ବାଉଁଶ କାରିଗରଙ୍କୁ କରୋନା ମାଡ଼; ବେଉସା ଉପରେ ସଙ୍କଟ

ଉଠୁନି ମଜୁରୀ, ବାଜିରେ ଲାଗିଛି ଜୀବିକା

ବାରିପଦା: ବାଉଁଶ କାରିଗରଙ୍କୁ ଦାଉ ସାଧିଛି କରୋନା। ଏହି ମହାମାରୀ ବାଉଁଶ କାରିଗରମାନଙ୍କ ନିକଟରୁ ଛଡ଼ାଇ ନେଇଛି ଜୀବନ ଜିବୀକା। ଘରେ ବସି ପ୍ରତ୍ୟେକ ଦିନ ୬ ଶହ ଟଙ୍କାରୁ ଅଧିକ ଆୟ ଉପାର୍ଜନ କରୁଥିବା ବେଳେ ବର୍ତ୍ତମାନ ସହରରେ ଦିନ ସାରା ଚକ୍କର କାଟିବା ପରେ ବହୁ କଷ୍ଟରେ ମିଳୁଛି ୨ ଶହ ଟଙ୍କାରୁ କମ୍। ବେପାରୀମାନେ ଆସି ଘରୁ ଯେଉଁ ସାମଗ୍ରୀକୁ ୮୦ ଟଙ୍କା ମୂଲ୍ୟରେ କିଣି ନେଇ ଯାଉଥିଲେ, ତାହାକୁ ଲୋକେ ୩୦ ଟଙ୍କାରେ କିଣୁଛନ୍ତି। ପୁଣି ବହୁ କଷ୍ଟରେ ଓ ମୂଲଚାଲ କରିବା ପରେ। ଫେରି କରି ଯେଉଁ ଅର୍ଥ ଉପାର୍ଜନ ହେଉଛି, ସେଥିରେ ପରିବାରର ଗୁଜୁରାଣ ମେଣ୍ଟୁ ନାହିଁ। ସରକାର ଟଙ୍କିକିଆ ଚାଉଳ ସିନା ଯୋଗାଇ ଦେଇଛନ୍ତି, ମାତ୍ର ତେଲ, ଲୁଣ ଓ ପରିବା ନୁହେଁ। ବର୍ତ୍ତମାନ ଏହି ତେଲ, ଲୁଣ ଆଦିର ମୂଲ୍ୟ ଏତେ ପରିମାଣରେ ବୃଦ୍ଧି ପାଇଛି ଯେ, ନାମ ଶୁଣିବାକୁ ଭୟ ଲାଗୁଛି ବୋଲି କହିଛନ୍ତି ବାଉଁଶରୁ ନିର୍ମିତ କୁଲା, ପାଚିଆ ଓ ଡ଼ଲା ମୁଣ୍ଡରେ ମୁଣ୍ଡାଇ ବାରିପଦା ସହରରେ ଘୁରିବୁଲି ବିକ୍ରି କରୁଥିବା ସହରର ୧୫ ନମ୍ବର ୱାର୍ଡ଼ର ବାଉଁଶ କାରିଗର ମୀନା କୁଅଁର(୫୫) ଓ ସାରଥୀ ସେନାପତି(୩୮)।

ମୀନା କୁଅଁରଙ୍କ କହିବା ଅନୁସାରେ, ତାଙ୍କ ସାହିରେ ପ୍ରାୟ ଶହେରୁ ଅଧିକ ପରିବାର ବାଉଁଶ କିଣି ସେଥିରୁ କୁଲା, ବିଞ୍ଚଣା, ପାଚିଆ, ଡଲା, ଚହ୍ଲା ଆଦି ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରିଥାନ୍ତି। ଉକ୍ତ ସାମଗ୍ରୀ ଗୁଡ଼ିକୁ କଟକ, ଭୂବନେଶ୍ୱର ଆଦି ଅଞ୍ଚଳରୁ ବେପାରୀ ମାନେ ଆସି ଘରୁ ନେଇ ଯାଉଥିଲେ। ଏଥିରେ ଦୈନିକ ୫ / ୬ ଶହ ଟଙ୍କାରୁ ଅଧିକ ଆୟ ଉପାର୍ଜନ ହେଉଥିଲା। ସେଥିରେ ମୋର ୫ ଜଣ ପରିବାର ଚଳି ଯାଉଥିଲା। ମାତ୍ର କରୋନା କଟକଣା କାରଣରୁ ବେପାରୀ ମାନେ କିଣିବାକୁ ଆସୁ ନାହାଁନ୍ତି। ଫଳରେ ବାରିପଦା ସହରରେ ଦୈନିକ ଚକ୍କର କାଟି ମୁଣ୍ଡରେ ପାଚିଆ, ଡଲା ଆଦି ଧରି ଦୁଆର ଦୁଆର ବୁଲି ବିକ୍ରି କରିବାକୁ ପଡ଼ୁଛି। ପୂର୍ବରୁ ଯେଉଁ କୁଲାକୁ ଶହେ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି କରୁଥିଲି, ଆଜି ଜଣେ ୩୦ ଟଙ୍କାରେ କିଣିଲା। ପୁଣି ବହୁ ସମୟ ଧରି ମୂଲଚାଲ କରିବା ପରେ। ସକାଳୁ ଘରୁ ବାହାରି ଆସିଛି, ବେଳ ଆସି ମୁଣ୍ଡ ଉପରେ ହେଲାଣି। ମାତ୍ର ଶହେ ଟଙ୍କାର ଜିନିଷ ବିକିଛି। ଘରେ ଜମିବାଡ଼ି ନାହିଁ। କେବଳ ଘର ଡିହ ଖଣ୍ଡିଏ ରହିଛି। ଜଣେ ବିଧବା ସ୍ତ୍ରୀ ଲୋକ ହୋଇଥିଲେ ମଧ୍ୟ ବିଧବା ଭତ୍ତା ମିଳିପାରୁ ନାହିଁ। ପ୍ରଧାନମନ୍ତ୍ରୀ ଘର ଖଣ୍ଡିଏ ମିଳିପାରୁ ନାହିଁ। କହୁଛନ୍ତି ପ୍ରଥମେ ନିଜେ କିଛି ଟଙ୍କା ଖର୍ଚ୍ଚ କରି ଘର ନିର୍ମାଣ କରିପାରୁଥିବା ଲୋକଙ୍କୁ ଘର ମିଳୁଛି। ଆମେ ଟଙ୍କା ଖର୍ଚ୍ଚ କରି ଘର ତିଆରି କରିବାକୁ ଟଙ୍କା ଆଣିବୁ କେଉଁଠାରୁ। କେବଳ ନିଜ ପୋଡ଼ା କପାଳକୁ ଆଦରି ବଞ୍ଚି ରହିଛୁ ବୋଲି ମୀନା କୁଅଁର କହିଛନ୍ତି।

ସେହିପରି ସାରଥୀ ସେନାପତିଙ୍କ କହିବା ଅନୁସାରେ, ସରକାର ଆମକୁ ଚାଉଳ ଯୋଗାଇ ଦେଉଛନ୍ତି, କିନ୍ତୁ ତେଲ, ଲୁଣ, ପରିବା ନୁହେଁ। ବଜାରରେ ଦରଦାମ ଏପରି ବଢ଼ିଛି ଯେ, ତେଲ, ଲୁଣ, ପରିବା ନାମ ଶୁଣିବାକୁ ଡ଼ର ଲାଗୁଛି। ମୋର ୧୨ ଜଣ ପରିବାରକୁ ଚଳାଇବା କଷ୍ଟକର ହୋଇପଡ଼ିଛି। ଏହି ପୋଡ଼ା ମୁହାଁ କରୋନା କେଉଁଠାରୁ ଆସିଲା ଯେ, ଆମକୁ ବଞ୍ଚିଥାଉ ଥାଉ ଭୋକରେ କଲବଲ କରାଇ ମାରି ଦେଉଛି ବୋଲି ଏକ ଦୀର୍ଘଶ୍ୱାସ ଛାଡ଼ି କହିଛନ୍ତି।

ସମ୍ବନ୍ଧିତ ଖବର