କରୋନା କାହାଣୀ: କୁକୁଡ଼ା କାଟୁଛନ୍ତି ବ୍ୟାଣ୍ତ ପାର୍ଟି ମାଲିକ

ଡେରାବିଶ: ହରଗୈାରୀ ବ୍ରାସବ୍ୟାଣ୍ତ ପାର୍ଟି ବେଶ ନାଁ କମାଇଥିଲା। ମାଲିକ ଡେରାବିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ଗ୍ରାମର ନରୋତ୍ତମ ରାଉତ(୪୩)ତାଙ୍କ ବ୍ୟାଣ୍ଡ ପାର୍ଟି ପାଇଁ ବେଶ୍‌ ଜଣାଶୁଣା ଥିଲେ। କେନ୍ଦ୍ରାପଡା ସମେତ କଟକ, ଜଗତସିଂହପୁର ଓ ଯାଜପୁର ଜିଲ୍ଲାରେ ତାଙ୍କର ବେଶ ଚାହିଦା ଥିଲା। ଏଥିରୁ ହେଉଥିବା ରୋଜଗାରରେ ପରିବାର ଚଳୁଥିଲା। ହେଲେ କରୋନା ମହାମାରୀ ସବୁକିଛି ଉଜାଡି ଦେଇଥିଲା। ଭବିଷ୍ୟତର ସ୍ବପ୍ନ ଭାଙ୍ଗି ଚୂରମାର ହୋଇଯିବା ସହିତ ଦୀର୍ଘ ମାସ ଧରି ରୋଜଗାର ବନ୍ଦ ହୋଇଗଲା। ପରିବାର ପ୍ରତିପୋଷଣରେ ସମସ୍ୟା ଉପୁଜିଲା। ଶେଷରେ ନିଜ ବ୍ୟାଣ୍ତ ପାର୍ଟିରେ ନିଯୁକ୍ତି ଦେଇଥିବା ପିଲାମାନଙ୍କୁ ଛଟେଇ କରିବାକୁ ବାଧ୍ୟ ହୋଇଥିଲେ।

ସମସ୍ୟାର ଜଟିଳତାକୁ ଦେଖି ନିଜ ପାର୍ଟିର ଯନ୍ତ୍ରାଂଶ ବିକ୍ରି କରିବାକୁ ମନସ୍ଥ କରିଥିଲେ ମଧ୍ୟ ଏହାକୁ କିଣିବାକୁ କେହି ରାଜି ହୋଇ ନଥିଲେ। ଶେଷରେ ନିଜ ବ୍ୟାଣ୍ତପାର୍ଟିର ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶକୁ ଛଂଚିଣାସ୍ଥିତ ଘରେ ତାଲା ପକାଇ ସ୍ବଳ୍ପ ସଂଚିତ ଅର୍ଥରୁ ଏକ ଚିକେନ ସେଂଟର ଖୋଲିବାକୁ ମନସ୍ଥ କରିଥିଲେ। କିଛିମାସ ହେଲା ଅଂଚଳର ବିଭିନ୍ନ ଫାର୍ମରୁ କୁକୁଡା ଅଣି ବିକ୍ରି କରୁଛନ୍ତି। ଯାହା ଦି’ ପଇସା ରୋଜଗାର ହେଉଛି କୈାଣସି ପ୍ରକାରେ ପରିବାରକୁ ଆହାର ଯୋଗାଇ ପାରୁଛି ବୋଲି ନରୋତ୍ତମ କହିଛନ୍ତି। ସରକାର ତୁରନ୍ତ ବ୍ରାସବ୍ୟାଣ୍ତ ବ୍ୟବସାୟକୁ କଟକଣା ମୁକ୍ତ କରିବା ପାଇଁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର