ପୁଣି ନିରାଶ ବାରବାଟୀ: ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ପ୍ରସ୍ତାବକୁ ଓସିଏର ପ୍ରତ୍ୟାଖ୍ୟାନ
ଟେଷ୍ଟ ପାଇଁ ପ୍ରସ୍ତୁତ ହେଉଛୁ: ସଂଜୟ
କଟକ: ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ବକପ୍ କ୍ରିକେଟରେ ଗୋଟିଏ ବି ମ୍ୟାଚ୍ ବାରବାଟୀ ଷ୍ଟାଡିୟମକୁ ମିଳି ନଥିବାରୁ ହତାଶ ଥିବା ଓଡ଼ିଶା କ୍ରିକେଟ୍ପ୍ରେମୀଙ୍କୁ ପୁଣି ଏକ ଝଟ୍କା ଲାଗିଛି। ମଙ୍ଗଳବାର ବସିସିଆଇ ପକ୍ଷରୁ ଘୋଷଣା ହୋଇଥିବା ୨୦୨୩-୨୪ ଘରୋଇ ସୂଚୀରେ ବାରବାଟୀ ନାଁ ନଥିବାରୁ ଓଡ଼ିଶାର କ୍ରିକେଟ୍ପ୍ରେମୀ ହତାଶ ହୋଇଛନ୍ତି। ପଡ଼ୋଶୀ ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗକୁ ଲଗାତର ମ୍ୟାଚ୍ ମିଳୁଥିବା ବେଳେ ଓଡ଼ିଶାକୁ ବାରମ୍ବାର ଏଥିରୁ ବଂଚିତ କରାଯାଉଛି। ଆସନ୍ତା ଋତୁରେ ବାରବାଟୀକୁ ମ୍ୟାଚ୍ ମିଳିବ ବୋଲି ବିସିସିଆଇରୁ ପ୍ରତିଶ୍ରୁତି ମିଳିଥିଲା। ଏ ସଂକ୍ରାନ୍ତରେ ଗତ ୩ ତାରିଖରେ ‘ସମ୍ବାଦ’ରେ ଖବର ମଧ୍ୟ ପ୍ରକାଶିତ ହୋଇଥିଲା। ଫଳରେ ବାରବାଟୀକୁ ଆନ୍ତର୍ଜାତିକ ମ୍ୟାଚ୍ ଫେରିବା ନେଇ ଆଶା ସଂଚାର ହୋଇଥିଲା। ହେଲେ ପୁଣିଥରେ କ୍ରିକେଟ୍ପ୍ରେମୀଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି।
ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଆୟୋଜନ ପାଇଁ ଓଡ଼ିଶା କ୍ରିକେଟ୍ ସଂଘ (ଓସିଏ)କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେତେବେଳେକୁ ଓସିଏ ପ୍ରସ୍ତୁତ ହୋଇପାରବନି ବୋଲି କହିବାରୁ ଏହି ମ୍ୟାଚ୍ ଅନ୍ୟ ରାଜ୍ୟକୁ ଚାଲି ଯାଇଥିଲା। ତଥାପି ବାରବାଟୀକୁ ଖୁବ୍ଶୀଘ୍ର ଟେଷ୍ଟ ମାନ୍ୟତା ଦିଆଯାଇ ଏଠାରେ ଇଂଲଣ୍ଡ ଗସ୍ତ ପରେ କୌଣସି ଏକ ଦଳ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଆୟୋଜନ କରାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ଓସିଏକୁ ଆଶ୍ବାସନା ଦେଇଥିବା ସୂଚନା ଦିଆଯାଇଛି।
ଓସିଏ ସମ୍ପାଦକ ସଂଜୟ ବେହେରାଙ୍କ ସୂଚନା ଅନୁଯାୟୀ, ବାରବାଟୀରେ ଟେଷ୍ଟ ମ୍ୟାଚ୍ ଖେଳାଯିବା ସ୍ତରର ନୂଆ ପିଚ୍ ପ୍ରସ୍ତୁତ କରାଯାଉଛି। ଆଉ ଦୁଇ ତିନିମାସ ମଧ୍ୟରେ ପିଚ୍ କାମ ଶେଷ ହେବ। ବାରବାଟୀରେ ଟ୍ବେଣ୍ଟି-୨୦ କିମ୍ବା ଦିନିକିଆ ମ୍ୟାଚ୍ ଆୟୋଜନ ଅପେକ୍ଷା ଏଠାକୁ ଟେଷ୍ଟ ମାନ୍ୟତା ଫେରାଇ ଆଣିବାକୁ ଓସିଏ ଲକ୍ଷ୍ୟ ରଖିଛି। ତେଣୁ ବିସିସିଆଇ ପକ୍ଷରୁ ଯେତେବେଳେ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ମ୍ୟାଚ୍ ଆୟୋଜନ ପ୍ରସ୍ତାବ ଦିଆଯାଇଥିଲା, ସେତେବେଳେ ଆମେ ତାହାକୁ ଅଗ୍ରାହ୍ୟ କରିଥିଲୁ। ନୂଆ ପିଚ୍ରେ କିଛି ଘରୋଇ ମ୍ୟାଚ୍ ଖେଳାଯାଇ ତାହାକୁ ପରୀକ୍ଷା କରାଯିବ। ଏହାପରେ ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ପ୍ରତିନିଧି ବାରବାଟୀ ପିଚ୍ ମାନ ଯାଞ୍ଚ କରିବା ପରେ ଏହାକୁ ଟେଷ୍ଟ ମାନ୍ୟତା ମିଳିପାରିବ। ତେଣୁ ବାରବାଟୀକୁ କିପରି ଟେଷ୍ଟ ମ୍ୟାଚ୍ ଫେରିବ, ସେ ଦିଗରେ ଓସିଏ ପକ୍ଷରୁ ବିସିସିଆଇ ସହିତ ଆଲୋଚନା କରାଯାଉଥିବା ସଂଜୟ କହିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ଶେଷ ହେବା ପରେ ପରବର୍ତ୍ତୀ ଋତୁରେ କୌଣସି ଟେଷ୍ଟ ମ୍ୟାଚ୍ ବାରବାଟୀକୁ ମିଳିପାରେ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ଓସିଏକୁ ପ୍ରତିଶ୍ରୁତି ଦେଇଥିବା ସେ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୧୯୮୨ରେ ବାରବାଟୀ ଷ୍ଟାଡିୟମରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଥିଲା। ଦୀର୍ଘ ୪୧ ବର୍ଷର ଇତିହାସରେ ବାରବାଟୀକୁ ମାତ୍ର ୨୪ଟି ଅନ୍ତର୍ଜାତୀୟ ମ୍ୟାଚ୍ ମିଳିଛି। ସେଥିମଧ୍ୟରେ ୧୯ ଦିନିକିଆ, ୨ ଟେଷ୍ଟ ଓ ୩ ଟ୍ବେଣ୍ଟି-୨୦ ମ୍ୟାଚ୍ ଏଠାରେ ଖେଳାଯାଇଛି। କେବଳ ଅଷ୍ଟ୍ରେଲିଆ ଦୁଇଥର ଏଠାରେ ଦିନିକିଆ ଖେଳିବାକୁ ଆସିଥିଲେ ବି ବର୍ଷା ଯୋଗୁଁ ଭାରତ ବିପକ୍ଷରେ ଖେଳି ପାରିନଥିଲା। ପୂର୍ବରୁ ୧୯୮୭ (ବନାମ ଶ୍ରୀଲଙ୍କା) ଓ ୧୯୯୫ (ବନାମ ନ୍ୟୁଜିଲାଣ୍ଡ) ରେ ଭାରତ ଏଠାରେ ଦୁଇଟି ଟେଷ୍ଟ ଖେଳିଥିଲା। ଶେଷଥର ପାଇଁ ଗତ ୧୯୯୫ ନଭେମ୍ବର ୮ ତାରିଖରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବାରବାଟୀରେ ଶେଷ ଟେଷ୍ଟ ମ୍ୟାଚ୍ ଖେଳାଯାଇଥିଲା ବେଳେ ୨୦୧୯ ଡିସେମ୍ବର ୨୨ ତାରିଖରେ ଭାରତ-ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଦିନିକିଆ ଏବଂ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗତବର୍ଷ ଜୁନ୍ ୧୨ ତାରିଖରେ ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳା ଯାଇଥିଲା।