ଋଣ ପରିଶୋଧ କରିବାର ୧୦ ବର୍ଷ ପରେ ବି  ବନ୍ଧକ ଜମି ପଟ୍ଟା ବ୍ୟାଙ୍କ ଫେରାଉନି,  ତୁରନ୍ତ  ଫେରାଇବାକୁ ୟୁଥ ଫୋର ଆକ୍ସନର ଦାବି

ଜୟପୁର : ଋଣ ଟଙ୍କା ପରିଶୋଧ କରିବା ପରେ ବନ୍ଧକ ଜମି ପଟ୍ଟାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ତୁରନ୍ତ ଫେରାଇବାକୁ ୟୁଥ ଫୋର ଆକ୍ସନ ପକ୍ଷରୁ ଦାବି କରାଯାଇ ଏକ  ସ୍ମାରକପତ୍ର ପ୍ରଦାନ କରାଯାଇଛି। ୟୁଥ ଫୋର ଆକ୍ସନ କୋରାପୁଟ ଜିଲ୍ଲା ସହ-ସଂଯୋଜକ ଏ ଦୁର୍ଗା ପ୍ରସାଦଙ୍କ ନେତୃତ୍ୱରେ ଜିଲ୍ଲା ଗୋ ସୁରକ୍ଷା ବାହିନୀ ସଂଯୋଜକ କେଦାର ଦାସ,  ଜୟପୁର ମଣ୍ଡଳ ସଂଯୋଜକ ରମେଶ ବିଶୋଇ, ଅମରଲାଲ ଆହୁଜା, ପି ନବୀନ, ସୀମାଞ୍ଚଳ ସୁଆର ଗୌର ଦାଶ, ସୁବ୍ରତ ପଣ୍ଡା,ବିଷ୍ଣୁ ବର୍ଦ୍ଧନ ରେଡ୍ଡୀ, ସନ୍ତୋଷ ମହାପାତ୍ର ଆଦି ଭାଗ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପରିଚାଳକଙ୍କୁ ପ୍ରଦାନ କରିଥିଲେ।

ମିଳିଥିବା ସୂଚନା ମୁତାବକ, ବୈପାରୀଗୁଡା ବ୍ଲକର ମହୁଲି ପଞ୍ଚାୟତ ତୋଳା ମାଳିଗୁଡା ଗ୍ରାମର ଚାଷୀ ଭଗବାନ ମାଳି, ହରି ମାଳି, ଓ କେଶବ ମାଳି ଗତ ୧୪ ବର୍ଷ ତଳେ ଜୟପୁର ଏସବିଆଇ ମୁଖ୍ୟ ଶାଖାରୁ ଚାଷୀ ଋଣ ନେଇଥିଲେ। ଏଥି ପାଇଁ ଏମାନେ ଜମିର ପଟ୍ଟାକୁ ବନ୍ଧକ ଭାବେ ବ୍ୟାଙ୍କରେ ଦାଖଲ କରିଥିଲେ।  ଋଣ ନେବାର ୩ ବର୍ଷ ମଧ୍ୟରେ ସେମାନଙ୍କ ସମ୍ପୂର୍ଣ୍ଣ ଋଣକୁ ସେମାନେ ପରିଶୋଧ କରିଦେଇଥିଲେ।  ତେବେ ଏହା ପର ଠାରୁ ଅର୍ଥାତ ଗତ ୧୦ବର୍ଷ ହେବ ନିଜ ଜମିର ପଟ୍ଟା ପାଇବା ପାଇଁ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ବି ସେମାନେ ନିଜ  ଜମିପଟ୍ଟା ପାଇ ପାରୁନଥିବା ଭଗବାନ, ହରି ଓ କେଶବ ଅଭିଯୋଗ କରିଛନ୍ତି।  ଯାହାଦ୍ୱାରା ସେମାନେ ନିଜ ଜମିରେ ଉତ୍ପାଧିତ ଧାନ ଓ ମାଣ୍ଡିଆ ଆଦି  ମଣ୍ଡିରେ ବିକ୍ରି କରିପାରୁନାହାନ୍ତି। ସେମାନଙ୍କ ପରିବାର ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହି ସମସ୍ୟାର ଯଥା ଶୀଘ୍ର ସମାଧାନ କରି ସମ୍ପୃକ୍ତ ଚାଷୀଙ୍କୁ ତାଙ୍କ ଜମିପଟ୍ଟା ଫେରସ୍ତ କରିବା ପାଇଁ ୟୁଥ ଫୋର ଆକ୍ସନ ପକ୍ଷରୁ ଦାବି କରାଯାଇଛି ।  ନଚେତ ଆଗାମୀ ଦିନରେ ୟୁଥ ଫୋର ଅକ୍ସନ କୋରାପୁଟ ପକ୍ଷରୁ ଚାଷୀଙ୍କୁ ନେଇ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏଥି ପାଇଁ ବ୍ୟାଙ୍କ ଅଧିକାରୀ ହିଁ ସମ୍ପୂର୍ଣ ଭାବେ  ଦାୟୀ ରହିବେ ବୋଲି ଏମାନେ କହିଛନ୍ତି। ଏପରିକି ଏମାନଙ୍କ ଭଳି ଅନ୍ୟ ବହୁ ଚାଷୀ ମାନେ ଋଣ ପରିଶୋଧ କରିବା ପରେ ବି ଜମି ପଟ୍ଟା କାହିଁକି ଫେରସ୍ତ ଦିଆଯାଉନି ବୋଲି ଦୁର୍ଗା ପ୍ରସାଦ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର