ଗଛରେ ପିଟି ହେଲା ପିକଅପ ଭ୍ୟାନ୍: ଜଣେ ମୃତ, ୨ ଗୁରୁତର

ବରପାଲି: ବରଗଡ଼ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ବନ୍ଧପାଲି ଗ୍ରାମ ନିକଟରେ ବିଜେପୁର ରାସ୍ତାରେ ଭୋର ୪ଟା୩୦ରେ ରାସ୍ତାକଡ଼ରେ ଥିବା ପିପ୍ପଳ ବୃକ୍ଷରେ ଧକ୍କାଦେଇ ଏକ ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ମିଳିଛି।  ଆନ୍ଧ୍ର ପ୍ରଦେଶ ନମ୍ବର ଥିବା ଏକ ପିକଅପ ଭ୍ୟାନ (ଏପି ୩୯ ଟିକ୍ୟୁ ୪୧୮୬) ଓଲଟିବା ସହ ଗାଡ଼ିର ପଛପଟ ଚକ ସହ ଚେଚିସ ଛିଣ୍ଡିଯାଇଥିଲା। ଏହାଫଳରେ ଗାଡ଼ିରେ ବସିଥିବା ୨ଜଣ ବ୍ୟକ୍ତି ଗୁରୁତର ରହିଥିବା ବେଳେ ଜଣେ  ଚାପି ହୋଇ ଜଣେ ମୃତ ହୋଇଥିବା ଦେଖାଯାଇଥିଲା।

ଦୁର୍ଘଟଣା ହେବା ଦେଖି ନିକଟସ୍ଥ ବନ୍ଧପାଲି ଗ୍ରାମବାସୀ ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଦ୍ବାରା ବରପାଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ ଏବଂ ବରପାଲି ପୁଲିସକୁ ଏସମ୍ପର୍କରେ ସୂଚନା ଦେଇଥିଲେ। ବରପାଲି ପୁଲିସ ଘଟଣା ସଂପର୍କରେ ଖବରପାଇ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ବରପାଲି ଓ ସୋହେଲା ଅଗ୍ନିଶମ ବିଭାଗର ସହଯୋଗରେ ମୃତ ବ୍ୟକ୍ତିଙ୍କ ଚାପିହୋଇଥିବା ଗାଡ଼ିରୁ ଉଦ୍ଧାର କରିଥିଲେ।

ଏନେଇ ଏକ ମାମଲା ରୁଜୁକରି ଶବକୁ ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଗୁରୁତର ଥିବା ୨ଜଣଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ପ୍ରକାଶ ଯୋଗ୍ୟ ଯେ ବିଜେପୁର ଥାନା ଜାରିଂ ବଜାରକୁ ପିକଅପରେ ଛେଳି କିଣିବାପାଇଁ  ସେମାନେ ବିଶାଖାପାଟଣାରୁ ଆସିଥିବା ଆହତ ବ୍ୟକ୍ତିଙ୍କ ଠାରୁ ସୂଚନା ମିଳିଛି। ହେଲେ ଏମାନଙ୍କ ପରିଚୟ ଖବର ଦେବା ପର୍ଯ୍ୟନ୍ତ ମିଳିପାରିନାହିଁ ।

ସମ୍ବନ୍ଧିତ ଖବର