ରାଇରଙ୍ଗପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ ସମୟରେ ବାରିପଦାରେ ଏମଏସସିବି ବିଶ୍ବ ବିଦ୍ୟାଳୟର ଦ୍ବାଦଶ ସମାବର୍ତ୍ତନ ଉତ୍ସବରେ ୨୦ କୋଟି ଟଙ୍କା ବିନିମୟରେ ନିର୍ମିତ ଅଡିଟୋରିୟମରେ ଦୀକ୍ଷାନ୍ତ ଭୀଷଣ ଦେଉଥିବା ସମୟରେ ବିଦ୍ୟୁତ୍ ସରବରାହ ୯ ମିନିଟ୍ ପାଇଁ ବିଛିନ୍ନ ହୋଇଥିଲା । ଯାହାକୁ ନେଇ ସମଗ୍ର ଭାରତ,ଓଡ଼ିଶା ତଥା ମୟୂରଭଞ୍ଜ ଜିଲ୍ଲାକୁ ନିନ୍ଦିତ ହେବାକୁ ପଡ଼ିଛି । ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ସୂଚକ। ମହାମହିମ ରାଷ୍ଟ୍ରପତିଙ୍କ ଅପମାନ ପ୍ରତିବାଦରେ ବାମନଘାଟୀ ନାଗରିକ ମଂଚ ପକ୍ଷରୁ ରାଇରଙ୍ଗପୁରର ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ମୁହଁରେ କଳାପଟି ପିନ୍ଧି ନାଗରିକମାନେ ମୌନବ୍ରତ କରି ଧାରଣାରେ ବସିଥିଲେ ।
ଏଭଳି ଏକ ସ୍ପର୍ଶକାତର ଘଟଣାକୁ ତୁରନ୍ତ ସଠିକ ତଦନ୍ତ କରାଯାଇ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନାଗରିକମାନେ ଦାବି କରିଛନ୍ତି । ଯଥାଶୀଘ୍ର ତଦନ୍ତ ଓ ଅବହେଳାକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗକୁ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ଵର୍ଷିୟାନ ବିଜେପି ନେତା ମନୋରଞ୍ଜନ ମହାନ୍ତି, ରାଇରଙ୍ଗପୁର ଓକିଲ ସଂଘ ସଭାପତି ଅକ୍ଷୟ ମହାନ୍ତି, ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ପୂର୍ବତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ପୂର୍ବତନ ବିଧାୟକ ଲକ୍ଷ୍ମଣ ମାଝୀ,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ମନୋଜ ଦାସ,ବିକାଶ ମହାନ୍ତ,ପ୍ରଦୀପ ରାଉତ,ଆଲୋକ ରଂଜନ ମହାନ୍ତ, ଗୌରବ ଅଗ୍ରୱାଲ ଙ୍କ ସମେତ ଶତାଧିକ ନାଗରିକ ଯୋଗ ଦେଇଥିଲେ ।ଭଂଜସେନା ପକ୍ଷରୁ ୧୫ ତାରିଖ ମୟୂରଭଞ୍ଜ ବନ୍ଦକୁ ନାଗରିକ ମଂଚ ସମର୍ଥନ ଦେବ ବୋଲି କହିଥିଲେ ।