ଜୟପୁର: ଭିନ୍ନକ୍ଷମଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ସେମାନେ ଆର୍ଥିକସ୍ତରରେ ସଶକ୍ତ ହେବା ପାଇଁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଋଣର ସହାୟତା ବି ଦିଆଯାଉଛି। ତେବେ ଜୟପୁର ବ୍ଲକରେ ଏହା କେତେ ଦୁର ସଫଳ ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ। କିଭଳି ବ୍ୟାଙ୍କ କର୍ତ୍ତୃପକ୍ଷ ଭିନ୍ନକ୍ଷମ ହିତାଧିକାରୀଙ୍କୁ ହତାଧର କରି ଋଣ ଦେବା ବଦଳରେ ବାରମ୍ବାର ଦିନ ପରେ ଦିନ ବୁଲାଇ ଦେଉନଥିବା ଅଭିଯୋଗ କରି ଭିନ୍ନକ୍ଷମ ହିତାଧିକାରୀମାନେ ଜୟପୁର ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଜୟପୁର ବ୍ଲକର କଙ୍ଗା ପଞ୍ଚାୟତର ଡୁମୁରାଗୁଡା, ସାନମୁଣ୍ଡାଗୁଡାର ୯ଜଣ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଡିଆରଆଇ ଲୋନ ଦେବା ପାଇଁ ବ୍ଲକ ପ୍ରଶାସନ ଋଣ ଆବେଦନର ଅନୁମୋଦନ କରି ସ୍ଥାନୀୟ ଏକ ବ୍ୟାଙ୍କକୁ ପଠାଇଥିଲେ।
ତେବେ ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି-କାଲି ହେବ ବୋଲି ଗତ ୫ମାସ ହେବ ବୁଲାଉଥିବା ଅଭିଯୋଗ କରିଛନ୍ତି କଙ୍ଗା ପଞ୍ଚାୟତ ଡୁମୁରାଗୁଡା ଗାଁର ସଦା ଗାଧବା, ସାନମୁଣ୍ଡାଗୁଡାର ଗୁରୁବନ୍ଦୁ ହରିଜନ, କୃଷ୍ଣ ଅମନାତ୍ୟ, ଡମ୍ବୁରୁ ଅମନାତ୍ୟ, ମଣିମା ଗୌଡ଼। ଏହି ଭିନ୍ନକ୍ଷମ ହିତାଧିକାରୀ ମାନେ ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କୁ ଭେଟି ଏହି ଅଭିଯୋଗ କରିବା ସହ ଆମେ ବି ମଣିଷ ଆମେ ବି ସମାଜରେ ମୁଖ୍ୟସ୍ରୋତରେ ବଞ୍ଚିବାକୁ ଚାହୁଁଛୁ ବୋଲି କହିଥିଲେ। ଆମେ କାହାର ଦୟାର ପାତ୍ର ଭାବେ ନୁହେଁ ନିଜେ କଷ୍ଠ ପଡ଼ି ଆଗକୁ ବଢ଼ି ନିଜ ସଶକ୍ତ ହେବା ସହ ନିଜ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଚାହୁଁଛୁ ବୋଲି ଉପଜିଲ୍ଲାପାଳଙ୍କୁ କହିଥିଲେ। କେଉଁ ପରିସ୍ଥିତିରେ ଓ କାହିଁକି ବ୍ୟାଙ୍କ ଋଣ ଦେବାକୁ କୁଣ୍ଠାବୋଧ କରୁଛି ତାହାର ତଦନ୍ତ କରି ଭିନ୍ନକ୍ଷମମାନଙ୍କୁ ଯେଭଳି ଋଣ ମିଳି ପାରିବ ସେ ଦିଗରେ ସେ ପ୍ରୟାସ କରିବେ ବୋଲି ଉପଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ।