ବାଇକ୍ ଦୁର୍ଘଟଣାରେ ଯୁବ ସରପଞ୍ଚଙ୍କ ମୃତ୍ୟୁ

ଭୋଗରାଇ/କମର୍ଦ୍ଦା: ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ  କସବା କମର୍ଦ୍ଦା ପଞ୍ଚାୟତ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ସେଠୀ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏକ ଆଳୁବୋଝେଇ ଅଟୋ ତାଙ୍କ ବାଇକ୍‌କୁ ଧକ୍କା‌ଦେବାରୁ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ଅନୁସାରେ, ଶ୍ରୀ ସେଠୀ ଆଜି ସକାଳ ପ୍ରାୟ ୯ଟା ବେଳେ ନିଜ ବାଇକ୍‌ରେ ଚନ୍ଦନେଶ୍ବର ଅଭିମୁଖେ ଯାଉଥିଲେ। ଜଳେଶ୍ୱର-ଚନ୍ଦନେଶ୍ୱର ମୁଖ୍ୟ ରାସ୍ତାର ଖଗେଶ୍ୱରପୁର ଛକ ନିକଟରେ ସମ୍ମୁଖରୁ ଆସୁଥିବା ଏକ ଆଳୁ ବୋଝେଇ ଅଟୋ ସହ ତାଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ ଚଳାଉଥିବା ଶ୍ରୀ ସେଠୀ ରାସ୍ତାରେ ଛିଟିକି ଯାଇ ଗୁରୁତର ଭାବେ ଆହତ ହୋଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ  ଭର୍ତ୍ତି କରାଇଥିଲେ। ସେଠାରୁ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ସରପଞ୍ଚ ଶ୍ରୀ ସେଠୀ ଙ୍କର ଏ ଭଳି ଅକାଳ ବିୟୋଗରେ ରେ ସମଗ୍ର ଭୋଗରାଇରେ ଶୋକର  ଛାୟା ଖେଳିଯାଇଛି।  ଭୋଗରାଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ  ଖବରପାଇ ଡାକ୍ତରଖାନାରେ ପହଞ୍ଚି ଶେଷଦର୍ଶନ କରିଥିଲେ। ତାଙ୍କ ମରଶରୀର କମର୍ଦ୍ଦା ପହଞ୍ଚିବା ପରେ ଭୋଗରାଇ ବ୍ଲକ୍‌ ଅଧକ୍ଷା ମଂଜୁରାଣୀ ବେହେରା, ଉପାଧ୍ୟକ୍ଷ ଦୀପକ ଦାସ, ଅଚ୍ୟୁତ ଦାସ, ତପନ କୁମାର ପଣ୍ଡା, ଦେବାଶିଷ ଚାନ୍ଦଙ୍କ ସହ ୩୦ ଓ ୩୧ନଂ ଜୋନ୍‌ର ବିଜେଡିର ବହୁ ନେତୃବୃନ୍ଦ, ସମାଜସେବୀ ଯାଦବେଶ ମିଶ୍ର, ଦୁଡ଼ପଳ ସରପଞ୍ଚ ଅନାଦି ନନ୍ଦନ ପାଳ, ଯୁବନେତା ରାମକୃଷ୍ଣ ପାତ୍ର ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ତାଙ୍କର ମରଶରୀରକୁ ଏକ ଶୋଭାଯାତ୍ରାରେ ସ୍ଥାନୀୟ ଅଞ୍ଚଳ ପରିକ୍ରମା କରାଯିବା ପରେ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା। ଅନ୍ୟପକ୍ଷରେ ଆଳୁ ବୋଝେଇ ଅଟୋ ଓ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଜାରି ରହିଛି ବୋଲି ଚନ୍ଦନେଶ୍ବର ଫାଣ୍ଡି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର