ଖୋର୍ଦ୍ଧା: ବନ ମହୋତ୍ସବ ସପ୍ତାହର ଶେଷ ଦିବସ ଥିଲା ଶୁକ୍ରବାର। ଏହି ଅବସରରେ ଖୋର୍ଦ୍ଧା ବନ ଖଣ୍ଡ କାର୍ଯ୍ୟାଳୟ ସମତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବୃକ୍ଷ ଚାରା ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା। ବନ ବିଭାଗ ପକ୍ଷରୁ ବରୁଣେଇ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡିଏଫ୍‌ଓ ପୂର୍ଣ୍ଣିମା ପାଣ୍ଡିଆନ୍‌, ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥମିତ୍ର, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ, ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ସ୍ମିତା ମହାନ୍ତି, ଖୋର୍ଦ୍ଧା ବ୍ଲକ ଉପାଧ୍ୟକ୍ଷ ପ୍ରକାଶ ସାମନ୍ତରାୟ ପ୍ରମୁଖଙ୍କ ସହ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀମାନେ ଯୋଗ ଦେଇ ବୃକ୍ଷ ଚାରା ରୋପଣ କରିଥିଲେ। ଏହି ଅବସରରେ ବାଲୁଗାଁ ବନାଂଚଳର ମା’ଜେମାଦେଇ ବନ ସୁରକ୍ଷା ସମିତିକୁ ବନ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ୩୦ହଜାର ଟଙ୍କାର ପୁରସ୍କାର ସହ ୮ଜଣଙ୍କୁ ପ୍ରକୃତି ବନ୍ଧୁ ସମ୍ମାନରେ ସମ୍ମାନିତ କରାଯାଇଥିଲା।

Advertisment

କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ସ୍କାଉଟ୍‌ ଆଣ୍ଡ ଗାଇଡ୍‌, ଯୁବ ରେଡ୍‌କ୍ରସ, ଏନ୍‌ସିସି ପକ୍ଷରୁ ୭ ଦିନିଆ ବନ ମହୋତ୍ସବ ପାଳିତ ହୋଇଥିଲା। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡ ଦିଲିପ ଶ୍ରୀଚନ୍ଦନ ଅତିଥି ଭା‌ବେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜାତୀୟ ସେବା ଯୋଜନାର ଅଧିକାରୀ ଅଧ୍ୟାପିକା ଅନୁପମା ଚମ୍ପତ୍‌ତିରାୟ, ରେଡ୍‌କ୍ରସ ଅଧିକାରୀ ଡ ଜନ୍ମେଜୟ ଚୌଧୁରୀ, ଅଧ୍ୟାପକ ପ୍ରତାପ ଛୋଟରାୟ, ସ୍କାଉଟ୍‌ ଓ ଗାଇଡ୍‌ ଅଧିକାରୀ ମାନସ ଜୟସିଂହ ଓ ସ୍ବୟଂପ୍ରଜ୍ଞା ମାନ୍ଧାତା, ଏନ୍‌ସିସି ଅଧିକାରୀ ତପନ ପୃଷ୍ଟି, ସୁଧାଂଶୁ ଶେଖର ରଣସିଂହ, ଅଧ୍ୟାପିକା ସଚଳା ସାମନ୍ତରାୟ, ସୁଜ୍ଞାନୀ ଭଂଜଦେଓ, ଡ ସଂଯୁକ୍ତା ପଟ୍ଟନାୟକ, ଭୁବନେଶ୍ବର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜାତୀୟ ସେବା ଯୋଜନାର ପୋଷ୍ୟ ଗ୍ରାମ ମାଧପୁରରେ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। କଦଳିବାଡ଼ି ପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷୟିତ୍ରୀ ପୁଷ୍ପମଂଜରୀ ବିଶ୍ବାଳ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ଅଭିଭାବକ ଓଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପରିସରରେ
ବୃକ୍ଷରୋପଣ କରିଥିଲେ।