ଦ୍ୱିତୀୟ ଦିନରେ କଂସ ରାଜ୍‌: ପରିବହନ ଅଧିକାରୀଙ୍କୁ ୨ ଲକ୍ଷ ସ୍ୱର୍ଣ୍ଣମୁଦ୍ରା ଜରିମାନା କଲେ କଂସ

ବରଗଡ଼: ବରଗଡ଼ରେ ମଙ୍ଗଳବାରଠାରୁ କଂସ ରାଜ୍‌ ଆରମ୍ଭ ହୋଇଛି। ଆଜି ଦ୍ୱିତୀୟ ଦିନରେ ମହାରାଜ କଂସ ମଥୁରା ନଗରୀ ପରିକ୍ରମା କରିଛନ୍ତି। ନଗର ପରିକ୍ରମା ସମୟରେ ସେ ବରଗଡ଼ ବସଷ୍ଟାଣ୍ଡରେ ଥିବା ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍‌ଆରଟିସି) କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହି ସମୟରେ ସେ ପରିବହନ ନିଗମ କାର୍ଯ୍ୟାଳୟରେ ବିଭିନ୍ନ କାର୍ଯ୍ୟ ଯାଞ୍ଚ କରିଥିଲେ । କାର୍ଯ୍ୟାଳୟରେ କିଛି ତ୍ରୁଟି ଦେଖିବା ପରେ ପ୍ରବଳ ପ୍ରତାପୀ କଂସ ମହରାଜ ପରିବହନ ଅଧିକାରୀଙ୍କୁ ୨ ଲକ୍ଷ ସ୍ୱର୍ଣ୍ଣମୁଦ୍ରା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ମଥୁରା ନରେଶ କଂସ ମହାରାଜ ଯାତ୍ରୀମାନଙ୍କର ଅସୁବିଧାକୁ ହୃଦୟଙ୍ଗମ କରିଛନ୍ତି। ବରଗଡ଼ ବସଷ୍ଟାଣ୍ଡରେ ଶୌଚାଳୟ ନ ଥିବାରୁ ଯାତ୍ରୀମାନେ ବହୁ ହଇରାଣ ହେଇଥିବା ସଂପର୍କରେ ସେ ଅବଗତ ହୋଇଛନ୍ତି। ବରଗଡ଼ ବସଷ୍ଟାଣ୍ଡରେ ମହିଳାମାନେ ସର୍ବାଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ସମସ୍ୟାର ସମାଧାନ ଖୁବ୍‌ ଶୀଘ୍ର କରିବା ପାଇଁ ବସ୍‌ଷ୍ଟାଣ୍ଡରେ ଏକ ଶୌଚାଳୟ ନିର୍ମାଣ କରିବାକୁ ମହାରାଜ କଂସ ଆଦେଶ ଦେଇଛନ୍ତି।

ରାଜ୍ୟ ସରକାର ନୂଆ ମୋଟର ଯାନ ଆଇନ ଲାଗୁରେ ତିନି ମାସ ପାଇଁ କୋହଳ କରିଥିଲେ ମଧ୍ୟ କଂସ ମହାରାଜ ଟ୍ରାଫିକ୍‌ ନିୟମ ପ୍ରତି ସଚେତନ ଅଛନ୍ତି। ତେଣୁ ସେ ଯାତ୍ରୀମାନଙ୍କୁ ହେଲ୍‌ମେଟ ପିନ୍ଧି ମୋଟର ସାଇକେଲ ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମଦ୍ୟପ ଗାଡ଼ି ଚାଳକଙ୍କୁ କଠୋର ଦଣ୍ଡବିଧାନ କରାଯାଉ, ଏପରିକି ମୃତ୍ୟୁଦଣ୍ଡ ଦିଆଯାଉ ବୋଲି ସେ କହିଛନ୍ତି। ହେଲ୍‌ମେଟ ପିନ୍ଧିଥିବା ମୋଟର ସାଇକେଲ ଆରୋହୀଙ୍କୁ ସେ ଆଜି ଉପହାର ଦେଇଛନ୍ତି । ସେହିପରି ସେ କାର ଚାଳକମାନଙ୍କୁ ସିଟ୍‌ ବେଲଟ୍‌ ବାନ୍ଧିବା ପାଇଁ ଆଦେଶ ଦେଇଛନ୍ତି। ନିୟମ ଉଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିବା ସହ ଯାତ୍ରୀମାନଙ୍କୁ ଟିକେଟ୍‌ କାଟି ବସ୍‌ରେ ଯାତ୍ରା କରିବାକୁ ଆଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ମଙ୍ଗଳବାର ଆନୁଷ୍ଠାନିକ ସଭା ପରେ ଆରମ୍ଭ ହୋଇଥିଲା ଧନୁଯାତ୍ରାର ନାଟ୍ୟାଭିନୟ। ପ୍ରଥମେ ସଂପନ୍ନ ହୋଇଥିଲା ଦେବକୀ ଓ ବସୁଦେବଙ୍କ ବିବାହ। ପରେ ଦେବକୀଙ୍କ ଅଷ୍ଟମ ଗର୍ଭର ସନ୍ତାନ ନିଜ ମୃତ୍ୟୁର କାରଣ ହେବ ବୋଲି ଜାଣିବାକୁ ପାଇ ଯୁବରାଜ କଂସ  ବିଚଳିତ ହୋଇପଡ଼ିଥିଲେ। ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସ ସିଂହାସନ ଅକ୍ତିଆର କରିଛନ୍ତି। ଏହାପରେ ଦେବକୀ ଏବଂ ବସୁଦେବଙ୍କୁ କାରାଗାରକୁ ପ୍ରେରଣ କରିଛନ୍ତି।୧୧ ଦିବସୀୟ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ୧୧ ଦିନ ଯାଏଁ ଚାଲିବ। ବିଶ୍ୱର ସବୁଠାରୁ ବଡ଼ ମୁକ୍ତ ରଙ୍ଗମଞ୍ଚରେ ଚଳିତ ମାସ ୧୦ ତାରିଖ ଯାଏଁ ଦ୍ୱାପର ଯୁଗର ପୌରାଣିକ କଥାବସ୍ତୁକୁ ନେଇ ନାଟକ ମଂଚସ୍ଥ ହେବ। ୭୧ତମ ଧନୁଯାତ୍ରା ପରିପ୍ରେକ୍ଷୀରେ ମୀନାବଜାର, ପଲ୍ଲିଶ୍ରୀ ମେଳା ଆଦିର ଆୟୋଜନ କରାଯାଉଛି। ଧନୁଯାତ୍ରାରେ ଅପରାହ୍ନ ୨ଟା ଠାରୁ ରାତି ୧୨ଟା ଯାଏଁ ଦର୍ଶକଙ୍କ ପ୍ରବଳ ଭିଡ଼ ରହୁଛି।

ସମ୍ବନ୍ଧିତ ଖବର