ବ୍ଲକ ସଂଯୋଜକଙ୍କୁ ହତ୍ୟା ଘଟଣାରେ ୩ ଗିରଫ

ବରଗଡ଼: ବିଜେପୁର ଉପନିର୍ବାଚନ ପାଇଁ ପାଟ୍ରୋଲିଂ ଦାୟିତ୍ୱରେ ଥିବା ବ୍ଲକ ସଂଯୋଜକ ତରଣୀସେନ ମହଲାଙ୍କ ମୃତଦେହ ଉଦ୍ଧାର ହେବା ପରେ ଏହି ହତ୍ୟାର ପର୍ଦ୍ଦାଫାସ ହୋଇଛି। ସ୍ୱସ୍ଥ ଭାରତ ଅଭିଯାନ ପାଇଖାନା ବିଲ୍‌ ବକେୟା ପାଇଁ ଦୁଇଜଣକ ତରଣୀସେନଙ୍କୁ ହତ୍ୟା କରିଥିବା ବରଗଡ଼ ଏସ୍‌ପି ମଙ୍ଗଳବାର ସୂଚନା ଦେଇଛନ୍ତି । ଏହି ହତ୍ୟା ଘଟଣାରେ ପୁଲିସ ୨ ଅଭିଯୁକ୍ତଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଗତ ୧୨ ତାରିଖ ଦିନ ୨ ଅଭିଯୁକ୍ତ ରିନୁ ସାହୁ ଓ ରାମ ମେହେର ତରଣୀସେନ ମହଲାଙ୍କୁ ଭଡା ଘରେ ହତ୍ୟା କରିବା ପରେ ଫକୀରମୋହନ ନାମକ ଜଣେ ସହଯୋଗୀଙ୍କୁ ଧରି ଶବକୁ ବିଜେପୁର ଡମ୍ପିଂୟାର୍ଡ ଭିତରେ ଫିଙ୍ଗି ଦେଇଥିଲେ। ପୁଲିସ ଫୋନ୍‌ ଟ୍ରାକ୍‌ କରି ରିନୁ, ରାମ ଓ ଫକୀରଙ୍କୁ ଗିରଫ କରିଛି। ଏଥିସହିତ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଓ ବାଇକ୍‌କୁ ବି ପୁଲିସ ଜବତ କରିଛି।

ସୂଚନାଯୋଗ୍ୟ, ବ୍ଲକ ସଂଯୋଜକ ତରଣୀସେନଙ୍କ ଘର ଗାଇସିଲଟ ବ୍ଲକ ନୂଆପାଲି ଗାଁରେ ବସବାସ କରନ୍ତି। ଗତ ୧୨ ତାରିଖ ପରେ ସେ ନିଖୋଜ ହୋଇଥିବା ନେଇ ଗାଇସିଲଟ ଥାନାରେ ତାଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ବିଜେପୁର ଓ ଗାଇସିଲଟ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ହତ୍ୟା ସନ୍ଦେହରେ ୩ ଜଣଙ୍କୁ ଅଟକ ରଖିଥିଲା।

ସମ୍ବନ୍ଧିତ ଖବର