ଉଚ୍ଛେଦ ପାଇଁ ସହମତି : ଟ୍ରାଫିକ୍‌ ନିୟମ କଡ଼ାକଡ଼ି ନିଷ୍ପତ୍ତି

ବରଗଡ଼: ଜିଲ୍ଲାରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ଏବଂ ମୃତାହତ ସଂଖ୍ୟା ନେଇ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ ଟ୍ରାଫିକ୍‌ ନିୟମକୁ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ହୋଇଛି। ଏଣିକି ସଭା-ସମିତି ଏବଂ ଭାଷଣରେ ନୁହେଁ, କାମରେ ଦେଖାଇବାକୁ ହେବ ବୋଲି ବୈଠକରେ ଉପସ୍ଥିତ ଥିବା ବିଭିନ୍ନ ଅନୁଷ୍ଠାନ ଏବଂ ସଂଘର ପ୍ରତିନିଧି ମାନେ ପ୍ରଶାସନକୁ ଆହ୍ଵାନ କରିଛନ୍ତି। ବୈଠକରେ ନିଷ୍ପତ୍ତି ଅନୁଯାୟୀ, ସ୍ୱଳ୍ପ ବୟସର ପିଲା ବାଇକ୍‌ ଚଳାଉଥିଲେ ତାଙ୍କୁ ଥାନାରେ ଅଟକ ରଖାଯିବ। ଅତିକମ୍‌ରେ ୫-୬ ଘଣ୍ଟା ସେମାନେ ଥାନାରେ ବସିବେ। ସ୍ପିଡ୍‌ ବାଇକିଂ ଉପରେ ପୁଲିସ୍‌ କଡ଼ା ପଦକ୍ଷେପ ନେବ। କୌଣସି ସ୍ପିଡ୍‌ ବାଇକ୍‌ ଚାଳକ ଧରାପଡ଼ିଲେ ତାଙ୍କ ଲାଇସେନ୍ସ ରଦ୍ଧ ହେବ। ଜାତୀୟ ରାଜପଥ କିମ୍ବା ସହର ଭିତରେ ଭୁଲ୍‌ ପାର୍ଶ୍ୱ (ରଂଗ୍‌ ସାଇଡ୍‌)ରେ ଯାଉଥିବା ଭାରୀଯାନକୁ ପୁଲିସ୍‌ ଜବତ କରିବ। ଡ୍ରାଇଭର୍‌ଙ୍କ ଲାଇସେନ୍ସ ଜବତ ହେବ।

ସହର ସାରା ଏବଂ ଏନ୍‌ଏଚ୍‌ ଉପରେ ଗାଡ଼ି କାଗଜପତ୍ର ଯାଂଚ ହେବ। ବାଇକ୍‌ ହେଉକି ଚାରି ଚକିଆ, କାଗଜପତ୍ର ନଥିଲେ ତାକୁ ଥାନାରେ ଜବତ କରି ରଖାଯିବ। ଜାତୀୟ ରାଜପଥ ଉପରେ ମାତ୍ରାଧିକ ହମ୍ପସ୍‌କୁ ବୈଠକରେ ତୀବ୍ର ବିରୋଧ କରାଯାଇଛି। ଏହି ହମ୍ପସ୍‌ ଚିହ୍ନଟ କରି ତାକୁ ଉଠାଯିବ ଏବଂ ଉଚ୍ଚତା ମଧ୍ୟ କମ୍‌ କରାଯିବ। ସହର ଭିତରେ ଟ୍ରକ୍‌ ପାର୍କିଂ ହେଉଥିବାରୁ ରାସ୍ତା ସଂକୁଚିତ ହେବା ସହ ଟ୍ରାଫିକ୍‌ ଜାମ୍‌ ହେଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍‌ ମିଳିତ ଭାବେ ପଦକ୍ଷେପ ନେବେ। ସହର ଭିତରେ କୌଣସି ସ୍ଥାନରେ ଟ୍ରକ୍‌ ପାର୍କିଂ ପାଇଁ ଅନୁମତି ନଦେବାକୁ ବୈଠକରେ ଦାବି ହୋଇଛି। ଟ୍ରକ୍‌ ପାର୍କିଂ ପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି।

ଏହାବାଦ ଟାଉନ ଥାନା ସମ୍ମୁଖରୁ ରାସ୍ତା ଉପରେ ଉଠାଦୋକାନୀଙ୍କ ଉପରେ କଟକଣା ଲାଗିବ। ଏଠାରୁ ହସ୍ପିଟାଲ ରାସ୍ତା ଯାଏଁ ଉଠାଦୋକାନୀଙ୍କୁ ଉଚ୍ଛେଦ ପାଇଁ ପୌର ପରିଷଦକୁ ପୁଲିସ୍‌ ଆବଶ୍ୟକ ସହାୟତା ଯୋଗାଇବ। ଅନ୍ୟପକ୍ଷରେ ଗାନ୍ଧୀଛକରୁ ଖଜୁରଟିକ୍ରା ଛକ ପର୍ଯ୍ୟନ୍ତ ବ୍ରେକ୍‌ ଡାଉନ୍‌ ହୋଇ ପଡ଼ିଥିବା ଗାଡ଼ି ଗୁଡ଼ିକୁ ସହର ବାହାରକୁ ସ୍ଥାନାନ୍ତର କରିବାକୁ ମଧ୍ୟ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ବୈଠକରେ ଏଡିଏମ୍‌ ଯୁଧିଷ୍ଠିର ନାଏକ, ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର, ଏଏସ୍‌ପି ଯଶୋବନ୍ତ ସେନାପତି, ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା, ନିର୍ବାହୀ ଅଧିକାରୀ ସୁଶାନ୍ତ ରାଉତ, ଆର୍‌ଟିଓ କେସି ନାୟକ, ଓକିଲ ସଂଘ ସଭାପତି ଶଶୀଭୁଷଣ ପ୍ରଧାନ, ସଂପାଦକ ହରିହର ପ୍ରଧାନ, ହରଦୀପ ସିଂ, ପ୍ରୀତମ ସିଂ, ଡ. ଡୋଳାମଣି ଶତପଥୀଙ୍କ ସମେତ ବିଭିନ୍ନ ସଂଗଠନ ଏବଂ ସଂଘର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର