ସୁନ୍ଦରଗଡ଼: କରୋନା ସହ ଯୁଦ୍ଧ କରି ହାରି ଯାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ଦୀପାଳି ପଟେଲ (୩୪)। ବ୍ୟାଙ୍କର ବସଷ୍ଟାଣ୍ଡ ଶାଖାରେ ସେ ସହକାରୀ ଭାବେ କାର୍ଯ୍ୟ କରୁଥିଲେ। ଦୀପାଳି କୋଭିଡ୍ ସଂକ୍ରମିତ ଜଣାପଡ଼ିବା ପରେ ସୁନ୍ଦରଗଡ଼ ଏନଟିପିସି କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିବାକୁ ତାଙ୍କୁ ଗତ ୧୩ ତାରିଖରେ ରାଉରକେଲାସ୍ଥିତ ଜେପି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା। ଖବର ପାଇବା ପରେ ବ୍ୟାଙ୍କ କର୍ମଚାରୀ ମହଲରେ ଶୋକର ଛାୟା ଖେଳି ଯାଇଛି।
ଏହି ଅବସରରେ ଆଜି ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ସାଧାରଣସମ୍ପାଦକ ପ୍ରଦ୍ୟୁମ୍ନ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକସଭାରେ ସ୍ବର୍ଗୀୟା ପଟେଲଙ୍କ ସ୍ମୃତିଚାରଣ ସହ ଗଭୀର ଶୋକ ପ୍ରକାଶ କରାଯାଇଥିଲା। ରାଜ୍ୟ ସରକାରଙ୍କ ଘୋଷିତ ଆଗୁଆ କରୋନା ଯୋଦ୍ଧା ଦୀପାଳିଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ସଂଘ ଦାବି କରିଥିଲା। ଏହା ସହ ବ୍ୟାଙ୍କର ସମସ୍ତ ସ୍ଥାୟୀ କର୍ମଚାରୀ, କମ୍ପ୍ୟୁଟର ଅପରେଟର୍, ସୁରକ୍ଷାକର୍ମୀ, ୪୪ଟି ଲ୍ୟାମ୍ପସର ସମସ୍ତ କର୍ମଚାରୀମାନଙ୍କୁ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଭାବେ ଟିକା ଦେବାର ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା। ଶୋକସଭାରେ ସଂଘର ଗୋପାଳ ସାହୁ, ଅଶୋକ ପଶାୟତ, ଯଶୀଳ ନାଏକ, ବିଦର ପଣ୍ଡା, ଦିଲୀପ ଶର୍ମା, ଅଜୟ ପଣ୍ଡିତ, ଝରଣା ତାଜନ, ଶ୍ରୀକାନ୍ତ ସାହୁ, ବିଥିକା କମାର ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/007e2d5e-7f5a-4ee4-b303-027473b84650.jpg)