ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ୍‌ ବାରବଖରା ହେ‌ଲା ଏକ ଐତିହାସିକସ୍ଥଳୀ। ବୀର ସୁରେନ୍ଦ୍ର ସାଏଙ୍କ ଜୀବନୀ ସହ ଏହି ସ୍ଥଳୀ ଜଡ଼ିତ। ଏହି ସ୍ଥଳୀର ବିକାଶ ପାଇଁ ବାରମ୍ବାର ଦାବି ହେଉଥିଲେ ହେଁ ତାହା ଅବହେଳିତ ଅବସ୍ଥାରେ ପଡ଼ି ରହିଥିଲା। ପରେ ଡବ୍ଲୁଓଡିସି ପାଣ୍ଠିରୁ ଏହାର ବିକାଶ ପାଇଁ ପାଣ୍ଠି ବ୍ୟବସ୍ଥା ହେଲା। ଗତ ଫେବ୍ରୁଆରି ମାସରେ ୧ କୋଟି ୭୫ ଲକ୍ଷ ୬୭ ହଜାର ଟଙ୍କା ବ୍ୟୟ ଅଟକଳରେ ଏଠାରେ ଗୁମ୍ଫା ନିକଟରେ ଇକୋପାର୍କ ଓ ବୀର ସୁରେନ୍ଦ୍ର ସାଏ ସ୍ମାରକୀ ଉଦ୍‌ଘାଟିତ ହେଲା। ଏହାର ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ଦାୟିତ୍ବ ୫ଟି ଏସ୍‌ଏଚ୍‌ଜି ଓ ୨ଟି ଗ୍ରାମର ପର୍ଯ୍ୟଟନ ବିକାଶ କମିଟି ହାତରେ ନ୍ୟସ୍ତ କରାଯାଇଛି।

Advertisment

ବର୍ଷା ଦିନେ ବାରବଖରାକୁ ହଜାର ହଜାର ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ସୁରକ୍ଷା ସକାଶେ ପ୍ରଶାସନିକ ସ୍ତରରେ ସମସ୍ତ ଉଦ୍ୟମ ହେବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ବର୍ତମାନ ଯାଏଁ ସେଭଳି କିଛି ବ୍ୟବସ୍ଥା ହେଲା ନାହିଁ। ବରଂ ବାରବଖରା ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି। ଗତବର୍ଷ ଅଗଷ୍ଟ ମାସରେ ବାରପାହାଡ଼ ଜଳପ୍ରପାତରୁ ଖସି ବରଗଡ଼ ଦେଓଗାଁ ନିବାସୀ ଭାଗୀରଥି ପାଣ୍ଡେଙ୍କ ମୃତ୍ୟୁ ଘଟିଥିଲା। ବୁଧବାର ସେଠାରେ ବରଗଡ଼ ଗୋବିନ୍ଦପାଲିର ଟୁନା ବେହେରା ପ୍ରପାତରୁ ଖସି ପ୍ରାଣ ହରାଇଛନ୍ତି। ସାଧାରଣତଃ ଜୁନ୍‌ ମଧ୍ୟ ଭାଗରୁ ଅକ୍ଟୋବର ମାସ ଯାଏଁ ଏହି ପ୍ରପାତ ସକ୍ରିୟ ରହିଥାଏ। ପାହାଡ଼ ଉପରେ ବର୍ଷା ‌େ‌ହଲେ ପାଣିର ସୁଅ ଅଚାନକ ବଢ଼ି ଯାଇଥାଏ। ଫଳରେ ବାରମ୍ବାର ଏଠାରେ ଅଘଟଣ ଘଟୁଛି। କିଛି ଅଘଟଣ ଘଟିଲେ ବାରବଖରାକୁ ଯିବା ନିଷିଦ୍ଧ ଘୋଷଣା କରାଯାଏ। କିନ୍ତୁ କିଛିଦିନ ପରେ ପୁଣି ଲୋକଙ୍କ ଭିଡ଼ ଜମିଥାଏ। ହେଲେ ଏଠାରେ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ କିଛି ବ୍ୟବସ୍ଥା ନାହିଁ। ପ୍ରପାତରେ ବିପଦସଙ୍କୁଳ ଭାବେ ଗାଧୋଉଥିବା କିମ୍ବା ଫଟୋ ଉଠାଇବା ଲୋକଙ୍କ ଉପରେ କିଛି କଟକଣା ନାହିଁ। ପୁଲିସ୍‌ କିମ୍ବା ବନ ବିଭାଗ ପକ୍ଷରୁ ପାଟ୍ରୋଲିଂ ବି ନାହିଁ। ପ୍ରପାତ ନିକଟରେ ବେରିକେଟିଂ ବ୍ୟବସ୍ଥା କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ବାରବଖରା ପ୍ରପାତରେ ନିଖୋଜ ଯୁବକଙ୍କ ଶବ ଉଦ୍ଧାର

ବରଗଡ଼/ଅମ୍ବାଭୋନା: ବୁଧବାର ବାରବଖରା ଜଳପ୍ରପାତରେ ଖସି ପଡ଼ି ନିଖୋଜ ହୋଇଥିବା ଯୁବକଙ୍କ ଶବ ଆଜି ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ବରଗଡ଼ ଗୋବିନ୍ଦପାଲିର ଟୁନା ବେହେରା (୨୪)। ଅମ୍ବାଭୋନା ବ୍ଲକ୍‌ କର୍ଲା ଗ୍ରାମ ନିକଟରେ ଥିବା ବାରବଖରାକୁ ବୁଧବାର ସ୍ଥାନୀୟ ଗୋବିନ୍ଦପାଲିର ତିନି ଜଣ ଯୁବକ ସେଠାକୁ ଯାଇ ଗାଧୋଉଥିବା ବେଳେ ହଠାତ ଭାରସାମ୍ୟ ହରାଇ ଟୁନା ଜଳସ୍ରୋତରେ ଭାସି ତଳକୁ ଖସି ପଡ଼ି ନିଖୋଜ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ତାଙ୍କୁ ଖୋଜାଖୋଜି କରିଥିଲେ। ହେଲେ ଗତକାଲି ତାଙ୍କର କୌଣସି ସନ୍ଧାନ ମିଳିପାରି ନଥିଲା। ଆଜି ସକାଳୁ ଅଗ୍ନିଶମ କର୍ମଚାରୀମାନେ ଜଳପ୍ରପାତ ତଳୁ ଶବ ଉଦ୍ଧାର କରିଛନ୍ତି। ଏନେଇ ଅମ୍ବାଭୋନା ପୁଲିସ ୦୯/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ବ୍ୟବଚ୍ଛେଦ ପରେ ପୁଲିସ୍‌ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରିଛି। ଅମ୍ବାଭୋନା ଥାନାଧିକାରୀ ବୁଲୁ ମୁଣ୍ଡା ଘଟଣାର ତଦନ୍ତ କରୁଛନ୍ତି।