ପାଣି ପାଇଁ ୩ ବର୍ଷ ହେଲା ହଟହଟା ହେଉଛି ବଣ୍ଡାଗୁଡା; ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ୧୮୦ ପରିବାର

କୋରାପୁଟ: କହି କହି ଥକିଲେ, ହେଲେ ପାଣି ଟୋପାଏ ମିଳୁନି। ବର୍ଷକ ଅନ୍ୟ ଦିନେ ଯେମିତି ସେମିତି ଚଳି ଯାଉଥିବାବେଳେ ଗ୍ରୀଷ୍ମ ଦିନେ ନାହିଁ ନ ଥିବା ହଇରାଣ ହେଉଛନ୍ତି କୋରାପୁଟ ବ୍ଲକ ମସ୍ତିପୁଟ ଅଞ୍ଚଳ ଅନ୍ତର୍ଗତ ବଣ୍ଡାଗୁଡା ବାସିନ୍ଧା। ପାଣି ସମସ୍ୟା ନେଇ ବହୁ ବାର ବିଡିଓ ଓ ଉପଜିଲ୍ଲାପାଳଙ୍କୁ ଗୁହାରି କରି ବିଫଳ ହେବା ପରେ ଏବେ ଜିଲ୍ଲାପାଳଙ୍କୁ ଘେରିଛନ୍ତି ଶହଶହ ମହିଳା। ଆଜି ବଣ୍ଡାଗୁଡା ଗାଁର ହରିଜନ ସାହି ଓ ଆଦିବାସୀ ସାହିର ଶତାଧିକ ମହିଳା ଓ ପୁରୁଷ ଆସି ଜିଲ୍ଲାପାଳ ଅବଦ୍ଦଲ ଏମ୍‌. ଅଖତରଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ ବଣ୍ଡାଗୁଡା ଗାଁର ଦୁଇଟି ସାହିରେ ୧ଶହରୁ ଅଧିକ ଲୋକ ରହୁଥିବାବେଳେ ମାତ୍ର ଦୁଇଟି ନଳକୂପ ରହିଛି। ସେଥିରୁ ଗୋଟିଏ ନଳକୂପ ଖରାପ ହୋଇ ଯାଇଥିବାବେଳେ ଗୋଟିଏରେ ପଚା ପାଣି ଆସୁଛି। ଏହାସହ ଖରାଦିନେ ଏହା ଶୁଖିଯାଉଥିବାରୁ ଲୋକେ ନିକଟରେ ରହିଥିବା ଜଳସ୍ରୋତରୁ ପାଣି ସଂଗ୍ରହ କରି ବ୍ୟବହାର କରୁଛନ୍ତି।

ଫଳରେ ବିଭିନ୍ନ ରୋଗରେ ପଡି ଜୀନ ହାନି ହେଉଛି। ହରିଜନ ସାହିରେ ୧ଶହଟି ପରିବାର ଓ ଆଦିବାସୀ ସାହିରେ ୮୦ରୁ ଅଧିକ ପରିବାର ରହୁଛନ୍ତି। ଗୋଟିଏ ନଳକୂପ ଉପରେ ସାରା ଗାଁଟାର ଲୋକ ନିର୍ଭର କରୁଥିବାରୁ ଏହା ମଧ୍ୟ ଖରାପ ହୋଇଯାଉଥିବା ଜଣାପଡିଛି। ତେଣୁ ତୁରନ୍ତ ଏହି ଗାଁରେ ପାଣି ଯୋଗାଇ ଦେବାକୁ ଦାବି କରାଯାଇଛି। ଏନେଇ ଗାଁର ମହିଳା ଲୋକ ବିକାଶ ମଞ୍ଚ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଥିଲେ। ଏଥିରେ ଗାଁର ରେତମ ଚେଟ୍ଟି, ସାବିନା ସାଗର, ଦିନମଣି ବେନିଆ, ତୁଳା ଖରା, ଜମୁନା ବେନିଆ, ରତ୍ନା ବେନିଆ, ବତି ଖରା, ପଦ୍ମା ଚେଟ୍ଟି ପ୍ରମୁଖ ଆସି ଦାବି ଜଣାଇଛନ୍ତି। ଯଦି ଆସନ୍ତା ସପ୍ତାହେ ମଧ୍ୟରେ ଏହାର ସମାଧାନ କରା ନ ଯାଏ ତେବେ ସବୁ ମହିଳାମାନେ ରାଜରାସ୍ଥାକୁ ଓହ୍ଲାଇବେ ବୋଲି କହିଛନ୍ତି।

 

ସମ୍ବନ୍ଧିତ ଖବର