ବରଗଡ଼: ଶ୍ରୀ ଶ୍ରୀ ଠାକୁର ସ୍ୱାମୀ ନିଗମାନନ୍ଦ ସରସ୍ବତୀ ଦେବଙ୍କ ୭୨ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଶନିବାର ମେଲଛାମୁଣ୍ଡା ସଂଘଠାରେ ଆରମ୍ଭ ହୋଇଛି। ତିନିଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ହଜାର ହଜାର ଭକ୍ତଙ୍କ ସମାବେଶ ଦେଖିବାକୁ ମିଳିଛି। ନୀଳାଚଳ ସାରସ୍ୱତ ସଙ୍ଘ ପୁରୀଙ୍କ ତତ୍ୱାବଧାନରେ ତଥା ଆବାହକ କମିଟିର ସଭାପତିଙ୍କ ଆବାହନ କ୍ରମେ ସମସ୍ତ ଶାଖା ସଙ୍ଘ ଭକ୍ତମାନେ ଏଥିରେ ଯୋଗ ଦେଇଛନ୍ତି। ଆଜି ଦ୍ବିତୀୟ ଦିବସରେ ଏଠାରେ ମହିଳା ସଭା ଚାଲିଛି। ଏଥିରେ ଅତିଥି ଭାବେ ରାଜ୍ୟ ବୟନ ଓ ହସ୍ତତନ୍ତ ମନ୍ତ୍ରୀ ରୀତା ସାହୁ ଏବଂ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଯୋଗ ଦେଇଛନ୍ତି।

Advertisment

publive-image

ଉଲ୍ଲେଖଯୋଗ୍ୟ, ପରମହଂସ ପରିବ୍ରାଜକାଚାର୍ଯ୍ୟ ସଦଗୁରୁ ଶ୍ରୀମଦ୍‌ ସ୍ୱାମୀ ନିଗମାନନ୍ଦ ସରସ୍ୱତୀଦେବ ଶିଷ୍ୟ ଓ ଭକ୍ତମାନଙ୍କ ମଧ୍ୟରେ ଆଦର୍ଶ ଗୃହସ୍ଥ ଜୀବନ ଗଠନ, ସଙ୍ଘ ଶକ୍ତିର ପ୍ରତିଷ୍ଠା ଓ ଭାବବିନିମୟ ନିମିତ୍ତ ଭକ୍ତ ସମ୍ମିଳନୀ ନାମକ ଏକ ମହାନ ଆଧ୍ୟାତ୍ମିକ ଭାବଧାରା ବୋଲି କହିଥିଲେ। ପ୍ରଥମ ଅଧିବେଶନ ପ୍ରାତଃ ସାଢ଼େ ୪ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ପ୍ରାତଃ ପୂଜା, ଷୋଡ଼ଶ ଉପଚାର ପୂଜା, ଆରତୀ, ବନ୍ଦନା, ପ୍ରାର୍ଥନା, ଆବାହନ ଗାନ ଓ ପ୍ରବଚନ କାର୍ଯ୍ୟକ୍ରମ ରହିଥିବା ବେଳେ ଭାବ ଓ ଭକ୍ତିର ପରିବେଶରେ ଆଧ୍ୟାତ୍ମିକ ଚେତନା ଓ ସୁନ୍ଦର ପରିବେଶ ମଧ୍ୟରେ ଭଗବତ ଜ୍ଞାନ ଓ ଚର୍ଚ୍ଚା ସନାତନ ଧର୍ମର ରକ୍ଷା ଯିବେ ଦୟା ପରି ବିଭିନ୍ନ ପ୍ରସଙ୍ଗ ଉପରେ ଅତିଥି ସନ୍ୟାସୀ ଓ ବକ୍ତା ପ୍ରବଚନ ଦେଇଥିଲେ।  ବିଶିଷ୍ଟ ଅତିଥି ପୂଜ୍ୟ ପରମହଂସ ପ୍ରଙ୍ଗାନନ୍ଦଜୀ ମହାରାଜ, ଶ୍ରୀମଦ ସ୍ୱାମୀ ଦିବ୍ୟାନନ୍ଦ ମହାରାଜ, ଶ୍ରୀମଦ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ମହାରାଜ, ପୂଜ୍ୟ ଶ୍ରୀମଦ ସରସ୍ୱତୀ ଜୟଦେବ ଭାରତୀ ଓ ମୁଖ୍ୟ ବକ୍ତା ସମାଜସେବୀ ଗୀତା ମିଶ୍ର ଓ ପୂର୍ବତନ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଉପସ୍ଥିତ ରହି ଭଗବତ ଆଲୋଚନା ଚର୍ଚ୍ଚା କରିଥିଲେ।

publive-image

ଏନେଇ ବରଗଡ଼ ଜିଲ୍ଲା ସମେତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ହଜାର ହଜାର ଭକ୍ତଙ୍କ ସମାବେଶ ହୋଇଛି ବୋଲି ନୀଳାଚଳ ସାରସ୍ୱତ ସଙ୍ଘ ପୁରୀର ସଭାପତି ଗଗନେନ୍ଦ୍ର ମହାପାତ୍ର କହିଛନ୍ତି। ଭକ୍ତମାନଙ୍କ ରହିବା ପାଇଁ ଅସ୍ଥାୟୀ ନିବାସ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ସହ ପ୍ରସାଦସେବନର ବ୍ୟବସ୍ଥା କରାଯାଇଛି। ନୀଳାଚଳ ସାରସ୍ୱତ ସଙ୍ଘ ପରିଚାଳକ ଦୁର୍ଗାଚରଣ ମହାନ୍ତି, ସଭାପତି ଗଗନେନ୍ଦ୍ର ମହାପାତ୍ର, ଭକ୍ତ ସମ୍ମିଳନୀ ଆବାହକ କମିଟି ସଭାପତି କଳ୍ପତରୁ ସେନାପତି ଓ ଭକ୍ତ ସମ୍ମିଳନୀ ଅଭ୍ୟର୍ଥନା କମିଟି ସଭାପତି, ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ତତ୍ୱାବଧାନରେ ପ୍ରାଦେଶିକ ଭକ୍ତ ସମ୍ମିଳନୀ ଅନୁଷ୍ଠିତ ହୋଇଛି।