ବଣ୍ଡାଘାଟିର ବିକଳ ଚିତ୍ର: ବର୍ଷ ବର୍ଷ ଧରି ପିଉଛନ୍ତି ଚୁଆ ପାଣି

ପ୍ରଶାସନ ସବୁ ଜାଣି ଅଜଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁର୍ଗମ ଖଇରପୁଟ ବ୍ଲକର ବଣ୍ଡାଘାଟିର ବିକଳ ଚିତ୍ର ବହୁ ଥର ସମ୍ବାଦରେ ଖବର ପ୍ରକାଶ ପାଇଛି।ସେହି କ୍ରମରେ ବଣ୍ଡାଘାଟିର ବହୁ ଗ୍ରାମ କିପରି ପାଣି ପାଇଁ ଡହଳ ବିକଳ ହେଉଛନ୍ତି ତାହାର ନଗ୍ନ ଚିତ୍ର ଆମେ ବଣ୍ଡାଘାଟିରେ ଦେଖିଥିଲୁ।ସ୍ବାଧିନତାର ସାତ ଦଶନ୍ଧି ବିତିଯାଇଥିଲେ ମଧ୍ୟ ବଣ୍ଡାଘାଟିରେ ପାନୀୟ ଜଳର ସୁବିଧା ହୋଇପାରିଲା ନାହିଁ।ଏବେ ବି ବଣ୍ଡାଘାଟିରେ ଲୋକେ ଚୁଆ ଓ ପାହାଡି ଝରଣା ଉପରେ ହିଁ ନିର୍ଭର କରି ରହୁଛନ୍ତି।ପାଣି ପାଇଁ ମାଇଲ ମାଇଲ ବାଟ ଚାଲିବାକୁ ପଡୁଛି। ଜଙ୍ଗଲି ରାସ୍ତା ଦେଇ ସକାଳ ଠାରୁ ଆରମ୍ଭ କରି ସଂଧ୍ୟା ପର୍ଯ୍ୟନ୍ତ ଗ୍ରାମର ବଣ୍ଡା ମହିଳାମାନେ ପାଣି ନେଉଥିବା ଦେଖିବାକୁ ମିଳେ। ବାରମ୍ବାର ଗ୍ରାମବାସୀ ଏନେଇ ପ୍ରଶାସନକୁ ଜଣାଇଲେ ମଧ୍ୟ କେହି ଶୁଣୁ ନଥିବା କୁହାଯାଇଛି। ବର୍ଷ ବର୍ଷ ଧରି ଲୋକେ ଦୂଷିତ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଏ ନେଇ ବିଭାଗୀୟ ଅଧିକାରୀମାନେ ସବୁ ଜାଣିଥିଲେ ମଧ୍ୟ ଗାଁଗୁଡିକକୁ ଯୋଗାଯୋଗର ମାଧ୍ୟମ ନଥିବାରୁ ସମସ୍ୟାର ସମାଧାନ କରାଯାଇପାରୁ ନଥିବା ସ୍ବୀକାର କରିଛନ୍ତି।

ବଣ୍ଡାଘାଟିର ପାଣ୍ଡାଜଂଗଲ ଗ୍ରାମ।ଏହି ଗ୍ରାମରେ ବାସ କରୁଥିବା ପଚାଶରୁ ଉର୍ଦ୍ଧ୍ବ ପରିବାର ପାଖରେ ବୋହିଯାଉଥିବା ଝରଣା ପାଣି ଉପରେ ନିର୍ଭର କରୁଥିବା ଦେଖିବାକୁ ମିଳିଛି।ଏହି ଝରଣା ପାଣି ହିଁ ଏହି ଗ୍ରାମବାସୀଙ୍କ ଜୀବନ ବଞ୍ଚାଇ ରଖିଛି।ବର୍ଷ ବର୍ଷ ଧରି ଏହି ଝରଣା ପାଣି ବଣ୍ଡା ସଂପ୍ରଦାୟକୁ ଜୀବିତ ରଖିଛି କହିଲେ ଅତ୍ୟୁକ୍ତି ହେବ ନାହିଁ।କେବଳ ପିଣ୍ଡାଜଂଗଲ ଗ୍ରାମ ନୁହେଁ ତୁସେଇପଡା,ରାମଲିପଡା,ବଣ୍ଡାପଡା, ସମ୍ବଲପୁର,କାତପଡା ଭଳି ଅନେକ ଗ୍ରାମରେ ପାନୀୟ ଜଳର କୌଣସି ସୁବିଧା ନାହିଁ।ପାହାଡିଆ ଖାଲଖମା ରାସ୍ତା ଦେଇ ମହିଳାମାନେ ପାଣି ପାଇଁ ମାଇଲ ମାଇଲ ବାଟ ଚାଲୁଛନ୍ତି।

ଏଥିରେ ପରିବାରର ଛୋଟ ଛୋଟ ଝିଅମାନେ ମଧ୍ୟ ସହଯୋଗ କରୁଥିବା ଦେଖିବାକୁ ମିଳେ।ଖରାଦିନ ହେଲେ କୌଣସି ପ୍ରକାରେ ଝରଣା ପାଣି ସଫା ଥିବାରୁ ସବୁ କାମ ଚଳିଯାଏ କିନ୍ତୁ ବର୍ଷା ଦିନ ହେଲେ ଗୋଳିଆ ପାଣି ପିଇବାକୁ ଲୋକେ ବାଧ୍ୟ ହେଉଥିବା କହିଥିଲେ।ଦୂଷିତ ପାଣି ପିଉଥିବାରୁ ଗ୍ରାମର ଲୋକେ ସଂକ୍ରାମକ ରୋଗର ଶିକାର ହୋଇ ଆକାଳରେ ମୃତ୍ୟୁବରଣ କରୁଥିବା କହିଥିଲେ।ରାତି ହେଲେ ଜଂଗଲି ଜନ୍ତୁଙ୍କ ଭୟ।ତେଣୁ ସଂଧ୍ୟା ପୂର୍ବରୁ ଦଳ ଦଳ ହୋଇ ମହିଳା ପାଣି ଆଣିବାକୁ ଯାଇଥାନ୍ତି।ସେହି ଝରଣା ପାଣିକୁ ଲୋକେ ବ୍ୟବହାର କରୁଥିବା ବେଳେ ଗାଈଗୋରୁ ମଧ୍ୟ ବ୍ୟବହାର କରୁଛନ୍ତି।ଗାଁରେ ଥିବା ନଳକୂପ କେବେ ଠାରୁ ଖରାପ ହୋଇ ପଡିଛି ଲୋକେ ଜାଣିନାହାନ୍ତି।ନିଜର ଭାଗ୍ୟକୁ ଆଦରି ଏଠାରେ ବଣ୍ଡା ସଂପ୍ରଦାୟର ଲୋକେ ବଂଚି ରହିଛନ୍ତି।ପୋକ ସାଲୁବାଲୁ ହେଉଥିବା ପାଣିକୁ ନେଇ ମଧ୍ୟ ସେମାନେ ପିଇବାକୁ ବାଧ୍ୟ ହେଉଛନ୍ତି।

ବଣ୍ଡାଘାଟିରେ ଉତ୍କଟ ପାନୀୟ ଜଳର ସମସ୍ୟା ରହିଥିବା ବିଭାଗୀୟ ଅଧିକାରୀମାନେ ପରୋକ୍ଷରେ ହେଉ ବା ପ୍ରତ୍ୟକ୍ଷରେ ହେଉ ସ୍ବୀକାର କରିଛନ୍ତି।ଘାଟିରେ ଅନେକ ଗ୍ରାମକୁ ରାସ୍ତା ନଥିବାରୁ ନଳକୂପ ଖନନ କରାଯାଇପାରୁନଥିବା କୁହାଯାଇଛି।ପାହାଡିଆ ପାଣିକୁ ଗାଁକୁ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।କିଛି ଗ୍ରାମକୁ ଏଭଳି ସୁବିଧା କରାଯାଇଛି ବୋଲି କୁହାଯାଇଛି।ଦୂଷିତ ପାନୀୟ ଜଳକୁ କିପରି ବିଶୁଦ୍ଧ କରାଯାଇ ଲୋକଙ୍କୁ ପ୍ରଦାନ କରାଯିବ ସେନେଇ ଚିନ୍ତା କରାଯାଉଥିବା କୁହାଯାଇଛି।ଚଳିତ ବର୍ଷ ବଣ୍ଡାଘାଟିରେ ୬ଟି ନଳକୂପ ଖନନ କରାଯିବା ନେଇ ପ୍ରସ୍ତାବ ରହିଥିବା କୁହାଯାଇଛି।ଆଗାମୀ ଦିନରେ ଧିରେ ଧିରେ ପାନୀୟ ଜଳର ସମସ୍ୟା ଦୂର କରାଯିବ ବୋଲି କୁହାଯାଇଛି।ତେବେ ଏତେ ବର୍ଷ ବିତିଯାଇଥିଲେ ମଧ୍ୟ ପାନୀୟ ଜଳର ସମସ୍ୟା ପ୍ରଶାସନ କରିପାରିଲା ନାହିଁ।ଏବେ ପୁଣି ଧିରେ ଧିରେ କରିବ ବୋଲି ପ୍ରତିଶ୍ରୁତି ଦେଉଛି।ଏହାକୁ ନେଇ ଲୋକେ କିନ୍ତୁ ବିଶୁଦ୍ଧ ପାନୀୟ ଜଳ ପାଇବା ନେଇ ସ୍ବପ୍ନ ଦେଖୁନାହାନ୍ତି।ଯେମିତି ଚଳି ଆସୁଛନ୍ତି ସେହିପରି ଚଳିବେ ବୋଲି କହିଥିଲେ।ଅନ୍ୟ ଦିଗରେ ବଣ୍ଡାଙ୍କ ବିକାଶ ନେଇ ବଣ୍ଡା ଉନ୍ନୟନ ସଂସ୍ଥା ମଧ୍ୟ ରହିଛି।କିନ୍ତୁ ଏହି ସଂସ୍ଥା ତରଫରୁ କି କି କାର୍ଯ୍ୟକ୍ରମ କରାଯାଉଛି କାହାକୁ ଅବଗତ ନାହିଁ।କୋଟି କୋଟି ଟଂକା ବଣ୍ଡା ସଂପ୍ରଦାୟର ଲୋକଙ୍କ ପାଇଁ ଆସୁଥିବା ବେଳେ ତାହା କେଉଁ ଆଡେ ଖର୍ଚ୍ଚ ହେଉଛି ତାହା ଏବେ ତଦନ୍ତ ସାପେକ୍ଷ।

ସମ୍ବନ୍ଧିତ ଖବର