ଭଦ୍ରକ: ଭଦ୍ରକ ଜିଲ୍ଲାର ବନ୍ତ ଥାନା ଆନ୍ତର୍ଗତ ବନ୍ତ ବଜାରରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଗରିବ ଲୋକଙ୍କ ନାମରେ ଉଠୁଥିବା ଋଣ ଟଙ୍କାକୁ କିଛି ଦଲାଲ ଓ ବ୍ୟାଙ୍କର କିଛି କର୍ମଚାରୀ ମିଳିତ ଭାବେ ହଡପ କରିଥିବା ଘଟଣା ଏବେ ପଦାକୁ ଆସିଛି। ଘଟଣାକୁ ନେଇ ସଂପୃକ୍ତ ବ୍ୟକ୍ତି ଜଣଙ୍କ ବନ୍ତ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ଖୋଳତାଡ ଆରମ୍ଭ କରିଥିବା ବେଳେ ଗିରଫ ଭୟରେ ଦଲାଲ ଜଣଙ୍କ ଏବେ ପୁଲିସକୁ ହାତ କରିବାକୁ ଯୋଜନା କରୁଛି।
କିଛି ତଳିଆ ପୁଲିସ ଅଧିକାରୀଙ୍କୁ ହାତ କରି ଏଇ ବ୍ୟାଙ୍କ ଘୋଟଲାକୁ ଚପାଇ ଦେବାକୁ ବସିଛି। ବନ୍ତ ପୁଲିସ ଘଟଣାର ନିରପେକ୍ଷ ଦତନ୍ତ କରି ସଂପୃକ୍ତ ବ୍ୟାଙ୍କ ଅଧିକାରୀ ଓ ଦଲାଲଙ୍କୁ ଗିରଫ କରିବା ପାଇଁ ଦାବି କରିଥିବା ବେଳେ ତାଙ୍କ ନାମରେ ହୋଇଥିବା ୫ ଲକ୍ଷ ଟଙ୍କାର ଋଣ ଟଙ୍କା ଫେରାଇ ଦେବାକୁ ଅନୁରୋଧ କରିଛନ୍ତି। ଅଗାମୀ ଦିନରେ ବନ୍ତ ପୁଲିସ ଏଇ ବ୍ୟାଙ୍କ ଘୋଟଲାର କେଉଁ ପ୍ରକାର ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଉ ବୋଲି ଅଭିଯୋଗକାରୀ ଦାବି କରିଛନ୍ତି। ଏଇ ଘଟଣାର ଭିଜିଲାନସ ତଦନ୍ତ ପାଇଁ ମଧ୍ୟ ଦାବି ହୋଇଛି।
ଅଭିଯୋଗରୁ ପ୍ରକାଶ ଯେ, ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ଓଡଙ୍ଗ ପଞ୍ଚାୟତର ସରମରା ଗ୍ରାମରେ ମାନସ ବେହେରା ନାମକ ଜଣେ ଯୁବକ ତା ୩୧/୫/୨୦୧୬ ମସିହାରେ ବନ୍ତ ପିଏନବି ବ୍ୟାଙ୍କରେ ଏକ ସେଭିଙ୍ଗ ଆକାଉଣ୍ଟ ଖୋଲିଥିଲେ। ପରେ ଛୟାରସିଂହ ଗ୍ରାମର ଖଗେଶ୍ବର ବେହେରା ନାମକ ଜଣେ ବ୍ୟକ୍ତି ମାନସଙ୍କୁ ୫୦ ହଜାର ଟଙ୍କାର ଏକ ବ୍ୟାଙ୍କ ଲୋନ ପିଏନବି ବ୍ୟାଙ୍କରୁ କରାଇ ଦେବାକୁ କହିଥିଲେ। ଏଥିପାଇଁ ୩ ହଜାର ଟଙ୍କା ଖର୍ଚ୍ଚ ବାବଦକୁ ନେଇଥିଲେ। ଦୁଇ ମାସ ପରେ ମାନସଙ୍କ ନାମରେ ଲୋନ୍ ହୋଇ ପାରିବ ନାହିଁ ବୋଲି ଖଗେଶ୍ବର କହିବା ସହ ସେ ତାଙ୍କୁ ୫୦ ହଜାର ଟଙ୍କା ଦେଇ ପାରିବେ ବୋଲି କହିଥିଲେ। ଏକଥା କହି ମାନସ ସହ ବିଶ୍ବାସ ଜମାଇ ଖଗେଶ୍ବର ତାଙ୍କଠାରୁ ତାଙ୍କ ବ୍ୟାଙ୍କର ପାସ୍ ବୁକ୍, ଆଧାର କାର୍ଡ, ୫ଟି ବ୍ୟାଙ୍କ ଚେକ୍ ଓ ଏଟିଏମ କାର୍ଡ ପର୍ଯ୍ୟନ୍ତ ସବୁ କିଛି ମାଗି ନେଇଥିଲେ। ବିଶ୍ବାସରେ ମାନସ ଏଇସବୁ ବ୍ୟାଙ୍କ କାଗଜପତ୍ର ଖଗେଶ୍ବରଙ୍କୁ ଦେଇ ଦେଇଥିଲା। ଏହାର କିଛି ଦିନ ପରେ ମାନସଙ୍କୁ ଖଗେଶ୍ବର ୫୦ ହଜାର ଟଙ୍କା ଦେଇଥିଲେ। ଏଇ ଘଟଣାର ଏକ ବର୍ଷ ପରେ ମାନସଙ୍କ ଘରକୁ ପିଏନବି ବ୍ୟାଙ୍କର ଦୁଇ ଜଣ କର୍ମଚାରୀ ଆସି କହିଲେ ତୁମ ନାମରେ ୫ ଲକ୍ଷ ଟଙ୍କାର ଲୋନ୍ ଟଙ୍କା ଉଠିଛି। ଏଇ ଘଟଣା ସଂପର୍କରେ ମାନସ ବୁଝିବାକୁ ଯାଇ ବନ୍ତ ପିଏନବି ବ୍ୟାଙ୍କ ଶାଖାକୁ ଯାଇ ନିଜ ପାସ୍ ବୁକ୍ ଆକଉଣ୍ଟ ଚେକ୍ କରିବା ବେଳକୁ ତାଙ୍କ ନାମରେ ୫ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ହୋଇଥିବା ବେଳେ ଏଇ ଋଣ ଟଙ୍କା ଖଗେଶ୍ବର ଉଠାଇ ନେଇଛନ୍ତି ବୋଲି ସେ ଜାଣିବାକୁ ପାଇଥିଲେ। ମୋଟ ୪ ଲକ୍ଷ ୨୨ ହଜାର ୯୭୨ ଟଙ୍କା ମାନସଙ୍କ ଆକାଉଣ୍ଟରୁ ଖଗେଶ୍ବରଙ୍କ ଆକାଉଣ୍ଟକୁ ଟ୍ରାନସଫର ହୋଇଥିବା ଜଣାପଡିଥିଲା। ମାନସର ଏଟିଏମ କାର୍ଡ ଓ ତାଙ୍କ ବ୍ୟାଙ୍କ ଚେକ୍ ଦ୍ବାରା ଏଇ ସବୁ ଟଙ୍କାକୁ ଖଗେଶ୍ବର ହଡପ କରିଥିବା ନେଇ ମାନସ ଏକ ଲିଖିତ ଏତଲା ବନ୍ତ ଥାନାରେ ଦେଇଛନ୍ତି। ମାନସଙ୍କ ଅଭିଯୋଗ ପାଇବା ପରେ ପୁଲିସ ଏହାର ତଦନ୍ତ ଆରମ୍ଭ କରିଥିବା ନେଇ ବନ୍ତ ଥାନା ଅଧିକାରୀ ପ୍ରକାଶ କରିଛନ୍ତି।
ଘଟଣାର ନିରପେକ୍ଷ ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ପୁଲିସ ଘଟଣାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଘଟଣାର ତଦନ୍ତ ପାଇଁ ମାନସ ଭିଜିଲାନସ୍ ଏସପିଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି।