ବରଗଡ଼: ଜିଲ୍ଲାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ବିକଳ ଚିତ୍ର ସାମନାକୁ ଆସିଛି। ଯୁକ୍ତ ୨ କଲେଜ୍‌ରେ ମାତ୍ରାଧିକ ସିଟ୍‌ ଖାଲି ପଡ଼ିବା ଚିନ୍ତାର କାରଣ ପାଲଟିଛି। ଏଥର ଯୁକ୍ତ ୨ କଲେଜ୍‌ ଗୁଡ଼ିକରେ ୨୫୬୦ଟି ସିଟ୍‌ ଫାଙ୍କା ରହିଛି। ମାଟ୍ରିକ୍‌ରେ ଜିଲ୍ଲାରେ ପାସ୍‌ ହାର ୯୭.୨୨ ପ୍ରତିଶତ ରହିଥିଲା। ତେଣୁ ସିଟ୍‌ ପାଇଁ କଡ଼ା ପ୍ରତିଦ୍ବନ୍ଦ୍ବିତା ହେବ ବୋଲି ପୂର୍ବରୁ ଆକଳନ ଥିଲା। କାଁଭାଁ କଲେଜ୍‌ରେ ସିଟ୍‌ ଫାଙ୍କା ପଡ଼ିବ ବୋଲି ଶିକ୍ଷାବିତ୍‌ମାନେ କହୁଥିଲେ। କିନ୍ତୁ ସବୁ ଆକଳନ ଫେଲ୍‌ ମାରିଛି। ଆଶ୍ଚର୍ଯ୍ୟର କଥା, ବିଜ୍ଞାନ ପଢ଼ିବାକୁ ଆଉ ପିଲା ଇଚ୍ଛା କରୁନାହାନ୍ତି। ବିଜ୍ଞାନରେ ୭୨ଟି କଲେଜ୍‌ରେ ୩,୦୦୮ଟି ସିଟ୍‌ ଉପଲବ୍ଧ ଥିବାବେଳେ ଏଥିରୁ ୧୮୫୨ଟି ସିଟ୍‌ରେ ନାମଲେଖା ହୋଇଛି। ୧,୧୫୬ ସିଟ୍‌ ଫାଙ୍କା ରହିଛି। ଗତ ଶିକ୍ଷାବର୍ଷରେ ବିଜ୍ଞାନରେ ୫୧୮ଟି ସିଟ୍‌ ଫାଙ୍କା ରହିଥିଲା। ତା' ପୂର୍ବବର୍ଷ ୧,୨୪୨ ସିଟ୍‌ରେ ନାମଲେଖା ହୋଇନଥିଲା। ପ୍ରତିବର୍ଷ ବିଜ୍ଞାନରେ ସିଟ୍‌ ରିକ୍ତ ସଂଖ୍ୟା ବଢ଼ୁଥିବାରୁ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକାଶ କରୁଛନ୍ତି।

Advertisment

ଏଥର ୭୨ଟି ଯୁକ୍ତ ୨ କଲେଜ୍‌ରେ ନାମଲେଖା ହୋଇଛି। ଏସବୁ କଲେଜ୍‌ରେ କଳାରେ ୧୦,୬୫୬, ବିଜ୍ଞାନରେ ୩୦୦୮, ବାଣିଜ୍ୟରେ ୮୦୦, ସଂସ୍କୃତରେ ୧୨୮, ଧନ୍ଦାମୂଳକ ଶିକ୍ଷାରେ ୨୬୪ ସିଟ୍‌ ଉପଲବ୍ଧ ରହିଥିଲା। ଅର୍ଥାତ ମୋଟ୍‌ ୧୪,୮୫୬ ସିଟ୍‌ ନାମଲେଖା ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ଏଥିରୁ ୧୨,୨୯୬ ସିଟ୍‌ରେ ନାମଲେଖା ହୋଇଛି। ୨୦୨୨-୨୩ ଶିକ୍ଷା ବର୍ଷରେ ଜିଲ୍ଲାରେ ମୋଟ୍‌ ୧,୦୧୪ ସିଟ୍‌ ଫାଙ୍କା ରହିଥିଲା। ୨୦୨୧-୨୨ ଶିକ୍ଷା ବର୍ଷରେ ରେକର୍ଡ ୩,୦୫୩ ସିଟ୍‌ରେ ନାମଲେଖା ହୋଇନଥିଲା। ଯୁକ୍ତ ୩ରେ ମଧ୍ୟ ସମାନ ଅବସ୍ଥା। ଯୁକ୍ତ ୩ର ମୋଟ୍‌ ୩୬ଟି କଲେଜ୍‌ରେ ନାମଲେଖା ଚାଲିଛି। ଏଥିରେ ମୋଟ୍‌ ୮୦୦୮ଟି ସିଟ୍‌ ଉପଲବ୍ଧ ରହିଛି। କିନ୍ତୁ ୪୨୯୫ଟି ସିଟ୍‌ରେ ନାମଲେଖା ସରିଥିବାବେଳେ ୩୭୧୩ଟି ସିଟ୍‌ ଖାଲି ରହିଛି। ଯୁକ୍ତ ୩ରେ ମଧ୍ୟ ବିଜ୍ଞାନର ବିଭିନ୍ନ ପାଠ୍ୟକ୍ରମରେ ମାତ୍ରାଧିକ ସିଟ୍‌ ଫାଙ୍କା ରହିଛି।