ଗୋଷ୍ଠୀ ଜଙ୍ଗଲରୁ ବାଉଁଶ ବିକ୍ରି ଶୁଭାରମ୍ଭ, ବନ ବିଭାଗ ଦେଉନି ଟ୍ରାନଜିଟ୍ ପର୍‌ମିଟ୍ 

ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ୍‌ର ଶଗଡା ପଞ୍ଚାୟତ ଅନ୍ତର୍ଗତ ଭୋଇଗୁଡ଼ା ଗ୍ରାମ ଜଙ୍ଗଲ ଅଧିକାର ଆଇନ ୨୦୦୬ ମୁତାବକ ନିଜସ୍ୱ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଞ୍ଚଳର ପରିଚାଳନା ଯୋଜନା ଅନୁଯାୟୀ ବାଉଁଶ ଅମଳ କରି ଗ୍ରାମସଭା ଅଧିକାର ଉତ୍ସବ ପାଳନ କରିଛନ୍ତି ।  ଏହି ଉତ୍ସବରେ ପୂର୍ବତନ ମନ୍ତ୍ରୀ  ଭକ୍ତ ଚରଣ ଦାସ  ଓ ଗ୍ରୀନ୍ କଳାହାଣ୍ଡିର ସଂପାଦକ  ସିଦ୍ଧାର୍ଥ ନାଏକ ଅଂଶ ଗ୍ରହଣ କରି ଭୋଇଗୁଡ଼ା ଗ୍ରାମସଭାର ବାଉଁଶ ଡିପୋକୁ ଉଦ୍‌ଘାଟନ କରି ଗୋଷ୍ଠୀ ଜଙ୍ଗଲ ଅଞ୍ଚଳରୁ ବାଉଁଶ କିଣି ବିକ୍ରିର ଶୁଭାରମ୍ଭ କରିଥିଲେ ।  ଏହି କାର୍ଯ୍ୟକ୍ରମକୁ ଭୋଇଗୁଡ଼ା ଗ୍ରାମସଭାର ସଂପାଦକ ଅଶୋକ ମାଝୀ ଏବଂ କଳାହାଣ୍ଡି ଗ୍ରାମସଭାର ସଂପାଦକ  ବ୍ୟାସଦେବ ମାଝୀ ପରିଚାଳନା କରିଥିଲେ ।  ମ. ରାମପୁର ବ୍ଳକ୍‌ର ଜାମଗୁଡ଼ା ଗାଁରୁ ଅମର ପାତ୍ର, ନୀଳାମ୍ବର ପାତ୍ର, ଯୁବରାଜ ପାତ୍ର, ମନୋରଞ୍ଜନ ପାତ୍ର ଓ ପିପାଡି ଗ୍ରାମରୁ ବ୍ୟାସଦେବ ମାଝୀ, ଜୁନାଗଡ଼ ବ୍ଲକ୍‌ରୁ  ରଘୁ ମାଝୀ, ତିଳମଣି ବେମାଲ, ଲିଙ୍ଗରାଜ ରାଉଳ, ଗୋଲାମୁଣ୍ଡା ବ୍ଲକରୁ  କୈଳାସ ଭୋଇ, ଭବାନୀପାଟଣା ବ୍ଲକ୍‌ରୁ  ମହେନ୍ଦ୍ର ମାଝୀ ଆଦି ଉପସ୍ଥିତ ଥିଲେ ।  ଭୋଇଗୁଡା ଗ୍ରାମସଭାର ସଭାନେତ୍ରୀସୁନିତା ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହା  ଭାବୀନାପଟଣା ବ୍ଲକ୍ ପାଇଁ ପ୍ରଥମ ଘଟଣା ସାଜି ଅନ୍ୟ ଗ୍ରାମସଭା ମାନଙ୍କ ପାଇଁ ପ୍ରେରଣା ଯୋଗାଉଛି ।
ସୂଚନା ଯୋଗ୍ୟଯେ, ଗତ ୨୦୧୩ ମସିହା ମାର୍ଚ୍ଚ ମାସ ୩ ତାରିଖ ଦିନ ତତ୍‌କାଳୀନ କେନ୍ଦ୍ରମନ୍ତ୍ରୀ ଶ ଜୟରାମ ରମେଶ ଓ  କୃଷ୍ଣଚନ୍ଦ୍ର ଦେଓ ଏବଂ ଓଡ଼ିଶାର ତତ୍‌କାଳୀନ ରାଜସ୍ୱ ମନ୍ତ୍ରୀ  ସୂର୍ଯ୍ୟନାରାୟଣ ପାତ୍ରଙ୍କ ସହିତ  ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ କଳାହାଣ୍ଡି ଜିଲ୍ଲାର ମ.ରାମପୁର ବ୍ଲକ୍‌ର ବାରବନ୍ଧା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜାମଗୁଡ଼ା ଗ୍ରାମରେ ଗୋଷ୍ଠୀ ଜଙ୍ଗଲ ଅଞ୍ଚଳରୁ ବାଉଁଶ ବିକ୍ରି ପାଇଁ ତତ୍‌କାଳୀନ ଚ.ଉ.ଉ.ୠ. ଓଡ଼ିଶା ପ୍ରୀୟନାଥ ପାଢ଼ୀ ସରକାରଙ୍କ ତରଫରୁ ଟ୍ରାନ୍‌ଜିଟ ପର୍‌ମିଟ୍ ବହିକୁ ଗ୍ରାମସଭାକୁ ପ୍ରଦାନ କରିଥିଲେ ।  ଏହା ଓଡ଼ିଶାରେ ପ୍ରଥମ ଓ ଭାରତରେ ଦ୍ୱିତୀୟ ଘଟଣା ହୋଇଥିଲା ।
କଳାହାଣ୍ଡି ଜିଲ୍ଲାର ଗ୍ରାମସଭା ଗୁଡିକ ଜଙ୍ଗଲ ଅଧିକାର ଆଇନ ୨୦୦୬ରେ ଗ୍ରାମସଭାର ଦାୟିତ୍ୱ ଓ କ୍ଷମତାକୁ ବୁଝିପାରି ନିଜ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଗୁଡିକର ସୁରକ୍ଷା, ସଂରକ୍ଷଣ, ପୁନଃଜନନ ଓ ପରିଚାଳନା ଯୋଜନା ପ୍ରସ୍ତୁତ କରି ନିଜ ଗ୍ରାମର ଆଦିବାସୀ ଓ ବନବାସୀ ମାନଙ୍କର ଜୀବନ ଜୀବିକାକୁ ଚିରସ୍ଥାୟୀ ସୁରକ୍ଷା କରିବା ସହିତ ଗ୍ରାମସଭାର ଅଧିକାରକୁ ସାବ୍ୟସ୍ତ କରି ମ.ରାମପୁର ବ୍ଲକ୍‌ର ୭ ଗୋଟି, ଜୁନାଗଡ଼ ବ୍ଲକ୍‌ର ୪ ଗୋଟି ଓ ଭବାନୀପାଟଣା ବ୍ଲକ୍‌ର ୧ ଗୋଟି ଗ୍ରାମସଭା ବାଉଁଶର ଅମଳ ଓ ବିକ୍ରି ସ୍ୱାଧିନ ଭାବେ କରୁଛନ୍ତି ।  ଏହିପରି ଭାବେ ଗୋଲାମୁଣ୍ଡା ବ୍ଲକ୍‌ର କାଳିପୁର, କସ୍ତୁରାପଦର, ଖସିଗୁଡା, ଜାମଝରଣ, କନକପୁର, ଜାମୁଗୁଡାବାହାଲି, ଧର୍ମଗଡ଼ ବ୍ଲକ୍‌ର ଧଅଁରପୁର, ଜୁନାଗଡ଼ ବ୍ଲକ୍‌ର କେଲିଆ, ଆଟିଗାଁ, ବାଗଡୁଙ୍ଗରୀ, ମୁଣ୍ଡିଗୁଡା, ଭବାନୀପାଟଣା ବ୍ଲକ୍‌ର ଡାକିବଣ୍ଡେଲ, ଭୋଇଗୁଡ଼ା ଏବଂ ମ. ରାମପୁର ବ୍ଲକ୍‌ରୁ ଜାମଗୁଡା ଓ ପିପାଡି ଗ୍ରାମସଭା ଗୁଡିକ ନିଜସ୍ୱ ଗୋଷ୍ଠୀ ଜଙ୍ଗଲ ଅଞ୍ଚଳରୁ କେନ୍ଦୁପତ୍ର ସଂଗ୍ରହ କରି ସ୍ୱାଧିନ ଭାବେ ବିକ୍ରି କରୁଛନ୍ତି । ଜଙ୍ଗଲ ଅଧିକାର ଆଇନ ୨୦୦୬ ଓ ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶାବଳୀ ରହିଥିଲେ ମଧ୍ୟ ବନ ବିଭାଗ ଜାଣିଶୁଣି ହଇରାଣ କରି ଟ୍ରାନ୍‌ଜିଟ ପର୍‌ମିଟ୍ ବହି ଗ୍ରାମସଭା ମାନଙ୍କୁ ହସ୍ତାନ୍ତର କରୁନାହିଁ ।  ଏଥିପାଇଁ ଗ୍ରାମସଭା ଗୁଡିକର ସଂଗୃହୀତ ଲକ୍ଷ ଲକ୍ଷ ଟଙ୍କାର କେନ୍ଦୁପତ୍ର ଓ ବାଉଁଶ ଗୁଡିକ ନଷ୍ଟ ହୋଇଯାଉଅଛି ।  ଏଥିପାଇଁ ଓଡ଼ିଶା ସରକାର ସ୍ୱତନ୍ତ୍ର ପଦକ୍ଷେପ ନନେଲେ ଆଗାମୀ ଦିନରେ ଧର୍ମଘଟ କରାଯିବ ବୋଲି କଳାହାଣ୍ଡି ଗ୍ରାମସଭା ମହାସଂଘର ସଭାପତି  କୁଞ୍ଜ ବିହାରି ଚନ୍ଦନ ମତ ପ୍ରକାଶ କରିଥିଲେ ।  ମଦନପୁର ରାମପୁର, ଜୁନାଗଡ଼, କୋକସରା, ନର୍ଲା, ଭବାନୀପାଟଣା ବ୍ଲକ୍‌ସ୍ତରୀୟ ଗ୍ରାମସଭା ମହାସଂଘ ମାନଙ୍କରୁ ଶତାଧିକ ବ୍ୟକ୍ତି ଯୋଗଦେଇ କଳାହାଣ୍ଡି ଜିଲ୍ଲାର ସମସ୍ତ ଗ୍ରାମସଭାକୁ ତୁରନ୍ତ ଟ୍ରାନ୍‌ଜିଟ ପର୍‌ମିଟ୍ ବହି ପ୍ରଦାନ କରିବାକୁ ସରକାରଙ୍କ ଠାରେ ଦାବି କରିଛନ୍ତି ।
ସମ୍ବନ୍ଧିତ ଖବର