ଥମୁନି ବିବାଦ:ଡମ୍ପିଂୟାର୍ଡରେ ଲାଗିବ ୧୪୪!

ବରଗଡ଼: ବରଗଡ଼ ଡମ୍ପିଂୟାର୍ଡ ନେଇ ଚାଲିଥିବା ବିବାଦ କ୍ରମଶଃ ଜଟିଳ ରୂପ ଧାରଣ କରିଛି। ସପ୍ତାହେରୁ ଅଧିକ ସମୟ ହେଲା ଡମ୍ପିଂୟାର୍ଡ ସ୍ଥାନାନ୍ତର ଦାବିରେ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନକାରୀମାନେ ୟାର୍ଡର ଗେଟ୍‌ରେ ତାଲା ମାରିଥିବାରୁ ଆବର୍ଜନା ଭିତରେ ପଡ଼ୁନାହିଁ। ବିକଳ୍ପ ଯାଗା ନଥିବାରୁ ପୌର ପରିଷଦର ସଫେଇ କର୍ମଚାରୀମାନେ ଆଉ ଆବର୍ଜନା ଉଠାଉ ନାହାନ୍ତି। ଫଳରେ ସହର ସାରା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ରାସ୍ତାଘାଟ କଡ଼େ କୁଢ଼କୁଢ଼ ଆବର୍ଜନା ପଡ଼ି ରହିଛି। ଏହି ବାବଦର ପରିସମାପ୍ତି କେବେ ଘଟିବ, ତାହା ସ୍ପଷ୍ଟ ହୋଇନାହିଁ। ବୁଧବାର ଆନ୍ଦୋଳନକାରୀ, ଜିଲ୍ଲା ପ୍ରଶାସନ ଏବଂ ପୌର ପରିଷଦ କର୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଗୁରୁବାର ଠାରୁ ଆବର୍ଜନା ପଡ଼ିବ ବୋଲି ସହମତି ପ୍ରକାଶ ପାଇଥିଲା। କିନ୍ତୁ ଆଜି ସଫେଇ କର୍ମଚାରୀମାନେ ଆବର୍ଜନା ପକାଇବାକୁ ଡମ୍ପିଂୟାର୍ଡ ଯାଇଥିବାବେଳେ ଆନ୍ଦୋଳନ ଜାରି ରହିଥିଲା।

ଖବର ପାଇ ଉପଜିଲ୍ଲାପାଳ, ପୌର ନିର୍ବାହୀ ଅଧିକାରୀ, ପୌର ଯନ୍ତ୍ରୀ ଏବଂ ପୁଲିସ୍‌ ପ୍ରଶାସନ ଘଟଣାସ୍ଥଳରେ ପହଂଚିଥିଲେ। ୟାର୍ଡ ସମ୍ମୁଖରୁ ହଟିଯିବା ପାଇଁ ଅନୁରୋଧ କରିଥିଲେ। ହେଲେ ଆନ୍ଦୋଳନକାରୀମାନେ ଜିଦ୍‌ରେ ଅଟଳ ରହିବାରୁ ପୁଣି ଥର ଅଚଳାବସ୍ଥା ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଶୁକ୍ରବାର ସକାଳୁ ଡମ୍ପିଂୟାର୍ଡ ପରିସରରେ ୧୪୪ ଲାଗୁ ହେବ ଏବଂ ଆବର୍ଜନା ପକାଇବା କାମ ପୁନର୍ବାର ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଡମ୍ପିଂୟାର୍ଡ ସ୍ଥାନାନ୍ତର ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି। ତେବେ ମାତ୍ର ୧୦ଜଣଙ୍କ ପାଇଁ ଲକ୍ଷେ ଲୋକଙ୍କ ସ୍ୱାର୍ଥ ସହ ସାଲିସ୍‌ ହେବନି ବୋଲି ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା ପ୍ରତିକ୍ରିୟାରେ ଜଣାଇଛନ୍ତି। ଏହି ୟାର୍ଡ ପାଇଁ ପୌର ପରିଷଦ ପାଖରେ ସବୁ ସରକାରୀ ଅନୁମୋଦନ କାଗଜପତ୍ର ରହିଛି। ୟାର୍ଡର ଆବର୍ଜନାକୁ ସୁରକ୍ଷିତ ରଖିବା ପାଇଁ ଉଚ୍ଚ ପାଚେରୀ ରହିଛି। ୟାର୍ଡ ହେବା ପରେ ପାଖରେ ଜନବସତି ହେବା ଅନୁଚିତ। ତେଣୁ ପୌର ପରିଷଦ କିଛି ନିୟମ ଖିଲାପ କରିନାହିଁ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର