ବାଙ୍କିବାହାଲ-ଟପରିଆ ରାସ୍ତାରେ ପ୍ରଦୂଷଣ ରୋକ ଏମିତି, ପିଚୁକରଣରୁ ଛତାବର ଗାଁ ସଡ଼କ ବାଦ୍

ସୁନ୍ଦରଗଡ଼: ବାଙ୍କିବାହାଲ-ଟପରିଆ ଗାଁ ରାସ୍ତାରେ କୋଇଲା ପରିବହନ ରୋକକୁ ନେଇ ଆଗତ ଜନସ୍ବାର୍ଥ ମାମଲାରେ ମାର୍ଚ୍ଚ ୧୭ରେ ଆସିଥିବା ହାଇକୋର୍ଟଙ୍କ ଆଦେଶ ପରେ ମାର୍ଚ୍ଚ ୨୪ରେ ହେମଗିର ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଭିନ୍ନ ପକ୍ଷଙ୍କ ସହ ଏ ସମ୍ପର୍କରେ ଆଲୋଚନା କରି ଟପରିଆ ରାସ୍ତାରେ କୋଇଲା, ଲୁହାପଥର ଓ ଅନ୍ୟ ଖଣିଜ ଦ୍ରବ୍ୟ ପରିବହନ ସମ୍ପର୍କିତ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ। ତନ୍ମଧ୍ୟରେ ପ୍ରଭାବିତ ରାସ୍ତାକୁ ସାମାଜିକ ଦାୟିତ୍ବବୋଧ କାର୍ଯ୍ୟକ୍ରମରେ ମରାମତି କରିବାକୁ ଜିନ୍ଦଲକୁ ନିର୍ଦ୍ଦେଶ ଥିଲା। ବିଶେଷ କରି ଗାଁ ମଧ୍ୟରେ ଥିବା ସଡ଼କକୁ ତୁରନ୍ତ ନିର୍ମାଣ କରି ଯାତାୟତ ସୁବିଧା ସହ ପରୋକ୍ଷରେ ପ୍ରଦୂଷଣ ରୋକିବାକୁ ଯୋଜନା ହୋଇଥିଲା।

ତେବେ ଗତ ମାସରେ କମ୍ପାନି ଉକ୍ତ ରାସ୍ତାରେ ମରାମତି ନାମରେ କାରଖାନାର ବର୍ଜ୍ୟଗୁଣ୍ଡ (ଡଷ୍ଟ) ପକାଉଥିବା ଦେଖାଯାଇଥିଲା। ଯାହାକୁ ଜନଶକ୍ତି ବିକାଶ ପରିଷଦ ବିରୋଧ କରିଥିଲା। ଏବେ ଗାଁ ମଧ୍ୟ ରାସ୍ତାର ପିଚୁକରଣ କାମ ଚାଲିଛି। କିନ୍ତୁ ଏଥିରୁ ଛତାବର ଗାଁକୁ ବାଦ୍ ଦିଆଯାଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଟପରିଆ ଠାରୁ ବାଙ୍କିବାହାଲ ରାସ୍ତା ମଧ୍ୟରେ ଥିବା ରତନପୁର, ଲୁଆବାହାଲ ଛକ, କନ୍ଦାଧୁଡ଼ା ଓ ଟପରିଆ ଗାଁ ରାସ୍ତାକୁ ପିଚୁ କରାଯାଇଛି। କିନ୍ତୁ ଛତାବର ଗ୍ରାମକୁ ଛାଡି ଦିଆଯାଇଛି।

ଏଠାରେ ରାସ୍ତା ଦଦରା ଓ ପ୍ରଦୂଷଣର ମାତ୍ରା ଅଧିକ ଥିବା ଓ ରାସ୍ତା କଡ଼ରେ ୨ଟି ଅଙ୍ଗନବାଡ଼ି, ଗୋଟିଏ ଉଚ୍ଚ ବିଦ୍ୟାଳୟ ଓ ଗୋଟିଏ ଆଦିବାସୀ ଛାତ୍ରାବାସ ରହିଥିବା ବେଳେ ପିଚୁକରଣ କରାନଗଲେ ଯାତାୟତ ଅସୁବିଧା ସହ ପ୍ରଦୂଷଣରେ ଏସବୁ ଅନୁଷ୍ଠାନ ସହ ଗାଁ ଧୂଳିଧୂଆଁରେ ଭର୍ତ୍ତି ହୋଇଯିବ ବୋଲି ଅଭିଯୋଗ ହୋଇଛି। ବିଭାଗ ଓ ନିର୍ମାଣକାରୀ ଛତାବରକୁ ବାଦ୍ ଦେଇଥିବାରୁ ଜନଶକ୍ତି ବିକାଶ ପରିଷଦ ସଭାପତି ବୀରେନ୍ଦ୍ର ପ୍ରଧାନ ଏହାର ତୀବ୍ର ସମାଲୋକନା କରିଛନ୍ତି। ଏହି ଗାଁ ରାସ୍ତାକୁ ପିଚୁ କରାନଗଲେ ପରିଷଦ ପୁଣି ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସୂଚନାଯୋଗ୍ୟ, ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ପକ୍ଷର ଆଲୋଚନା ପରେ ରାସ୍ତାରେ ସକାଳ ୬ରୁ ଅପରାହ୍ନ ୧ଟା ଯାଏ ସମସ୍ତ ଭାରୀଯାନ, ମଲ୍ଟି ଏକ୍ସେଲ ଚଳାଚଳ ବନ୍ଦ, ଭାରୀଯାନଗୁଡ଼ିକ ୨୦ କିଲୋମିଟର ବେଗରେ ପରସ୍ପର ଶହେ ମିଟର ବ୍ୟବଧାନରେ ରହି ଯାତାୟତ, ରାସ୍ତାରେ ୨୪ ଘଣ୍ଟିଆ ପାଣି ସିଞ୍ଚନ କରି ଗାଡ଼ି ଚଳାଚଳଜନିତ ଧୂଳିଧୂଆଁକୁ ପ୍ରଶମିତ କରିବା, ଗାଡ଼ିର ଗତି ନିୟନ୍ତ୍ରଣ ପାଇଁ ପ୍ରତି ଗାଁରେ ୱାଚ୍ ଗାର୍ଡ ମୁତୟନ, ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଜାରି କରିଥିଲେ। କିନ୍ତୁ ଏହା ମଧ୍ୟରେ ବହୁ ସମୟରେ ଭାରୀଯାନଗୁଡ଼ିକ ସର୍ତ୍ତ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଛତାବର ଗାଁ ରାସ୍ତାକୁ ପିଚୁକରଣରୁ ବାଦ୍ ଦେବା ଅଞ୍ଚଳରେ ପ୍ରତିକ୍ରିୟା ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର