ମାଲକାନଗିରିରେ ଆର୍ଥିକ ଦୁର୍ନୀତି : ଋଣ ନ ନେଇ ବି ଟଙ୍କା ଫେରାଇବା ପାଇଁ ଆସିଲା ନୋଟିସ, ବ୍ୟାଙ୍କ ବିରୋଧରେ ଥାନାରେ ଏତଲା ଦେଲେ ଲୋକେ

ମାଲକାନଗିରି: ନିରୀହ ଓ ସରଳ ଆଦିବାସୀ ଲୋକଙ୍କ ଜୀବନ ସହିତ ଖେଳାଯାଉଛି। ଏମାନଙ୍କୁ ନେଇ କିପରି ଖେଳ ଖେଳାଯାଉଛି, ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାରେ। ସ୍ଥାନୀୟ ୟୁନିୟନ୍ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖା ପକ୍ଷରୁ ମାଲକାନଗିରି ବ୍ଲକର ଚାଲାଣଗୁଡା ପଞ୍ଚାୟତର ଟିଟିବିରି ଗ୍ରାମର ପ୍ରାୟ ଶତାଧିକ ଲୋକଙ୍କ ନାମରେ ୨୦୧୪-୧୫ ମସିହାରେ ଋଣ ପ୍ରଦାନ କରାଯାଇଛି। ସେହି ସମୟରେ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ କାର୍ଯ୍ୟରତ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଅତି ଚତୁରତାର ସହ ଋଣ ନାମରେ ଲକ୍ଷ ଲକ୍ଷ ଟଂକା ହଡପ କରିଥିବା ଅଭିଯୋଗ ହୋଇଛି।

ଆଜି ଟିଟିବିରି ଗ୍ରାମର ଶତାଧିକ ଲୋକ ମାଲକାନଗିରି ପହଞ୍ଚି ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ନାମରେ ଏତଲା ଦାୟର କରିବା ପାଇଁ ଆସିଥିଲେ। ପରେ ଜଣାପଡିଥିଲା ଯେ ତତ୍କାଳୀନ ବ୍ୟାଙ୍କ କର୍ତ୍ତୃପକ୍ଷ ଟିଟିବିରି ଗ୍ରାମର ଲୋକଙ୍କ ନାମରେ ୫୦ ହଜାରରୁ ୧ ଲକ୍ଷ ଟଂକା ପର୍ଯ୍ୟନ୍ତ ଋଣ ପ୍ରଦାନ କରିଥିଲେ। ତେବେ ଏହି ଋଣ ପାଇଁ ଗ୍ରାମବାସୀ କେବେ ମଧ୍ୟ ଆବେଦନ କରି ନଥିଲେ। ବ୍ୟାଙ୍କ ସହ ଜଡିତ ଥିବା କିଛି ଦଲାଲ ଗ୍ରାମବାସୀଙ୍କୁ ବ୍ୟାଙ୍କକୁ ଡକାଇ କାଗଜରେ ଟିପଚିହ୍ନ ନେଇ ସେମାନଙ୍କୁ ମୋଦୀ ଦେଇଛି କହି କାହାକୁ ୨ ହଜାର ଟଂକା ତ ଆଉ କାହାକୁ ୫ ହଜାର ଟଂକା ପ୍ରଦାନ କରିଥିଲେ। ଲୋକେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟଂକା ଦେଇଥିବା ଭାବି ଟଂକା ନେଇ ଚାଲିଯାଇଥିଲେ। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଚତୁରତାର ସହ ସେମାନଙ୍କ ନାମରେ ଅଧିକା ଟଂକା ଉଠାଇ ନେଇଥିଲେ। ଦୀର୍ଘ ଚାଲି ପାଞ୍ଚ ବର୍ଷ ପରେ ଗତ ୬ ମାସ ତଳେ ବ୍ୟାଙ୍କ କର୍ତ୍ତୃପକ୍ଷ ଟଂକା ପୈଠ ପାଇଁ ଲୋକ ଅଦାଲତରେ ହାଜର ହେବାକୁ ନୋଟିସ ଦେଇଥିଲେ। ଏହି ନୋଟିସ ପାଇବା ପରେ ଗାଁ ଲୋକେ ଚିନ୍ତାରେ ପଡିଯାଇଥିଲେ। ସେମାନେ କେବେ ମଧ୍ୟ ଏତେ ଟଂକା ନେଇ ନଥିବା ଅଭିଯୋଗ କରିଥିଲେ। ଜଣେ କିମ୍ବା ଦୁଇ ଜଣ ହେଲେ କଥା ଅଲଗା ହୋଇଥାନ୍ତା କିନ୍ତୁ ଶହ ଶହ ଲୋକଙ୍କ ନାମରେ କିପରି ବ୍ୟାଙ୍କ କର୍ତ୍ତପକ୍ଷ ଏବଂ ଦଲାଲ ଋଣ ଆକାରରେ ଏତେ ଟଂକା ଆତ୍ମସାତ କରିଗଲେ କାହାକୁ ଟେର ମଧ୍ୟ ମିଳିଲା ନାହିଁ।

ଲକ୍‌ ଡାଉନ କୋହଳ ହେବା ପରେ ଲୋକେ ଏବେ ନ୍ୟାୟ ପାଇଁ ଦୌଡି ଆସିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ଜିଲ୍ଲାପାଳଙ୍କୁ ଭେଟି ଏ ସଂପର୍କରେ ଅଭିଯୋଗ କରିଥଲେ। ଜିଲ୍ଲାପାଳ ଏ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଘଟଣାର ସତ୍ୟାସତ୍ୟ ତଦନ୍ତ କରି ଲୋକଙ୍କୁ ଏଥିରୁ ମୁକ୍ତି ଦେବା ପାଇଁ କହିଥିଲେ। ଆଜି ଏ ନେଇ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ପରିଚାଳକ ବଳିରାମ ଭଣ୍ଡାରୀଙ୍କୁ ସାକ୍ଷାତ କରି ଏ ସଂପର୍କରେ ପଚରାଯାଇଥିଲା।

ସମ୍ବନ୍ଧିତ ଖବର