ବାଧା ଦୌଡ଼ ପାଇଁ ଦାରିଦ୍ର୍ୟ ଦେଇପାରିନି ବାଧା, ୪୦୦ ମିଟର ବର୍ଗରେ ବାପି ଏକ ନମ୍ବର

ଯାଜପୁରସଦର : ସମୟ ଥିଲା ଦିନକୁ ଦୁଇଓଳି ଖାଇବାକୁ ନଥିଲା। ପେଟକୁ ଦାନା ଯୋଗାଡ଼ କରିବା ନିମନ୍ତେ ବଡ଼ଭାଇଙ୍କ ସହ ବାଲେଶ୍ବରରୁ ଚାଲିଆସିଥିଲେ ଯାଜପୁରରୋଡ୍‌। ପାଖରେ ମା’ କିମ୍ବା ବାପା ନଥିଲେ। କିନ୍ତୁ, ବଡ଼ଭାଇ ତାଙ୍କୁ କାମ କରିବାକୁ ସାଙ୍ଗରେ ନନେଇ ପଠାଇଦେଇଥିଲେ ନିକଟସ୍ଥ ସ୍କୁଲକୁ। ‘ତୁଳସୀ ଦୁଇପତ୍ରରୁ ବାସିବା’ ପରି ତାଙ୍କ କ୍ରୀଡ଼ା ପ୍ରତିଭା ସେଠାରେ ପ୍ରସ୍ଫୁଟିତ ହୋଇଥିଲା। ସେହି ଅନାମଧେୟ ବାଳକ ବାପି ହାଁସଦା ଆଜି ସମସ୍ତ ବାଧାବିଘ୍ନକୁ ଅତିକ୍ରମ କରି ୧୮ ବର୍ଷରୁ କମ୍‌ ବାଳକ ବର୍ଗ ବାଧା ଦୌଡ଼ରେ ବିଶ୍ବରେ ଏକ ନମ୍ବର ସ୍ଥାନର ଅଧିକାରୀ।

ଚଳିତମାସରେ କର୍ଣ୍ଣାଟକର ଉଡୁପିଠାରେ ଅନୁଷ୍ଠିତ ଜାତୀୟ ୪ଶହ ମିଟର ବାଧା ଦୌଡ଼ରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ବାପା। ମାତ୍ର ୫୧.୯୦ ସେକେଣ୍ଡରେ ସେ ଏହି ଲକ୍ଷ୍ୟ ପୂରଣ କରି ରେକର୍ଡ କରିଛନ୍ତି। ଆସନ୍ତା ଏପ୍ରିଲରେ ଉଜ୍‌ବେକିସ୍ତାନରେ ହେବାକୁ ଥିବା ଏସୀୟ ୟୁଥ୍‌ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ସିପରେ ଭାଗନେବାକୁ ସେ ଯୋଗ୍ୟତା ଅର୍ଜନ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରି ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରିଛନ୍ତି। ୫-ଟି ସଚିବ ତାଙ୍କୁ ନେଇ ଏକ ପ୍ରାମାଣିକ ଭିଡିଓ ପ୍ରସ୍ତୁତ କରିଛନ୍ତି।

ବାପିଙ୍କ ସଫଳତା ପଛର ସଂଘର୍ଷ ଅତ୍ୟନ୍ତ ଚମକପ୍ରଦ। ତାଙ୍କର ଜନ୍ମ ବାଲେଶ୍ବରରେ। ସେମାନେ ପାଞ୍ଚଭାଇ। ବାପା ନଥିବାରୁ ଚଳିବା କଷ୍ଟକର ଥିଲା। ବାଲେଶ୍ବରରେ ମା’ ରହୁଥିବାବେଳେ ବଡ଼ଭାଇ ଗୁନ ହାଁସଦା ପେଟ ପାଇଁ ଯାଜପୁର ଚାଲିଆସିଥିଲେ। ଯାଜପୁର ରୋଡ୍‌ଠାରେ ରେଳ ଠିକାଦାରଙ୍କ ପାଖରେ ଶ୍ରମିକ ଭାବେ କାମ କରୁଥିଲେ। ୨୦୧୫ ରେ ତାଙ୍କ ସହ ବାପି ହାଁସଦା ମଧ୍ୟ ଯାଜପୁର ଆସିଥିଲେ। ବ୍ୟାସନଗରର ଚୂନଭାଟି ବସ୍ତିରେ ସେମାନେ ରହୁଥିଲେ। ବଡ଼ଭାଇ ତାଙ୍କୁ କାମକୁ ନପଠାଇ ଯାଜପୁରରୋଡ୍‌ ଏନ୍‌ସି ହାଇସ୍କୁଲରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇ ଦେଇଥିଲେ। ପରେ କ୍ରୋମ୍‌ନଗର ବିଦ୍ୟାପୀଠରେ ସପ୍ତମ ଓ ସାପଗଡ଼ିଆ ୟୁପି ସ୍କୁଲରେ ଅଷ୍ଟମ ଶ୍ରେଣୀ ପଢ଼ିଥିଲେ।

ଖେଳ ପ୍ରତି ଥିବା ଆଗ୍ରହକୁ ଲକ୍ଷ୍ୟକରି କ୍ରୀଡ଼ା ଶିକ୍ଷୟିତ୍ରୀ ତପସ୍ବିନୀ ଦାସ ବାପିଙ୍କୁ କ୍ରୀଡ଼ା ପ୍ରଶିକ୍ଷକ ସୀମାନ୍ତ କେଶରୀ ସାମଲଙ୍କ ପାଖରେ ପ୍ରଶିକ୍ଷଣ ପାଇଁ ଛାଡ଼ିଥିଲେ। କ୍ରୀଡ଼ା ପ୍ରଶିକ୍ଷକ ସୀମାନ୍ତ କେଶରୀ ସାମଲ ସେଠାରେ ବାପିଙ୍କ ପ୍ରତିଭାର ପରିଚୟ ପାଇଥିଲେ। ୨ ବର୍ଷ ବ୍ୟାସନଗର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ପ୍ରଶିକ୍ଷଣ ଦେଇଥିଲେ। କ୍ରୀଡ଼ା ପାଇଁ ପ୍ରଚୁର ଖାଦ୍ୟର ଆବଶ୍ୟକତା ଥିବାବେଳେ ବାପି ପକ୍ଷେ ତାହା ଯୋଗାଡ଼ କରିବା ସମ୍ଭବ ନଥିଲା। ସ୍କୁଲର ମଧ୍ୟାହ୍ନଭୋଜନ ହିଁ ତାଙ୍କ ପାଇଁ ପୁଷ୍ଟିକର ଆହାର ଥିଲା। ଯେବେ ସ୍କୁଲ ବନ୍ଦ, ଖାଇବା ବି ବନ୍ଦ। ଶ୍ରୀ ସାମଲ ଏହି ସମସ୍ୟା ଦୂର କରିବା ପାଇଁ ବାପିଙ୍କୁ ସାଇ ହଷ୍ଟେଲ କଟକକୁ ପଠାଇଥିଲେ। ସେଠାରେ ସେ ରାଣୀହାଟ ହାଇସ୍କୁଲରେ ପଢ଼ିବା ସହ କ୍ରୀଡ଼ା ଅଭ୍ୟାସ କରିଥିଲେ। ୨୦୧୮ରେ ହରିୟାଣାରେ ଆୟୋଜିତ ଜାତୀୟ ଅନ୍ତଃସ୍କୁଲ ଚାମ୍ପିଅନ୍‌ସିପ୍‌ରେ ୬ଶହ ମିଟର ଦୌଡ଼ରେ ଚତୁର୍ଥ ସ୍ଥାନରେ ରହିଥିଲେ। ସେଠାରେ ଦୁଇବର୍ଷ ରହିବା ପରେ ସଂପ୍ରତି ସେ ରିଲାଏନ୍ସ ଗ୍ରୁପ୍‌ର ଏଚପିସି (ହାଇ ପରଫରମାନ୍ସ ସେଣ୍ଟର)ରେ ପ୍ରଶିକ୍ଷଣ ନେଉଛନ୍ତି।

ବାପିଙ୍କ ଉଦ୍ୟମ ତାଙ୍କୁ ଆହୁରି ‌ଅନେକ ସଫଳତା ଦେବ ବୋଲି ଯାଜପୁର ଜିଲ୍ଲା କ୍ରୀଡ଼ା ଅଧିକାରୀ ଫକୀର ମୋହନ ଟୁଡୁ କହିଛନ୍ତି। ତାଙ୍କୁ ଯାଜପୁର ଜିଲ୍ଲା ପ୍ରଶାସନ ମଧ୍ୟ ପୁରସ୍କୃତ କରିଛି।

ସମ୍ବନ୍ଧିତ ଖବର