ନବୀନ ନିବାସରେ ବିଜେଡିରେ ମିଶିଲେ ୫୦ ବିଜେପି କର୍ମୀ:ବିଜେପୁରରେ ପୁଣି ବିଜେପିକୁ ବଡ଼ ଝଟ୍‌କା

ବିଜେପୁର: ବିଜେପି ସମର୍ଥିତ ଜିଲ୍ଲା ପରିଷଦ ସଭ୍ୟମାନଙ୍କୁ ବିଜେଡି ନିଜ ଦଳରେ ସାମିଲ କରିଥିବା ଘଟଣାର ଚର୍ଚ୍ଚା ସରି ନଥିବା ବେଳେ ପୁଣି ଥରେ ବିଜେପୁରରେ ବିଜେପିକୁ ଆଉ ଏକ ଝଟ୍‌କା ଲାଗିଛି। ଦଳର ବ୍ୟକ୍ତି କୈନ୍ଦ୍ରିକ ସ୍ଥିତି, ସ୍ଥାନୀୟ କର୍ମୀଙ୍କୁ ଅଣଦେଖା ଓ ଟିକଟ ବଣ୍ଟନରେ ଅନିୟମିତତା କରାଯାଉଥିବା ଅଭିଯୋଗ କରି ରବିବାର ବିଜେପୁର ନିର୍ବାଚନମଣ୍ଡଳରୀର ୫୦ ଜଣ ବିଜେପି କର୍ମୀ ଭୁବନେଶ୍ବର ସ୍ଥିତ ନବୀନ ନିବାସରେ ପହଞ୍ଚି ବିଜେଡିରେ ଯୋଗ ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ଗତ ପଞ୍ଚାୟତ ନିର୍ବାଚନ ବେଳେ ଦଳୀୟ କର୍ମୀଙ୍କ ଅକ୍ରାନ୍ତ ପରିଶ୍ରମ ଯୋଗୁଁ ବିଜେପିକୁ ସଫଳତା ମିଳିଥିଲା। ମାତ୍ର ଏହା ପରେ ବିଜେପୁର ଉପନିର୍ବାଚନ ବେଳେ ବିଜେପି ଅନ୍ୟ ଦଳରୁ ଆସିଥିବା ଜଣକୁ ବିଧାନ ସଭା ଟିକଟ ଦେଇଥିବାରୁ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ସେହିପରି ଚଳିତ ନିର୍ବାଚନରେ ମଧ୍ୟ ବିଧାନସଭା ପାଇଁ ଟିକଟ ପ୍ରଦାନରେ ସ୍ଥାନୀୟ କର୍ମକର୍ତ୍ତାଙ୍କ କୈାଣସି ପରାମର୍ଶ ନ ନେଇ ଦଳ ମନମୁଖୀ କରିଛି। ତେଣୁ ପ୍ରତିବାଦ ଜଣାଇ ବିଜେପି ନେତା କୃପାସିନ୍ଧୁ ସାହୁ, ଡା. ସୁଦାମ ସାହୁ, ଅଚ୍ୟୁତା ଦାଶ, ସାଇପାଲି ମଣ୍ଡଳ ସଭାପତି ଦିବାକର ଧରୁଆ, ଲାଉମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି ସାହୁ, ଦେବେନ୍ଦ୍ର ସାହୁ, ଯଶୋବନ୍ତ ସାହୁ, ନାରାୟଣ ସାହୁ, ନାଥୁରାମ ବାରିକ, ସୁଦାମ ଚରଣ ପଧାନଙ୍କ ସହ ମୋଟ ୫୦ ଜଣ କର୍ମୀ ଓ ପଦାଧିକାରୀ ରବିବାର ଦଳର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ଇ-ମେଲ୍‌ରେ ଇସ୍ତଫା ପତ୍ର ପଠାଇବା ସହ ସନ୍ଧ୍ୟାରେ ସମସ୍ତେ ନବୀନ ନିବାସକୁ ଯାଇ ବିଜେଡିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ପୂର୍ବ ବିଧାୟିକା ରୀତା ସାହୁ ଓ ବରିଷ୍ଠ ନେତା ଗୈାରହରି ମିଶ୍ର ଉପସ୍ଥିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର