ଏଟିଏମ୍‌ରୁ ଟଙ୍କା ଲୁଟ୍‌ ଅଭିଯୁକ୍ତ କୋର୍ଟ ଚାଲାଣ

ବିଜେପୁର: ଏଟିଏମ୍‌ରୁ ଟଙ୍କା ଲୁଟ୍‌ ମାମଲାରେ ବରଗଡ଼ ଜିଲ୍ଲା ବିଜେପୁର ପୁଲିସ୍‌ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ନଅଗାଁ (କ)ର ନାରାୟଣ ସାହୁ ଓ ପୁଲିସ୍‌ ତା’ ଠାରୁ ୨୦ ହଜାର ଟଙ୍କା ଜବତ କରିଛି।
ପୁଲିସ୍‌ର ସୂଚନା ଅନୁସାରେ ବିଜେପୁର ଥାନା ବରମୁଣ୍ଡା ଗାଁର ପଦ୍ମନାଭ ସାହୁ ଗତ ଶନିବାର ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ୍‌ ସଂଲଗ୍ନ ଏଟିଏମ୍‌ରୁ ଟଙ୍କା ଉଠାଣ କରିଥିଲେ। ତେବେ ପିନ୍‌ ନମ୍ବର ଦେବା ପରେ ସ୍କ୍ରିନ୍‌ରେ ଆଧାର ନମ୍ବର ଏଣ୍ଟ୍ରି କରିବାକୁ ନିର୍ଦ୍ଦେଶ ଆସିଥିଲା। ମାତ୍ର ଶ୍ରୀ ସାହୁ ନିଜ ପାଖରେ ଆଧାର କାର୍ଡ ରଖି ନଥିବାରୁ ବିଚଳିତ ହୋଇ ପଡ଼ିଥିଲେ। ଏହି ସମୟରେ ପଛପଟେ ଥିବା ଅଭିଯୁକ୍ତ ନାରାୟଣ ତାଙ୍କୁ ବ୍ୟାଙ୍କ୍‌କୁ ଯାଇ ପଚାରି ବୁଝିବାକୁ କହିଥିଲା। ଫଳରେ ଶ୍ରୀ ସାହୁ ଲଗ୍‌ଆଉଟ୍‌ ନ କରି ବ୍ୟାଙ୍କ୍‌ ଭିତରକୁ ଚାଲି ଯାଇଥିଲେ।

ଏହାର ସୁଯୋଗ ନେଇ ନାରାୟଣ ତାଙ୍କ ଆକାଉଣ୍ଟରୁ ୨୦ ହଜାର ଟଙ୍କା ଉଠାଇ ଚମ୍ପଟ ମାରିଥିଲା। କିଛି ସମୟ ପରେ ତାଙ୍କ ମୋବାଇଲ୍‌କୁ ୨୦ ହଜାର ଟଙ୍କା ଉଠାଣ ମେସେଜ୍‌ ଆସିବାରୁ ଶ୍ରୀ ସାହୁ ଥାନାରେ ଏତଲା ଦେଇଥିଲେ। ପୁଲିସ୍‌ ଥାନା କେସ୍‌ ନଂ. ୧୮୬/୧୭ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଫୁଟେଜ୍‌ରୁ ପୁଲିସ୍‌ ଅଭିଯୁକ୍ତର ଟେର ପାଇ ତନାଘନା ଚଳାଇଥିଲା। ତେବେ ପୁଣି ଥରେ ଟଙ୍କା ଲୁଟିବା ଉଦ୍ଦେଶ୍ୟରେ ନାରାୟଣ ବ୍ୟାଙ୍କ୍‌ ପରିସରରେ ବୁଲାବୁଲି କରୁଥିବା ବେଳେ ମଙ୍ଗଳବାର ପୁଲିସ୍‌ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର