ସାଂଘାତିକ ଖରା, ହୋଟେଲରେ ଦହି ପଖାଳ ଚାହିଦା ବୃଦ୍ଧି

ବରଗଡ଼: ଟାଣ ଖରା ଜନଜୀବନ ଅସ୍ତବ୍ୟସ୍ତ କରି ଦେଇଛି। ସଂଧ୍ୟା ୬ଟା ପରେ ବି ତାତିରୁ ନିସ୍ତାର ମିଳୁନି। ଖରା ବଢ଼ିବା ସାଂଗକୁ ପନିପରିବା ଆଉ ସୁଆଦୁଆ ଲାଗୁନି। ଶୁଖିଲା ଭାତ ମଧ୍ୟ ଅରୁଚିକର ଲାଗୁଛି। ଯେମିତି ପାଗ କରି ତରକାରୀ କଲେବି ଭାତ ପାଟିକୁ ଯାଉନି। ତେବେ ସହରର ବିଭିନ୍ନ ହୋଟେଲ୍‍ରେ ଏବେ ଦହି ପଖାଳର ଚାହିଦା ବଢ଼ିଯାଇଛି। ମାର୍ଚ୍ଚ ମାସରୁ କିଛି ହେଟେଲ୍‍ ଦହି ପଖାଳ ପ୍ରସ୍ତୁତି ଅରମ୍ଭ କରି ଦେଇଛନ୍ତି। ବର୍ତ୍ତମାନ ଦିନ ବେଳା ହୋଟେଲ୍‍କୁ ଆସୁଥିବା ଗରାଖମାନେ ଦହିପଖାଳ ଖୋଜୁଛନ୍ତି। ତେଣୁ ଚାହିଦାକୁ ଦୃଷ୍ଟିରେ ରଖି ହୋଟେଲଗୁଡ଼ିକରେ ଦହିପଖାଳ ଏବେ ପ୍ରମୁଖ ମେନ୍ୟୁରେ ସାମିଲ ହୋଇଯାଇଛି। ଖରାରେ ବୁଲାବୁଲି କରି ଅାସୁଥିବା ଲୋକେ ଦହିପଖାଳ ଖାଇବାକୁ ମନ କରୁଛନ୍ତି। ହୋଟେଲ୍‍ ଗୁଡ଼ିକରେ ଦହି ପଖାଳ ସହିତ ମାଛ ଭଜା, ଅାଳୁ ଚଟଣୀ, ଶାଗ, ବଡ଼ିଚୁନା ମଧ୍ୟ ପରସା ଯାଉଛି । ଦର ରହିଛି ୫୦ରୁ ୮୦ ଟଙ୍କା। ଫଳରେ ମିଲ୍‍ ଦର ସାଧାରଣ ଲୋକଙ୍କ ପକେଟ୍‍କୁ ସୁହାଉଛି। ଅନ୍ୟପକ୍ଷରେ କିଛି ହୋଟେଲ୍‍ରେ ଦହି ପଖାଳ ସାଂଗକୁ ଖାସି ମାଂସ, ଦେଶୀ କୁକୁଡ଼ା ମାଂସ ମଧ୍ୟ ପରସୁଛନ୍ତି। ଗ୍ରାହକଙ୍କୁ ଏଥିପାଇଁ ୮୦ରୁ ୧୨୦ ଟଙ୍କା ମଧ୍ୟରେ ବିଲ୍‍ ଦେବାକୁ ପଡ଼ୁଛି। ସେହିପରି ସାଦା ପଖାଳ ୩୦, ଦହି ପଖାଳ ୪୦ ଏବଂ ଛୁଙ୍କ ଦିଅା ଦହିପଖାଳ ୫୦ ଟଙ୍କାରେ ବିକ୍ରି ହେଉଛି। ତେବେ ଖରାଦିନରେ ଦହି ପଖାଳର ମଜା ତୁଳନାରେ ଏତିକି ଟଙ୍କା ବାଧୁନି ବୋଲି ଲୋକେ କହୁଛନ୍ତି। ଅଫିସ୍‍ କର୍ମଚାରୀ, କମ୍ପାନୀ ରିପ୍ରେଜେନ୍‍ଟେଟିଭ୍‍ ଏବଂ ଯାତ୍ରୀମାନେ ଦହି ପଖାଳ ଖାଇବାକୁ ବେଶୀ ଅାଗ୍ରହ ଦେଖାଉଛନ୍ତି। ଦହିପଖାଳ ଗଣ୍ଡାଏ ଏବଂ ତୋରାଣି ପିଇଲେ ଶାନ୍ତି ଲାଗୁଛି। ସହରରେ ଥିବା ଛୋଟବଡ଼ ହୋଟେଲ୍‍ ଏବଂ ଢ଼ାବାଗୁଡ଼ିକରେ ମଧ୍ୟ ଦହିପଖାଳ ପ୍ରସ୍ତୁତି ଚାଲିଛି। କିଛି ପ୍ରତିଷ୍ଠିତ ହୋଟେଲ୍‍ରେ ମଧ୍ୟ ଏହାକୁ ଖାଦ୍ୟ ମେନ୍ୟୁରେ ସ୍ଥାନ ଦେବାକୁ ଯୋଜନା ଥିବା ଜଣାପଡ଼ିଛି। କେବଳ ହୋଟେଲ୍‍ ନୁହଁ, ଘରେଘରେ ମଧ୍ୟ ଖାଇବା ଟେବୁଲ୍‍ରେ ଦହି ପଖାଳ କଂସା ସ୍ଥାନ ପାଉଛି। ଅନ୍ୟପକ୍ଷରେ ଖରା ଏବଂ ଗରମ ଯୋଗୁଁ ଲୋକେ ଛଣା ଜିନିଷ ବଦଳରେ ଦହିବରା ଅାଳୁଦମ୍‍ ଅାଡ଼କୁ ମୁହାଁଉଛନ୍ତି । ସହରର ପ୍ରତିଛକରେ ଦହିବରା ବିକ୍ରି ହେଉଛି । ପ୍ଲେଟ୍‍ ୧୦ଟଙ୍କା ଏବଂ େ‌ସ୍ପସାଲ୍‍ ପ୍ଲେଟ୍‍ ୧୫ ଟଙ୍କାରେ ମିଳୁଛି । ସଂଧ୍ୟାବେଳେ ଗୁପ୍‍ଚୁପ୍‍ ଦୋକାନଗୁଡ଼ିକରେ ପ୍ରବଳ ଭିଡ଼ ଲାଗି ରହୁଛି । ଏପରିକି ବିଭିନ୍ନ ସପିଂ ମଲ୍‍ରେ  ଗୁପ୍‍ଚୁପ୍‍ ବିକ୍ରି ହେଉଛି । ପାର୍କ, ପ୍ରମୁଖ ଛକରେ ଗୁପ୍‍ଚୁପ୍‍ ଠେଲା ମାଳମାଳ ହୋଇ ରହୁଛି । ଖରା ଦିନରେ ଗୁପ୍‍ଚୁପ୍‍ର ମଜା ନିଆରା ବୋଲି ଲୋକେ କହୁଛନ୍ତି। ଅନ୍ୟପକ୍ଷରେ ଫାଷ୍ଟ ଫୁଡ଼୍‍ ବେପାର ସାମାନ୍ୟ ମାନ୍ଦା ରହିଛି। ସୁପ୍‍, ଚାଓମିନ ଶୀତ ଦିନ ତୁଳନାରେ ଖୁବ୍‍ କମ୍‍ ବିକ୍ରି ହେଉଥିବା ଦୋକାନୀମାନେ କହୁଛନ୍ତି । ତେବେ ଖରା ଦିନରେ ସହରବାସୀଙ୍କୁ ଖାଦ୍ୟ ମେନ୍ୟୁ ଏବଂ ରୁଚି ପରିବର୍ତ୍ତନ ହୋଇଥିବା ବାରି ହୋଇପଡ଼ିଛି।

ସମ୍ବନ୍ଧିତ ଖବର