ଅଚଳ ଅବସ୍ଥାରେ ୪୦ ଲକ୍ଷ ଟଙ୍କାର ବାଉଁଶ ଶିଳ୍ପୀ ତାଲିମ କେନ୍ଦ୍ର

ବୈପାରିଗୁଡ଼ା: ୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିଲା ବାଉଁଶ ପ୍ରକ୍ରିୟାକରଣ ଓ ବାଉଁଶ ଶିଳ୍ପୀ ତାଲିମ କେନ୍ଦ୍ର। ଲକ୍ଷ୍ୟ ଥିଲା, କୋରାପୁଟ ଜିଲ୍ଲା ବୈପାରିଗୁଡା ବନଖଣ୍ଡ ଅଞ୍ଚଳର ଜଙ୍ଗଲରୁ ମିଳୁଥିବା ଅନ୍ୟତମ ଜଙ୍ଗଲ ଜାତ ଦ୍ରବ୍ଯ ବାଉଁଶର ପ୍ରକ୍ରିୟାକରଣ କରିବା ସହ ଲୋକଙ୍କୁ ବାଉଁଶ ଦ୍ଵାରା ନିର୍ମିତ ବିଭିନ୍ନ ସାମଗ୍ରୀ ସଂପର୍କରେ ତାଲିମ୍ ପ୍ରଦାନ କରିବା। ଏହାଦ୍ବାରା ଲୋକେ ଆତ୍ମନିର୍ଭରଶୀଳ ହେବା ସହ ବାଉଁଶ ଶିଳ୍ପ ସଂପର୍କରେ ଦକ୍ଷତା ଅର୍ଜନ କରିବା। ଏବେ ଏହି ତାଲିମ୍ କେନ୍ଦ୍ର ସଂପୂର୍ଣ୍ଣ ଅଚଳ ଅବସ୍ଥାରେ ପଡ଼ିରହିଛି। ବର୍ତ୍ତମାନ ସେଠାରେ ନା ତାଲିମ୍ ଦିଆ ଚାଲିଛି ନା ବାଉଁଶ ସାମଗ୍ରୀ ତିଆରି ହେଉଛି। ଦିନ ଥିଲା ଏଠାରେ ବାଉଁଶରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ଖୁବ୍ ଚାହିଦା ଥିଲା। ରାଜ୍ୟ ତଥା ରାଜ୍ୟ ବାହାରକୁ ବିଭିନ୍ନ ପ୍ରଦର୍ଶନୀରେ ବାଉଁଶ ତିଆରି ସାମଗ୍ରୀ ପ୍ରଦର୍ଶିତ ହେଉଥିଲା। ଆଜି ତାଲିମ୍ କେନ୍ଦ୍ର ବାହାରେ ତାଲା ପଡିଛି। କାରିଗର କିମ୍ବା ତାଲିମ ଦାତାଙ୍କର ଦେଖା ନାହିଁ।

ପ୍ରକାଶ ଥାଉ କି, ଗତ ୨୦୧୯ ମସିହାରେ ବୈପାରିଗୁଡା ବନାଞ୍ଚଳ ତରଫରୁ ମାଠପଡା ପଞ୍ଚାୟତର ଦଳପୁର ଠାରେ ଏକ ବାଉଁଶ ପ୍ରକ୍ରିୟାକରଣ ଓ ବାଉଁଶ ଶିଳ୍ପୀ ତାଲିମ କେନ୍ଦ୍ର ସ୍ଥାପନ କରାଯାଇଥିଲା। ସ୍ଥାନୀୟ ବନ ସୁରକ୍ଷା ସମିତିକୁ ଏହାର ପରିଚାଳନା ଦାୟିତ୍ଵ ଦିଆଯାଇଥିଲେ ମଧ୍ୟ ବନ ବିଭାଗ ହାତରେ ପ୍ରକୃତ ପରିଚାଳନା ଦାୟିତ୍ଵ ରହିଥିଲା। ଏଥିପାଇଁ ବନ ବିଭାଗ ତରଫରୁ ୪୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା। ପ୍ରାୟ ଦୁଇ ବର୍ଷ ଧରି ଏହି ତାଲିମ୍ କେନ୍ଦ୍ରର କାର୍ଯ୍ୟ ଠିକଠାକ ଚାଲିଥିଲା। ଅନେକ ଲୋକ ତାଲିମ କେନ୍ଦ୍ରକୁ ଆସି ବାଉଁଶ ସାମଗ୍ରୀ ତିଆରି କରିବାର କଳା କୈାଶଳ ସଂପର୍କରେ ତାଲିମ ପ୍ରାପ୍ତ ହେବା ସହ ଆତ୍ମନିର୍ଭରଶୀଳ ହୋଇପାରିଥିଲେ। କିନ୍ତୁ ଧିରେଧିରେ ତାଲିମ୍ କେନ୍ଦ୍ର ଉପରୁ ବନ ବିଭାଗର ଗୁରୁତ୍ବ ହ୍ରାସ ପାଇବାକୁ ଲାଗିଲା। ଯାହାଫଳରେ ପ୍ରକୃତ ଲକ୍ଷ୍ୟ ପୂରଣ ହେବା ପରିବର୍ତେ ଅଧା ବାଟରେ ଅଟକି ଗଲା।

ପରିଚାଳନାଗତ ଅନାଗ୍ରହ ଯୋଗୁଁ ଲୋକେ ତାଲିମ୍ କେନ୍ଦ୍ରକୁ ଆସିବା ବନ୍ଦ କରିଦେଲେ। ଏବେ ତାଲିମ୍ କେନ୍ଦ୍ରରେ ତାହା ତାଲା ଝୁଲୁଛି। ତାଲିମ୍ କେନ୍ଦ୍ର ଗୃହରେ ରଂଗ ଦେଇ ଏବଂ ପରିସରକୁ ସଫାସୁତୁରା ରଖି ବନ ବିଭାଗ ଦାୟିତ୍ବ ସାରି ଦେଉଛି। ହୁଏତ ଏମିତି ବି ଦିନ ଆସିପାରେ, ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ତାଲିମ୍ କେନ୍ଦ୍ର ଗୃହ ମାଟିରେ ମିଶିଯାଇପାରେ। କାହିଁକି ଏବଂ କେଉଁ କାରଣରୁ ତାଲିମ୍ କେନ୍ଦ୍ର ଅଚଳ ହୋଇ ପଡ଼ିଲା ଏବଂ ଲୋକେ ଏହି କେନ୍ଦ୍ରକୁ ମୁହଁ ମୋଡ଼ି ଦେଲେ, ଏହାର ଉତ୍ତର କିଏ ଦେବ? ଏ ଅଚଳାବସ୍ଥା ପାଇଁ ଦାୟୀ କିଏ? ଅନ୍ୟ ସରକାରୀ ସଂସ୍ଥା ଗୁଡ଼ିକ ପରି ଏହା ମଧ୍ୟ ଶେଷରେ ସଂପୂର୍ଣ୍ଣ ଅଲୋଡ଼ା ହୋଇଯିବ କି? ତଥାପି ବର୍ତ୍ତମାନ ମଧ୍ୟ ହାତରେ ସମୟ ରହିଛି। ସରକାରଙ୍କ ଶୁଭ ଦୃଷ୍ଟି ଏହି କେନ୍ଦ୍ର ଉପରେ ପଡ଼ିଲେ ଏହାର ପୁନରୁଦ୍ଧାର ହୋଇପାରିବ। କେନ୍ଦ୍ରକୁ ପୁଣିଥରେ ସକ୍ରିୟ କରିବା ଦିଗରେ ବନବିଭାଗ କିପରି ଏବଂ କେବେ ତତ୍ପରତା ପ୍ରକାଶ କରିବେ ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର