ଅମ୍ବାଭୋନାରେ ଜଳ ସଂକଟ

ଅମ୍ବାଭୋନା: ହୀରାକୁଦ ଜଳଭଣ୍ଡାର ପାର୍ଶ୍ୱରେ ଥାଇ ବି ଅମ୍ବାଭୋନା ବ୍ଲକର ବହୁ ଗ୍ରାମଗୁଡିକରେ ଜଳ ସଂକଟ ଦେଖାଦେଇଛି। ଖରାର ଉତ୍ତାପ ଦିନକୁ ଦିନ ବଢୁଥିବା ବେଳେ ବାରପାହାଡ଼ ଓ ଡେବ୍ରିଗଡ଼ ଜଂଗଲ ଘେରା ତଥା ଡୁଙ୍ଗୁରୀ ଏସିସି ଚୂନପଥର ଖଣି ନିକଟବର୍ତ୍ତୀ ଗ୍ରାମଗୁଡିକରେ ଜଳସଂକଟ ଯୋଗୁଁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି।
ଅମ୍ବାଭୋନା ବ୍ଲକ ବାଂଜିପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁଶମୁଦା ଗ୍ରାମରେ ଜଳ ସଂକଟ ଯୋଗୁଁ ବହୁ ବର୍ଷର ପରିତ୍ୟକ୍ତ କୂଅକୁ ସଫା କରି ସେଠାରେ ଗ୍ରାମର ଝିଅବୋହୂମାନେ ପାଣି ସଂଗ୍ରହ କରି ଶୋଷ ମେଣ୍ଟାଉଛନ୍ତି। ଗ୍ରାମରେ ଜଳଯୋଗାଣ ପ୍ରକଳ୍ପ ନଥିବାରୁ ଗ୍ରାମର ମହିଳାମାନେ କୂଅରୁ ବାହାରୁଥିବା ପାଣିରେ ଆଇରନ୍‌ଯୁକ୍ତ ତଥା ଲୁହାଗୁଣ୍ଡକୁ କପଡ଼ାରେ ଛାଣି ପିଇବା ପାଣି ସଂଗ୍ରହ କରୁଛନ୍ତି। ଫଳରେ ଏହି ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ବାବଦରେ ବାରମ୍ବାର ସରପଂଚ, ବ୍ଲକ ଅଧିକାରୀଙ୍କୁ ପଞ୍ଚାୟତ ସମିତି ବୈଠକରେ ଗ୍ରାମବାସୀ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟକାରୀ ହୋଇପାରୁ ନାହିଁ।

ସେହିପରି ମହାନଦୀ ତଟବର୍ତ୍ତୀ କଦୋଖାଏର ଗ୍ରାମରେ ମଧ୍ୟ ପାନୀୟ ଜଳର ଅସୁବିଧା ହେତୁ ପ୍ରତ୍ୟହ ଗ୍ରାମର ମହିଳାମାନେ ଗ୍ରାମଠାରୁ ୨ କିମି ଚାଲି ଚାଲି ପାଣି ଆଣି ଶୋଷ ମେଣ୍ଟାଉଛନ୍ତି। କର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖଲିଆଡିପା ଗ୍ରାମରେ ନଳକୂପ ଅଚଳ ଓ ଜଳଯୋଗାଣ ପ୍ରକଳ୍ପ ପାଣି ପହଂଚି ପାରୁନଥିବାରୁ ବାରବଖରା ଜଳସ୍ରୋତରୁ ପାଣି ସଂଗ୍ରହ କରୁଛନ୍ତି। ସେହିପରି ଦେଚୁଅାଁ ଗ୍ରାମରେ ଖୋଲା କୂପରୁ ପାଣି ପିଇ ଲୋକେ ବିଭିନ୍ନ ପେଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ହୀରାକୁଦ ଜଳଭଣ୍ଡାର ନିକଟବର୍ତ୍ତୀରେ ଏସିସିର ଖଣି ଖାଦାନ ଥିଲେ ମଧ୍ୟ ପାଣି ପାଇଁ ବିକଳ୍ପ ବ୍ୟବସ୍ଥା ନକରି ଅଂଚଳର ଲୋକଙ୍କୁ ଶୋଷଣ କରୁଛନ୍ତି ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ବାରପାହାଡ଼ ଘେରା ତଥା ହୀରାକୁଦ ଜଳଭଣ୍ଡାର ଡୁଙ୍ଗୁରୀ, ବାଂଜିପାଲି, କୁଶମୁଦା, ବଡ଼ମାଲ, ସାଉନ୍ତାମାଳ ଆଦି ଗ୍ରାମରେ ପାନୀୟ ଜଳ ଅସୁବିଧା ହେତୁ ଲୋକେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏସିସି କର୍ତ୍ତୃପକ୍ଷ ତଥା ବ୍ଲକ ପ୍ରଶାସନ ଜଳସଂକଟ ଉପରେ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ବାଧ୍ୟ ହେବୁ ବୋଲି ସଂପୃକ୍ତ ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର