ଫୁଲବାଣୀ (ବଟକୃଷ୍ଣ ବିହାରୀ): ଅଳ୍ପ ଖର୍ଚ୍ଚ ଓ ପରିଶ୍ରମ କମ୍। ଜୀବିକା ପାଇଁ କନ୍ଧମାଳରେ ରୋଜଗାରର ଭିନ୍ନ ବାଟ ଦେଖାଇଛି କଦଳୀ ଚାଷ। ଦିନ ଥିଲା କଦଳୀ ଚାଷ ପ୍ରତି ମୁହଁ ମୋଡୁଥିଲେ ଚାଷୀ। ଏବେ ଏହା ଏକ ଲାଭଜନକ ଫସଲ ହୋଇ ଠିଆ ହୋଇଥିବାରୁ କଦଳୀ ଚାଷ କରିବାକୁ ବହୁ ଚାଷୀ ମନ ବଳାଇଲେଣି। କନ୍ଧମାଳର ମାଟି ଉର୍ବର। ବିଭିନ୍ନ ଚାଷ ପାଇଁ ମାଟି ବେଶ ଅନୁକୁଳ। ବିଶେଷତଃ ପାରମ୍ପରିକ ଧାନଠାରୁ ବିଭିନ୍ନ ପନିପରିବା ଚାଷ ଭଲ ହୁଏ। ଏସବୁ ଚାଷରେ ଅଧିକ ଖର୍ଚ୍ଚ। ଆଉ ପରିଶ୍ରମ କି କମ ନୁହେଁ। ହେଲେ ଲାଭ ସେତେଟା ମିଳୁ ନାହିଁ। ଯାହା ଫଳରେ ବହୁ ଚାଷୀ ଏସବୁ ଚାଷ ପ୍ରତି ମୁହଁ ଫେରାଇ ନେବାକୁ ବସିଛନ୍ତି। ହେଲେ ଏବେ ନୂଆ ରୋଜଗାରର ଭିନ୍ନ ବାଟ ଦେଖାଇଛି କଦଳୀ ଚାଷ। ଏଥି ପାଇଁ ସରକାରୀସ୍ତରରେ ବିଭିନ୍ନ ସୁବିଧା ଯୋଗାଇ ଦିଆଯାଉଛି। ଚାଷୀଙ୍କୁ ବେଶୀ ପରିଶ୍ରମ କରିବାକୁ ପଡୁ ନାହିଁ କି ଖର୍ଚ୍ଚ କରିବାକୁ ହେଉ ନାହିଁ।
ବର୍ଷକୁ ଜଣେ ଚାଷୀ ଲକ୍ଷେ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରୁଛି। ଏମିତି ଏକ ପରୀକ୍ଷା ମୂଳକ ଭାବେ କିଛି ଚାଷୀଙ୍କୁ କଦଳୀ ଚାଷ କରିବାକୁ ବୁଝାଯାଇଥିଲା। ସେମାନଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି ଉଦ୍ୟାନ କୃଷି ବିଭାଗ ଓ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ତୁମୁଡିବନ୍ଧ ବ୍ଳକ ଖମଣାପଡା ଗାଁରୁ ୫୮ ଜଣ ଚାଷୀ କଦଳୀ ଚାଷ କରିବାକୁ ଆଗେଇ ଆସିଥିଲେ। ପ୍ରତି ଚାଷୀଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଚମ୍ପା ଓ ଗ୍ରାଣ୍ଡ ଏନ୍ ୩୦୦ଟି ଲେଖାଏଁ କଦଳୀ ଚାରା ଯୋଗାଇ ଦିଆଯାଇଥିଲା। ଆଉ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ବାଡ ଏବଂ ସାର ଓ କୀଟନାଶକ ସୁବିଧା କରାଯାଇଥିଲା। ଚାଷୀମାନେ ନିଜର ଜାଗାରେ କଦଳୀ ଚାଷ କରିଥିଲେ । ୮-୯ ମାସ ପରେ କଦଳୀ ଫଳିଲା।
ଗୋଟିଏ କଦଳୀ କାନ୍ଧିର ଓଜନ ୨୦ରୁ ୨୫ କିଲୋ। କିଲୋ ପିଛା ୧୦ରୁ ୧୫ ଟଙ୍କା ଟଙ୍କାରେ ଚାଷୀ କଦଳୀ ବିକ୍ରି କଲେ। ଗୋଟିଏ କାନ୍ଧିରେ ଅତି କମରେ ୫୦ରୁ ୬୦ ଟଙ୍କା ଖର୍ଚ୍ଚ ହେଲା। ହେଲେ ଗୋଟିଏ କାନ୍ଧିକୁ ଚାଷୀ ବିକ୍ରି କଲା ୨୦୦ରୁ ୨୫୦ ଟଙ୍କାରେ। କହିବାକୁ ଗଲେ ଜଣେ ଚାଷୀ ବର୍ଷକୁ ଏକ ଲକ୍ଷରୁ ଅଧିକ ଟଙ୍କା ପାଇବାକୁ ସକ୍ଷମ ହୋଇଛି। ଏହି ମାନଙ୍କ ମଧ୍ୟରୁ ଜଣେ ସଫଳ କଦଳୀ ଚାଷୀ ହେଉଛନ୍ତି ସୁବଳ ପାତ୍ର। ଯିଏ କି ପ୍ରଥମେ କଦଳୀ ଚାଷ କରିବାକୁ ଆଗେଇ ଆସିଥିଲେ।
/sambad/media/post_attachments/wp-content/uploads/2020/12/plbdcm13-bananana-1.jpg)
ସୁବଳଙ୍କ କହିବା ଅନୁଯାୟୀ ସେ କଦଳୀ ଚାଷରୁ ଲକ୍ଷେ ଟଙ୍କାରୁ ଅଧିକ ପାଇଛନ୍ତି। ପୂର୍ବରୁ ଯେଉଁ ଜାଗାରେ ସୋରିଷ ଓ ମକା ଚାଷ କରି ମାତ୍ର ୧୦ରୁ ୧୫ ହଜାର ଟଙ୍କା ପାଉଥିଲେ। ଏହି ଚାଷୀଙ୍କ କଦଳୀ ଚାଷ ଲାଭ ଦେଖି ବହୁ ଚାଷୀ ଏବେ କଦଳୀ ଚାଷ କରିବାକୁ ମନ ବଳାଇଛନ୍ତି। ହେଲେ କଦଳୀ ଚାଷକୁ ମନରେଗାରେ ସାମିଲ କଲେ ଆହୁରି ଅଧିକ ଚାଷ କଦଳୀ ଚାଷ କରନ୍ତେ ବୋଲି ଶ୍ରୀ ପାତ୍ର କହିଛନ୍ତି। ପୂର୍ବରୁ କଦଳୀ ଚାଷ କେବଳ ନିଜ ବାଡିରେ ହେଉଥିଲା। ଏବେ ଚାଷୀମାନେ ଚାଷ ଜମିରେ କଦଳୀ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଚଳିତ ବର୍ଷ କନ୍ଧମାଳରେ ୫୦୦ ଏକର ଜାଗାରେ କଦଳୀ ଚାଷ ହୋଇଛି।
ଆଗାମୀ ବର୍ଷଗୁଡିକରେ ଅଧିକ ଜାଗାରେ କଦଳୀ ଚାଷ ହେବ ବୋଲି ଆଶା ରହିଛି ବୋଲି ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ଦାସ କହିଛନ୍ତି। କେବଳ ଦୀର୍ଘ ମିଆଦି ଚାଷକୁ ମନରେଗାରେ ସାମିଲ କରାଯାଇଛି। କଦଳୀ ଚାଷ ସ୍ବଳ୍ପ ମିଆଦି ହୋଇଥିବାରୁ ସରକାରଙ୍କ ନିୟମ ଅନୁଯାୟୀ ଏହା ମନରେଗାରେ ସାମିଲ ହେବାର ନାହିଁ। କଦଳୀ ଚାଷ ଅନ୍ୟ ଚାଷଠାରୁ ଅଧିକ ଲାଭଜନକ ଚାଷ। ତେଣୁ କନ୍ଧମାଳର ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଅଧିକ ଚାଷୀ କଦଳୀ ଚାଷ କରିବାକୁ ଆଗେଇ ଆସିବାକୁ ସେ ପରାମର୍ଶ ଦେବା ସହ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/banana-agri-13_Thumb.jpg)