ଗୋପ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରଚାରର ଉଷ୍ଣତା ଜମିଗଲାଣି । ଭ‌ୋଟରମାନଙ୍କୁ ନିଜର କରିବା ପାଇଁ ନେତାମାନେ ଅଭି‌ନବ ଉପାୟ ଅବଲମ୍ବନ କରୁଛନ୍ତି। ଏବେ ମତଦାତାଙ୍କୁ ମିଠା ମିଠା କଥା କହି ନେତାମାନେ ନିଜର କରୁଛନ୍ତି। ପ୍ରତିଶ୍ରୁତି ଦେଉଛନ୍ତି। ଏଥି ସହିତ ଟଙ୍କା ବାଣ୍ଟିବା ମଧ୍ୟ ଆରମ୍ଭ କରିଦେଇଛନ୍ତି ବୋଲି ଖବର ଆସୁଛି।

Advertisment

ନିର୍ବାଚନରେ ମତଦାତାଙ୍କୁ ନଗଦ ଟଙ୍କା ବଣ୍ଟାଯିବା କଥା ନିଶ୍ଚିତ ଶୁଣିଥିବେ, କିନ୍ତୁ ବ୍ୟାଙ୍କ ଚେକ୍‌ ବାଣ୍ଟିବା ସଂପର୍କରେ ଜାଣି ନଥିବେ। ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନୂଆଖୋଲମରା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଉପେନ୍ଦ୍ର କାନୁନ୍‌ଗୋ ମହିଳା ଭୋଟ ହାତେଇବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବ୍ୟାଙ୍କ ଚେକ୍‌ ବାଣ୍ଟିବା ନେଇ ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ସରପଞ୍ଚ ପ୍ରାର୍ଥୀ ମହିଳା ଗୋଷ୍ଠୀଙ୍କୁ ତିନି ହଜାର ଟଙ୍କାର ଚେକ୍‌ ଦେଇ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବୈତରଣୀ ପାର ହେବା ପାଇଁ ଯୋଜନା କରିଛନ୍ତି ବୋଲି ଚର୍ଚ୍ଚା ହେଉଛି।

publive-image ସରପଞ୍ଚ ପ୍ରାର୍ଥୀ ଉପେନ୍ଦ୍ର କାନୁନ୍‌ଗୋ

ଜଣେ ମହିଳା ଗଣମାଧ୍ୟମକୁ କହିଛନ୍ତି ଯେ, ସରପଞ୍ଚ ପ୍ରାର୍ଥୀ ବଳପୂର୍ବକ ଆମକୁ ବ୍ୟାଙ୍କ ଚେକ୍‌ ଦେଇଯାଇଛନ୍ତି। ବିଶେଷ ଭାବେ ମହିଳା ଗ୍ରୁପ୍‌ ମାନଙ୍କୁ ୩୦୦୦ ଟଙ୍କିଆ ବ୍ୟାଙ୍କ ଚେକ ଦେଇଛନ୍ତି। ସେ ଟଙ୍କା ଦେଇ ଭୋଟ୍‌ ମାଗିଛନ୍ତି। ଆମେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବୁ। 

ତେବେ ମହିଳାମାନେ ଏହାକୁ  ପ୍ରତ୍ୟାଖ୍ୟାନ କରିବା ସହ କଳା ଟଙ୍କା ବିରୋଧରେ ମୁହଁ ଖୋଲି ବିରୋଧ କରିଛନ୍ତି। ଏହି ପ୍ରାର୍ଥୀ ଜଣକ ଭୋଟରଙ୍କୁ ପ୍ରଲୋଭିତ କରିବା ସହ ନିଜ ସପକ୍ଷରେ ଭୋଟ ଦେବା ପାଇଁ ଷ୍ଟେଟବ୍ୟାଙ୍କର ଚେକ୍‌କୁ ବ୍ୟବହାର କରୁଥିବା ନେଇ ଚର୍ଚ୍ଚା ହେଉଛି। ଏକ ବ୍ୟାଙ୍କ ଚେକ୍‌ରେ ପ୍ରାର୍ଥୀଙ୍କର ଦସ୍ତଖତ ଥିବା ‘ସମ୍ବାଦ’ର ସ୍ଥାନୀୟ ପ୍ରତିନିଧିଙ୍କୁ ହସ୍ତଗତ ହୋଇଛି। ତେବେ ସରପଞ୍ଚ ପ୍ରାର୍ଥୀ ଉପେନ୍ଦ୍ର କାନୁନଗୋଙ୍କୁ ଏ ବାବଦରେ ପଚାରିବାରୁ ସେ କହିଛନ୍ତି ଯେ,  ମୋର ବ୍ୟାଙ୍କ ଚେକ୍‌ ବୁକ୍‌ ହଜିଯାଇଛି। ଆସନ୍ତାକାଲି (ଜାନୁଆରି ୩୦) ଥାନାରେ ଏତଲା ଦେବି।

ଅନ୍ୟପଟରେ ଏହି ବ୍ୟାଙ୍କ ଚେକ୍‌ ଭୋଟ୍‌ ହାତେଇବା ପାଇଁ ବ୍ୟବହାର ହୋଇଛି କି ଅନ୍ୟ କେଉଁ କାମ ଲାଗି ତାହା ତଦନ୍ତ ପରେ ଯାଇ ଜଣାପଡ଼ିବ। ଏହି ମାମଲା ନେଇ ରାଜ୍ୟ ନିର୍ବାଚନ କମିସନ୍‌ ଅବଗତ ହୋଇସାରିଛନ୍ତି। ନିର୍ବାଚନ କମିସନ୍‌ ଏହାର ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି।