍ୟା ହାର ବୃଦ୍ଧି ପାଇଛି। ଜୁନ୍‌୧୪ ତାରିଖରେ ବଲିଉଡ୍‌ ଷ୍ଟାର୍‌ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିବା ପରେ ପରେ ବହୁ ଆତ୍ମହତ୍ୟା ମାମଲା ଦେଖିବାକୁ ମିଳିଥିଲା। ନିକଟରେ ଆମ ରାଜ୍ୟ ଓଡ଼ିଶାର ଜଣାଶୁଣା ସମ‌ାଜସେବୀ ମାନବପ୍ରେମୀ ଆଦିତ୍ୟ ଦାଶ ମଧ୍ୟ ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି। କେହି କେହି ଏହାକୁ ହତ୍ୟା ବୋଲି ମଧ୍ୟ କହୁଛନ୍ତି।

ସମ୍ବନ୍ଧିତ ଖବର