ବଣାଇଗଡ: ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ତା ପୁଣି ଚର୍ଚ୍ଚାରେ। ଜାତୀୟ ବିଧାୟକ ସମ୍ମିଳନୀ-୨୦୨୩(ଏନ୍‌ଏଲ୍‌ସି)ରେ ଶ୍ରୀ ମୁଣ୍ତାଙ୍କ ଜନହିତକର କାର୍ଯ୍ୟକଳାପକୁ ଉଚ୍ଚ ପ୍ରଶଂସା କରାଯାଇଛି। ଦେଶର ଶ୍ରେଷ୍ଠ ୭୫ ଜଣ ବିଧାୟଙ୍କ ତାଲିକାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୪ ଜଣ ବିଧାୟକ ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରେ ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ତା, ବରି ବିଧାୟିକା ସୁନନ୍ଦା ଦାସ, ମୟୁରଭଞ୍ଜ ଜିଲା ସାରସକଣା ବିଧାୟକ ଡାକ୍ତର ବୁଢାନ ମୁର୍ମୁ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ସ୍ଥାନ ପାଇଛନ୍ତି। ଏମ୍‌ଆଇଟି ଓ୍ବାଲ୍‌ଡ ପିସ ୟୁନିଭରସିଟି ସହଯୋଗରେ ମୁମ୍ବାଇଠାରେ ଚଳିତ ମାସ ୧୪-୧୮ ତାରିଖ ପର୍ଯ୍ୟନ୍ତ ଜାତୀୟ ବିଧାୟକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ରାଜ୍ୟରୁ ଶ୍ରେଷ୍ଠ ବିଧାୟକ ଭାବେ ୭୫ ଜଣଙ୍କୁ ସମ୍ମାନିତ କରାଯାଇଥିଲା।

Advertisment

ସେହି ତାଲିକାରେ ଓଡ଼ିଶାର ୫ ଜଣ ଶ୍ରେଷ୍ଠ ବିଧାୟକ ଅଛନ୍ତି। ଲକ୍ଷ୍ମଣ ମୁଣ୍ତା ୧୯୯୨ ମସିହାରୁ ସରପଞ୍ଚ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ। କୋଇଡ଼ା ବ୍ଲକ୍‌ ଅଧ୍ୟକ୍ଷ, ସିପିଆଇଏମ୍‌ ଦଳରୁ ୨୦୦୪ରୁ ୨୦୦୯, ୨୦୧୪ରୁ ୨୦୧୯ ଓ ୨୦୧୯ରୁ ଆଜି ପର୍ଯ୍ୟନ୍ତ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ସମୟରେ ବଣାଇ ନିର୍ବାଚନମଣ୍ତଳୀର ଉନ୍ନୟନ କାର୍ଯ୍ୟ ପ୍ରଶଂସିତ ହୋଇଛି। ବଣାଇର ଜୀବନରେଖା ଜାତୀୟ ରାଜପଥ ୨୧୫/୫୨୦ ରାସ୍ତା ହେଉ କିମ୍ବା ବିଭିନ୍ନ ରାଜ୍ୟ ରାଜପଥ ନିର୍ମାଣ ପାଇଁ ନିରବଚ୍ଛିନ୍ନ ଭାବେ ଆନ୍ଦୋଳନ କରି ସଫଳ ହୋଇଛନ୍ତି। ସେହିପରି ବଣାଇ ଜିଲା ଗଠନ ଦାବି, ଏନ୍‌ଏସି ଘୋଷଣା, ଖୁଣ୍ଟଗାଁ ବ୍ଲକ ଘୋଷଣା, ବଣାଇରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ଇଂଜିନିୟରିଂ କଲେଜ ଖୋଲିବା, ଶୀତଳ ଭଣ୍ତାର ଖୋଲିବା, ବଣାଇଗଡ ମହାବିଦ୍ୟାଳୟକୁ ସରକାର ହାତକୁ ନେବା, ବଣାଇ ଚିକିତ୍ସାଳୟକୁ ଜିଲାସ୍ତରୀୟ ଚିକିତ୍ସାଳୟରେ ପରିଣତ ଆଦି ଦାବି କରି ଆସିଛନ୍ତି।

ଶିକ୍ଷାର ଉନ୍ନତି ନିମନ୍ତେ ବିଭିନ୍ନ ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟ ପାଇଁ ପାଠାଗାର, ସାଇକଲ ଷ୍ଟାଣ୍ତ, ଶ୍ରେଣୀଗୃହ, ଶୈାଚାଳୟ, ଲାଇବ୍ରେରି ନିର୍ମାଣ, କରୋନା ସମୟରେ ସମଗ୍ର ବଣାଇ ନିର୍ବାଚନମଣ୍ତଳୀରେ ୨୦ ହଜାରରୁ ଊର୍ଦ୍ଧ୍ବ ମାସ୍କ ବଣ୍ଟନ, ବଣାଇ, ଲହୁଣିପଡ଼ା, କୋଇଡ଼ା, ଗୁରୁଣ୍ତିଆ ଚିକିତ୍ସାଳୟରେ ମାସାଧିକ କାଳ ହଜାର ହଜାର ରୋଗୀଙ୍କୁ ଓ ସେମାନଙ୍କ ପରିବାରବର୍ଗଙ୍କୁ ମାଗଣାରେ ସୁଷମ ଖାଦ୍ୟ ବଣ୍ଟନ, ୨୦ ହଜାର ପରିବାରବର୍ଗଙ୍କୁ ସୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ, ବଣାଇଗଡ ମହାବିଦ୍ୟାଳୟଠାରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା, ଗମନାଗମନ ପାଇଁ ରାସ୍ତାଘାଟ ନିର୍ମାଣ, ବହୁ ସେତୁ ନିର୍ମାଣ, ବହୁ ଗ୍ରାମକୁ ଆଲୋକୀକରଣ, ବିଭିନ୍ନ ଧର୍ମ ଉପାସନା ଗୃହ, ମନ୍ଦିର ନିର୍ମାଣ ଓ ଉନ୍ନତୀକରଣ, ଅଧିକାଂଶ ଗ୍ରାମରେ ଗୋଷ୍ଠୀକେନ୍ଦ୍ର ଗୃହ ନିର୍ମାଣ କରି ପ୍ରଶଂସିତ ହୋଇଛନ୍ତି। ବିଶେଷ କରି ହଜାର ହଜାର ଗରିବ ଆଦିବାସୀ ଓ ସ୍ଥାନୀୟ ଯୁବକଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ ଖଣି ମାଲିକଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ତଥା ନିଷ୍ଠାପର ଭାବେ ଆନ୍ଦୋଳନ କରି ସଫଳ ହୋଇଛନ୍ତି।