୨୦୧୫ କୁଚିଣ୍ଡା ହାଜତ ମୃତ୍ୟୁ ମାମଲା:ଓଏଚ୍‌ଆରସି ତଦନ୍ତ ଆରମ୍ଭ

ଗଡ଼ପୋଷ: ବାମରା ବ୍ଲକ କିନାବଗା ପଞ୍ଚାୟତ ଡଙ୍ଗାଯୋର ଗ୍ରାମ ନୂଆପଡା ନିବାସୀ ଦିଲୀପ ଭଇଁଷା (୩୩)ଙ୍କ କୁଚିଣ୍ଡା ହାଜତରେ ମୃତ୍ୟୁ ହୋଇଥିଲା। ଏହି ମାମଲାର ଓଏଚଆରସି ତଦନ୍ତ ମଂଗଳବାର ଆରମ୍ଭ ହୋଇ ଯାଇଛି। ଓଏଚଆରସି ଡିଏସପି ବିମଲେନ୍ଦୁ ଶତପଥୀ ପରିବାର ବର୍ଗଙ୍କ ବୟାନ ରେକର୍ଡ କରିଛନ୍ତି। ମୃତକଙ୍କ ସ୍ତ୍ରୀ ତୁଳସୀ ଭଇଁଷା, ଭାଇ ଯଦୁମଣି ଭଇଁଷା, ସନ୍ତୋଷ ମହାକୁଡ, ଅନୀଲ ମହାକୁଡ ଓ ତରଣୀସେନ ଗୋହିରର ବୟାନ ରେକର୍ଡ କରିଥିଲେ। ଏହାପରେ ଗୋବିନ୍ଦପୁର ଥାନାକୁ ଯାଇଥିଲେ। ବୁଧବାର କୁଚିଣ୍ଡା ଥାନା ଓ ହାଜତକୁ ଯାଇ ଅନୁସନ୍ଧାନ କଲାପରେ କୁଚିଣ୍ଡା ମେଡିକାଲକୁ ଯାଇ ମୃତ୍ୟୁର କାରଣ ଜାଣିବାକୁ ଉଦ୍ୟମ କରିବେ ବୋଲି ଜଣାପଡିଛି।
୨୨ ଏପ୍ରିଲ ୨୦୧୫ରେ ଦିଲୀପ ଭଇଁଷାଙ୍କ ବେଆଇନ ମଦ କାରବାର ଅଭିଯୋଗରେ ଗଡପୋଷ ଫାଣ୍ଡି ପୁଲିସ ଗିରଫ କରି ପର ଦିନ କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ତେବେ ୨୬ ତାରିଖ ସକାଳେ ସେ ଅସୁସ୍ଥ ହେବାରୁ ତାକୁ କୁଚିଣ୍ଡା ମେଡିକାଲକୁ ପଠା ଯାଇଥିଲା। ସକାଳ ୬.୨୦ରେ ତାଙ୍କ ମୃତ୍ୟୁ ହୋଇଥିଲା। ମାତ୍ର ପରିବାର ଲୋକେ ମୃତ୍ୟୁକୁ ଅସ୍ଵୀକାର କରି ଜମାନତରେ ଆଣିବେ ବୋଲି ଜିଦ ଧରିଥିଲେ। ପୁଲିସ ଅନେକ ବୁଝାସୁଝା କରି ବିଫଳ ହୋଇଥିଲା। ମାତ୍ର ପରିବାର ଶବ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ପରଦିନ ବାମରା ତହସିଲଦାର ଦିବ୍ୟଲୋଚନ ମହନ୍ତ ଓ ଗୋବିନ୍ଦପୁର ଆଇଆଇସି ଧୀରଜ ଚୋପଦାର ଆଲୋଚନା କରି ଶବ ବ୍ୟବଚ୍ଛେଦ ପାଇଁ କହିଥିଲେ। ମାତ୍ର ପରିବାର ଲୋକେ ଗଡପୋଷ ଏଏସଆଇଙ୍କୁ ନିଲମ୍ବିତ କରିବା ସହ କ୍ଷତିପୂରଣ ବାବଦକୁ ୧୦ ଲକ୍ଷ ଟଙ୍କା, ତାଙ୍କ ସ୍ତ୍ରୀକୁ ସରକାରୀ ଚାକିରି ଓ ଦୁଇ ପୁଅ ପାଇଁ ମଧ୍ୟ ପାଠପଢାର ସୁବିଧା ଦାବି କରିଥିଲେ। ଶେଷରେ ତତ୍କାଳୀନ ଜିଲ୍ଲା ପରିଷଦ ସଭ୍ୟ ତଥା ବର୍ତମାନ ବାମରା ବ୍ଲକ ଅଧ୍ୟକ୍ଷ ସଦାନନ୍ଦ କୁଜୁର ଓ କିନାବଗା ପୂର୍ବ ସରପଞ୍ଚ କୃଷ୍ଣଚନ୍ଦ୍ର ଟପ୍ପୋ ହସ୍ତକ୍ଷେପ କରି ଏହାର ସମାଧାନ କରି ଶବ ବ୍ୟବଚ୍ଛେଦ ଓ ଶବଦାହ ପାଇଁ ପରିବାରବର୍ଗଙ୍କୁ ରାଜି କରିଥିଲେ। ଏହି ମାମଲାରେ ପରିବାର ଲୋକେ ମାନବାଧିକାର ଆୟୋଗଙ୍କ ଦ୍ଵାରସ୍ଥ ହୋଇଥିଲା ବେଳେ ପ୍ରାୟ ୪ ବର୍ଷ ପରେ ଓଏଚଆରସି ଏହାର ଅନୁସନ୍ଧାନ କରୁଛି।

ସମ୍ବନ୍ଧିତ ଖବର