ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲାର ରତ୍ନଗର୍ଭା ହେଉଛି ବାମନଘାଟି ଉପଖଣ୍ଡ । ସ୍ଥାନୀୟ ଅଂଚଳରେ ବହୁପୁରାତନ ତିନି ଲୌହ ଖଣି ଗୋରୁମହିଷାଣୀ, ସୁଲେଇପାଟ, ବାଦାମପାହାଡ ଅବସ୍ଥିତ । ଭାରତର ପ୍ରଥମ ଲୁହାଖଣି ଭାବେ ତତ୍କାଳୀନ ମୟୁରଭଞ୍ଜ ମହାରାଜା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରାୟ ୧୯୧୦ ମସିହାରେ ଏହି ଖଣି କାର୍ଯ୍ୟକ୍ଷମ ହୋଇଥିଲା । ଏହି ଖଣି ପଡୋଶୀ ଝାଡଖଣ୍ଡ ରାଜ୍ୟର ଜାମସେଦପୁରସ୍ଥ ଟିସ୍କୋର ମାତୃଖଣି । ପରେ ପରେ ସୁଲେଇପାଟ ଓ ବାଦାମପାହାଡରେ ମଧ୍ୟ ଲୁହା ଖଣିର ସନ୍ଧାନ ମିଳିଥିଲା । ପର୍ଯ୍ୟାୟକ୍ରମେ ସ୍ଥାନୀୟ ଅଂଚଳରେ ରେଳର ବିକାଶ ହୋଇ ଦୀର୍ଘ ବର୍ଷ ଧରି ତିନି ଖଣିରୁ ବହୁ ପରିମାଣର ଲୁହାପଥର ଦେଶ ତଥା ବିଦେଶକୁ ରପ୍ତାନୀ ହୋଇ ଚାଲିଥିଲା । ତେବେ ବାମନଘାଟି ସମେତ ଜିଲ୍ଲାର କେତେ ବିକାଶ ହୋଇଛି ତାହା ପ୍ରାୟ କାହାରିକୁ ଅଛପା ନାହିଁ । ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ପାଇଁ ସ୍ଥାନୀୟ ଅଂଚଳରେ କୌଣସି ଲୌହଭିତିକ ଖଣିଜ ଶିଳ୍ପଟିଏ ପ୍ରତିଷ୍ଠା ହୋଇ ପାରିନଥିଲା । ଯାହା ଫଳରେ ସ୍ଥାନୀୟ ଅଂଚଳର ଲୋକେ ଶ୍ରମିକ ସାଜି ଧୂଳି ଧୂଆଁରେ ଜୀବନ ସିନା ହାରୁଥିଲେ କିନ୍ତୁ ଆର୍ଥିକ ମାନଦଣ୍ଡ ସ୍ୱଛଳ ନଥିଲା ।

Advertisment

ସେପଟେ ଲିଜଧାରୀ, କଂଟ୍ରାକ୍ଟର ମାଲେମାଲ ହେଉଥିବା ବେଳେ ସ୍ଥାନୀୟ ଅଂଚଳ ଅବା ଖଟିଖିଆ ଦିନ ମଜୁରିଆଙ୍କ ଅବସ୍ଥା ଯେଉଁ ତିମିରେକୁ ସେଇତିମିରେ ଫର୍ମୁଲାରେ ରସାତଳଗାମୀ ହୋଇଥିଲା । ସୂଚନାଯୋଗ୍ୟ ଯେ ଗୋରୁମହିଷାଣୀରେ ପ୍ରାୟ ୧୪୩୫.୩୦୦ହେକ୍ଟର ପରିମିତ ଖଣି ଲିଜ ଅଂଚଳ ରହିଛି । ରେଳପଥ,ମାନବସମ୍ବଳ ସହିତ କଳକାରଖାନା ପ୍ରତିଷ୍ଠା ପାଇଁ ଉପଯୋଗୀ ଜମି ମଧ୍ୟ ରହିଛି । ନିକଟବର୍ତ୍ତୀ ସୁଲେଇପାଟରେ ପ୍ରାୟ ୬୧୮ ହେକ୍ଟର,ବାଦାମପାହାଡରେ ପ୍ରାୟ ୪୪୩.୯୪ ହେକ୍ଟର ପରିମିତ ଖଣି ଲିଜ ଅଂଚଳ ଅଛି । ସେହିପରି କାଣାପାଟ,କାଶିଆବେଡା ଭଳି ଆଉ କିଛି ଜଙ୍ଗଲରେ ମଧ୍ୟ ଲୁହାପଥରର ସନ୍ଧାନ ରହିଛି । ଏଣୁ ଲୌହଭିତିକ କାରଖାନା ପ୍ରତିଷ୍ଠା ପାଇଁ ଦୀର୍ଘ ବର୍ଷରୁ ଗୋରୁମହିଷାଣୀ ଅଂଚଳରୁ ସ୍ୱର ଉଠି ଆସୁଛି । ଜିଲାରେ େଓଲମେନ ଷ୍ଟିଲ୍ସର ୧୭୦କୋଟି ଟଙ୍କାର ପୁଞ୍ଜିନିବେଶକ ଘୋଷଣାକୁ ବାମନଘାଟି ଅଂଚଳର ବିଭିନ୍ନ ମହଲରେ ୪ ବର୍ଷ ପୂର୍ବରୁ ସ୍ୱାଗତ କରାଯାଇଥିଲା । ବାମନଘାଟୀ ଅଂଚଳବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ସ୍ୱରୂପ ଏହି ଶିଳ୍ପ ସ୍ଥାନୀୟ ଅଂଚଳରେ ପ୍ରତିଷ୍ଠା କରିବା ପାଇଁ ଜୋରଦାର ଦାବି ହୋଇଥିଲା । େଓଲମେନ ଷ୍ଟିଲ୍ସ କମ୍ପାନୀ ୧.୮ଏମଟିପିଏ ବେନିଫିସିଏସନ ପ୍ଲାଂଟ ଓ ୧.୨ଏମଟିପିଏ ପେଲେଟ ପ୍ଲାଂଟ ପ୍ରତିଷ୍ଠା ପାଇଁ ଅନୁମତି ପାଇଥିଲା ସେଥିରେ ବହୁ ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ ବୋଲି ସୂଚନା ମିଳିଥିଲା । ସୂଚନାଯୋଗ୍ୟ ଯେ ଗୋରୁମହିଷାଣୀ, ବାଦାମପାହାଡ ଓ ସୁଲେଇପାଟ ଲୌହଖଣିରୁ ରାଜ୍ୟ ସରକାରଙ୍କୁ ଅଧିକ ରାଜସ୍ୱ ମିଳୁଥିଲେ ମଧ୍ୟ ବାମନଘାଟୀ ଉପଖଣ୍ଡର ଆଖିଦୃଶିଆ କୌଣସି ଉନ୍ନତି ହେଉନଥିବା ଅଭିଯୋଗ ହେଉଛି ।

publive-image

ତେବେ ଦୀର୍ଘ ବର୍ଷ ପରେ ହେଲେବି ୱେଲମେନ ଷ୍ଟିଲ୍ସ କମ୍ପାନୀ ପ୍ରତିଷ୍ଠା ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସବୁଜ ସଂକେତ ମିଳିଥିଲା । ଅନୁମତି ପାଇବାର ୪ ବର୍ଷ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ବାମନଘାଟୀ ଉପଖଣ୍ଡରେ କୌଣସି ପେଲେଟ ପ୍ଲାଂଟ ପ୍ରତିଷ୍ଠା ହୋଇନାହିଁ । କେବଳ ନିର୍ବାଚନ ପୂର୍ବରୁ ଏଭଳି ଘୋଷଣା କରାଯାଏ ବୋଲି ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି । ଏହାବ୍ୟତିତ ୨ ବର୍ଷ ପୂର୍ବରୁ ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ଗ୍ରା.ପର ଆନନ୍ଦପୁର କନ୍ଟାବଣୀ ଓ ଦାଣ୍ଡବୋଷ ଗ୍ରାମର ମଧ୍ୟ ଭାଗରେ ରୁଙ୍ଗଟା କମ୍ପାନୀ ପକ୍ଷରୁ ଏକ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ ବୋଲି ମଧ୍ୟ ଘୋଷଣା ହୋଇଥିଲା । ଏନେଇ ପୂର୍ବରୁ ରୁଙ୍ଗଟା କମ୍ପାନୀର କର୍ମଚାରୀ ଓ ସ୍ଥାନୀୟ ପ୍ରଶାସନ ତିନି ଗ୍ରାମର ବାସିନ୍ଦାଙ୍କୁ ଜମି ଦେବା ପାଇଁ ଅନୁରୋଧ କରିଥିଲେ ଏବଂ ଜମି ଦେଲେ ପ୍ରତ୍ୟେକ ପରିବାରର ଜଣକୁ ଉକ୍ତ କମ୍ପାନୀରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ସେଥିରେ ମଧ୍ୟ ହଜାର ହଜାର ଯୁବକ ଯୁବତୀ ନିଯୁକ୍ତି ପାଇଥାନ୍ତେ । ତେବେ ପରବର୍ତୀ ସମୟରେ ପେସା ଆକ୍ଟ ପକ୍ଷରୁ ଆଦିବାସୀମାନେ ବିରୋଧ କରିବାରୁ ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇପାରିଲା ନାହିଁ । ଯାହାଫଳର ଉପଖଣ୍ଡର ବହୁ ଶିକ୍ଷିତ ଯୁବକ ଯୁବତୀ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ତେବେ ବର୍ତ୍ତମାନ ରାଜ୍ୟରେ ବିଜେପି ସରକାର ଗଠନ କରିବା ପରେ ଶିଳ୍ପ ପ୍ରତିଷ୍ଠା ହୋଇପାରୁଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା ।