ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ ଅନ୍ଧାରରେ, ବାଗବହରା-ବରଗଡ଼ ପାଇଁ ଛତିଶଗଡ଼ ଅରାଜି

ବରଗଡ଼ : ବରଗଡ଼-ନୂଆପଡ଼ା ନା ବରଗଡ଼-ବାଗବହରା। କେଉଁ ପ୍ରକଳ୍ପ ଲାଭଦାୟକ ଏବଂ କାମ ଶିଘ୍ର ଆରମ୍ଭ ହେବ, ଏହାକୁ ନେଇ ପୂର୍ବରୁ ବିତର୍କ ଲାଗି ରହିଥିଲା। ଏବେ ବାସ୍ତବତା ହେଲା- ଉଭୟ ପ୍ରକଳ୍ପର ଭାଗ୍ୟ ଅନ୍ଧାରରେ ରହିଛି। ସଦ୍ୟ ବଜେଟ୍‌ରେ ବରଗଡ଼-ନୂଆପଡ଼ା ପାଇଁ କୌଣସି ଅର୍ଥ ବରାଦ ହୋଇନାହିଁ। ଅନ୍ୟପକ୍ଷରେ ବାଗବହରାରୁ ବରଗଡ଼କୁ ସିଧା ରେଳପଥ ଯୋଡ଼ିବାକୁ ଆଉ ଛତିଶଗଡ଼ ସରକାର ଆଗ୍ରହ ଦେଖାଉନଥିବା ଜଣାପଡ଼ିଛି। ବରଗଡ଼-ବାଗବହରା ରେଳପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଛତିଶଗଡ଼ର ଅନ୍ୟତମ ପ୍ରମୁଖ ସହର ସରାଇପାଲି, ବସନା, ପିଥୋରା  ରେଳ ମ୍ୟାପରେ ସାମିଲ ହୋଇପାରନ୍ତେ। ୧୯୬୨ ମସିହାରେ ତତ୍କାଳୀନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ୟାମଚରଣ ଶୁକ୍ଳାଙ୍କ କାର୍ଯ୍ୟକାଳ ସମୟରେ ଏଥି ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ପରେ ଛତିଶଗଡ଼ ଲୋକସଭା ସଦସ୍ୟ ଚନ୍ଦ୍ରଶେଖର ସାହୁ ମଧ୍ୟ ଏହି ରେଲପଥ ନିର୍ମାଣ ପାଇଁ କସରତ ଚଳାଇଥିଲେ। ତେବେ ତତ୍କାଳୀନ କଂଗ୍ରେସ ସାଂସଦ ସଂଜୟ ଭୋଇ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ପଦ୍ମପୁର ବାଦ ପଡୁଥିବାରୁ ଏହାକୁ ଦୃଢ଼ ବିରୋଧ କରିଥିଲେ। ତେଣୁ ଉଭୟ ବରଗଡ଼-ନୂଆପଡ଼ା ଏବଂ ବରଗଡ଼-ବାଗବହରା ରେଳପଥ କରାଯାଉ ବୋଲି ଲୋକେ ମତ ଦେଇଥିଲେ।

YouTube

ବରଗଡ଼ରୁ ବାଗବହରାକୁ ମାତ୍ର ୧୨୦ କିଲୋମିଟର ରେଳପଥ ବିଛାଇଲେ ମୁମ୍ବାଇ ଓ କୋଲକତା ମଧ୍ୟରେ ଦୂରତା ଯଥେଷ୍ଟ ହ୍ରାସ ପାଇବ। ଏହାଦ୍ୱାରା ଛତିଶଗଡ଼ର ଅଧିକ ଅ଼ଞ୍ଚଳ ରେଳସେବା ପାଇପାରନ୍ତା। ଏବେ ମିଳୁଥିବା ଖବର ଅନୁସାରେ, ଏହି ପ୍ରକଳ୍ପ ପାଇଁ ଛତିଶଗଡ଼ ଆଉ ଆଗ୍ରହ ଦେଖାଉନାହିଁ। ଛତିଶଗଡ଼ ନିଜ ରାଜ୍ୟରେ ଥିବା ଶିଳ୍ପାନୁଷ୍ଠାନଗୁଡ଼ିକ ପ‌ାଇଁ କୋଇଲା ଏବଂ ଅନ୍ୟ କଞ୍ଚାମାଲ ପାଇଁ ବିଳାଶପୁର, କୋର୍‌ବା ଏବଂ ସହଡୋଲ ଉପରେ ବହୁ ନିର୍ଭରଶୀଳ। ତେଣୁ ବିଲାସପୁର ପଟେ ରେଳ ସେବାକୁ ତ୍ବରାନ୍ବିତ କରିବାକୁ ଛତିଶଗଡ଼ ସରକାର ଉଦ୍ୟମ କରୁଛନ୍ତି। ଅନ୍ୟ ଗୋଟିଏ ମତ ହେଲା, ପ୍ରସ୍ତାବିତ ଏହି ରେଳପଥ ହେଲେ ଏଥିରୁ ୮୦ କିଲୋମିଟର୍‌ରୁ ଅଧିକ ଅଞ୍ଚଳ ଛତିଶଗଡ଼ ଭାଗରେ ରହିବ। ତେଣୁ ଓଡ଼ିଶା ପଟେ ରେଳ ସଂଯୋଗ ବଢ଼ାଇବାକୁ ଛତିଶଗଡ଼ ସରକାର ଅର୍ଥ ବିନିଯୋଗ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ଉଭୟ ପ୍ରକଳ୍ପର ଭବିଷ୍ୟତ ଅନ୍ଧାର ଘେରରେ ଥିବାରୁ ବରଗଡ଼ବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୁଣି ସ୍ପପ୍ନରେ ରହିଛି।

ବରଗଡ଼ରୁ ଛତିଶଗଡ଼ର ରାଜଧାନୀ ରାୟପୁରକୁ ସଡ଼କ ପଥରେ ୨୨୦ କିଲୋମିଟର ଦୂରତା ହୋଇଥିବା ବେଳେ ରେଳପଥରେ ଏହାର ଦୂରତା ୩୪୩ କିଲୋମିଟର। କାରଣ ରେଳରେ ଟିଟିଲାଗଡ଼ ଦେଇ ଘୂରିକି ଯିବାକୁ ପଡ଼ିଥାଏ। ଉପରୋକ୍ତ କୌଣସି ବି ପ୍ରକଳ୍ପ ବାସ୍ତବ ରୂପ ନେଲେ ରାୟପୁରକୁ ଦୂରତା ପ୍ରାୟ ଶହେ କିଲୋମିଟର ହ୍ରାସ ପାଇବ। ବରଗଡ଼ ସହିତ ରାୟପୁର ବ୍ୟାପକ ବ୍ୟାବସାୟିକ ସଂପର୍କ ରହିଛି । ରେଳ ପଥରେ ରାୟପୁର ଦୂରତା ବହୁ ବେଶି ଥିବାରୁ ସାଧାରଣତଃ ବ୍ୟବସାୟୀମାନେ ବସ୍‌ ଓ ନିଜସ୍ୱ ଯାନବାହନରେ ଯାତ୍ରା କରିଥାନ୍ତି। ଏବେ ଏହି ପ୍ରକଳ୍ପ କ୍ଷେତ୍ରରେ କାଳକ୍ଷେପଣ ନୀତିକୁ ନେଇ ଅସନ୍ତୋଷ ମୁଣ୍ଡ ଟେକିଲାଣି। ଇତିମଧ୍ୟରେ ବରଗଡ଼-ନୂଆପଡ଼ା ରେଳଲାଇନ୍‌ ପାଇଁ ମିଳିତ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନ କରିବ ଘୋଷଣା କରିସାରିଛି।

ସମ୍ବନ୍ଧିତ ଖବର