ଜୟପୁର: ଉଦ୍ୟାନ ବିଭାଗ ଓ ରାଜ୍ୟ ସରକାର ଶହ ଶହ ହେକ୍ଟର ଜମିରେ କଦଳୀ ଚାଷ ହେଉଛି ବୋଲି ରିପୋର୍ଟରେ ଦର୍ଶାଉଛନ୍ତି। ତେବେ କ୍ଷୀର, କୁକୁଡା ଅଣ୍ଡା, ମାଛ, ବ୍ରୟଲର କୁକୁଡା ପରି ଏବେ କଦଳୀ ପାଇଁ ଆନ୍ଧ୍ର ଉପରେ ଜୟପୁର ଉପଖଣ୍ଡର ବଜାର ସଂପୁର୍ଣ୍ଣ ନିର୍ଭର। ପ୍ରତ୍ୟେକ ଦିନ ଜୟପୁର ସହରରେ ଥିବା ହୋଲସେଲ ଫଳ ବ୍ୟବସାୟୀଙ୍କ ନିକଟକୁ ୩ରୁ ୪ଟି ଭ୍ୟାନ ୨୦ଟନ କଦଳୀ ଆସୁଛି। ଯେଉଁ ଦିନ ଆନ୍ଧ୍ରରୁ କଦଳୀ ଜୟପୁର ବଜାରକୁ ଆସୁନି ସେ ଦିନ ବଜାର ଦର ବି ବୃଦ୍ଧି ପାଉଛି। ଆନ୍ଧ୍ରର ସାଲୁର , ରାମଭଦ୍ରପୁରମ, ବିଜୟନଗରମ୍ ଅଂଚଳରୁ ପ୍ରତ୍ୟେକ ଦିନ କଦଳୀ ଭ୍ୟାନ୍ ଆସୁଛି। ଖାସ୍ କରି ଜୟପୁରରେ କିଛି ପୂଜା, ପାର୍ବଣ, ଜାନିଯାତ୍ରା, କାର୍ତ୍ତିକ ମାସ, ଶ୍ରାବଣ ମାସ ଆଦିରେ ଅଧିକା ଲୋଡ ଆସୁଛି। ସେଠାରେ କଦଳୀ କାନ୍ଧିର ଆକାର ଓ କଦଳୀର ଆକାର ଓ ପ୍ରକାର ଅନୁଯାୟୀ ୫୦ରୁ ୧୫୦ଟଙ୍କା ମଧ୍ୟରେ କିଣାଯାଉଛି। ଏଠାରେ ସେ ଅନୁଯାୟୀ ପରିବହନ ଖର୍ଚ୍ଚ ଓ ଲାଭ ରଖି ବିକ୍ରି କରୁଥିବା ବ୍ୟବସାୟୀମାନେ କହୁଛନ୍ତି। ବର୍ଷା ମାସରେ ଯଦିଓ ସାମାନ୍ୟ କମ୍ ଆସୁଥିଲେ ହେଁ ଶ୍ରାବଣ ମାସରେ ଅଧିକା ଲୋଡ ଆସୁଛି ବୋଲି କହିଛନ୍ତି ହୋଲସେଲର।
ଯଦିଓ ବଜାରରେ ଦେଶୀ କଦଳୀ ବିକ୍ରୀ ହେଉଥିଲେ ହେଁ ଏହାର ଦର ଅଧିକା ରହିଥିବାରୁ ଲୋକେ ଆନ୍ଧ୍ର କଦଳୀ ନେବାକୁ ପସନ୍ଦ କରୁଛନ୍ତି। ପୂର୍ବରୁ ଜୟପୁର ଉପଖଣ୍ଡରେ ଜୟପୁର ହୋଲସେଲରଙ୍କ ନିକଟକୁ ହିଁ କଦଳୀ ଆସିବା ପରେ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ପଠାଯାଉଥିଲା। ତେବେ ଗତ କିଛି ବର୍ଷ ହେବ ଜୟପୁର ସମେତ ବୋରିଗୁମ୍ମା, ମାଲକାନଗିରୀରେ ବି କିଛି ବ୍ୟବସାୟୀ ହୋଲସେଲ୍ ଆରମ୍ଭ କରିଛନ୍ତି। ଏହା ବାଦେ ମଧ୍ୟ ଏବେ ବି ଜୟପୁର ବଜାରରୁ ଜିଲ୍ଲାର ବିଭିନ୍ନ ବ୍ଲକ, ଛୋଟ ବଡ ସହର ସମେତ, ମାଲକାନଗିରି ଜିଲ୍ଲାର ମାଥିଲି, ଗୋବିନ୍ଦପାଲ୍ଲୀ ଆଦି ଅଂଚଳକୁ ଏହି କଦଳୀ ହୋଲସେଲରମାନେ ପଠାଉଥିବା କହିଛନ୍ତି। ଉଦ୍ୟାନ ବିଭାଗ ପକ୍ଷରୁ ଏହି ପାଣିପାଗ, ମୃତ୍ତିକାରେ କଦଳୀ ଚାଷ ଭଲ ହୋଇପାରିବ ବୋଲି ସୂଚନା ମିଳିଛି।
କମ୍ ଖର୍ଚ୍ଚରେ ଲାଭକାରୀ ଚାଷ ହୋଇଥିବାରୁ ଏହି ଚାଷ କରିବା ପାଇଁ ଚାଷୀମାନେ ଆଗ୍ରହ ଦେଖାଇବା କଥା ବୋଲି ଉଦ୍ୟାନ ବିଭାଗ ପକ୍ଷରୁ କୁହାଯାଉଛି । ଚାଷୀ କଦଳୀ ଚାଷ କରିବା ପରେ କ୍ଷତି ସହିଥିବା କହିଛନ୍ତି। ଚାଷ କରିବା ପରେ ଆନ୍ଧ୍ରର ବଜାର ଦର ସହ ପ୍ରତିଦ୍ବନ୍ଦିତା କରି କମ୍ ଦରରେ କଦଳୀ କାନ୍ଧି ବିକ୍ରି କରି କ୍ଷତି ହେଉଥିବା ଚାଷୀମାନେ କହିଛନ୍ତି। ପ୍ରଶାସନ ଯଦି ବଜାର ସହ ଶୀତଳଭଣ୍ଡାର ଯୋଗାଇଲେ ଏହି ଚାଷ କରି ହେବ ବୋଲି ଚାଷୀମାନେ କହିଛନ୍ତି। ବଜାରରେ କଦଳୀର ଚାହିଦା ସବୁ ବେଳେ ରହିଥିବାରୁ ଏହି ଚାଷ ପ୍ରତି ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉତ୍ତମ ବଜାର ଯୋଗାଇଲେ ଚାଷୀମାନେ ଏଦିଗରେ ଆଗ୍ରହ ପ୍ରକାଶ କରିବେ ବୋଲି ଚାଷୀମାନେ କହୁଛନ୍ତି।