ପଦ୍ମପୁର: ଅଙ୍ଗନଦୀ ବନ୍ଧ ଜଳସେଚନ ଯୋଜନା ନିର୍ମାଣ ଦାବି ନେଇ ପୁଣି ଆନ୍ଦୋଳନ ଆଂଚଳିକ କୃଷକ ଶ୍ରମିକ ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ସଭାପତି ଗୋବର୍ଦ୍ଧନ ଭୋଏଙ୍କ ନେତୃତ୍ୱରେ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ସର୍ଗିବାହାଲ ବସ୍ଷ୍ଟାଣ୍ଡରୁ ବାହାରି ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ସ୍ମାରକପତ୍ର ପ୍ରଦାନ କରିଥିଲେ।
ଅଙ୍ଗନଦୀ ବନ୍ଧ ଯୋଜନା ନିର୍ମାଣା ଦାବିରେ ୧୯୯୫ ମସିହାରୁ ସଂଘ ଆନ୍ଦୋଳନ କରି ଆସୁଛି। ୨୦୦୦ ଓ ୨୦୦୯ରେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରାଯାଇଥିଲା। ଏହାଛଡ଼ା ସୋହେଲା ଠାରେ ଅନୁଷ୍ଠିତ ବିରାଟ କୃଷକ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗ ନଦୀବନ୍ଧ ଯୋଜନା ପାଇଁ ୧୫ ଶହ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ମାର୍ଚ୍ଚ ୨୦୧୭ରୁ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଳସେଚନ ସଚିବ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସଚିବଙ୍କ ପ୍ରତିଶ୍ରୁତି ୯ ମାସ ବିତି ଯାଇଥିଲେ ସୁଦ୍ଧା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନାହିଁ।
ଏହି ଜଳସେଚନ ଯୋଜନା ପାଇଁ ଛତିଶଗଡ଼ ସରକାର ମଧ୍ୟ ଏଥିରେ ତାଙ୍କର କୌଣସି ଆପତ୍ତି ନାହିଁ ବୋଲି ଚିଠି ଦ୍ୱାରା ଜଣାଇ ସାରିଛନ୍ତି। ଏହି ଯୋଜନାକୁ ତ୍ୱରାନ୍ଵିତ କରିବା ପାଇଁ ୨୦୦୧ରେ ଏକ ଜିଲ୍ଲାସ୍ତରୀୟ କମିଟି ଗଠନ କରାଯାଇଛି। ତେବେ ଏସବୁ ସତ୍ତ୍ୱେ ମଧ୍ୟ କୌଣସି କାର୍ଯ୍ୟ ହେଉନଥିବାରୁ ଆସନ୍ତା ଫେବ୍ରୁଆରି ୭ ତାରିଖରୁ ସବ୍ଡିଭିଜନ ପ୍ରଶାସନକୁ ଅଚଳ କରି ଦିଆଯିବ ବୋଲି କୃଷକ ସଂଘ ପକ୍ଷରୁ ଗୁରୁବାର ଦିନ ଘୋଷଣା କରାଯାଇଛି। ଦାବି ପ୍ରଦାନ ସମୟରେ ରୂପଧର ପ୍ରଧାନ, ସରୋଜ ବେହେରା, ବାମନ ଧରୁଆ, ସଂଜୟ ଜର୍ଜରିଆ, କୈଳାସ ଜୈନ, ଲକ୍ଷ୍ମଣ ସାହୁ, ଶଶିଭୂଷଣ ବରିହା, ଗୋବିନ୍ଦ ବରିହା ପ୍ରମୁଖ ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/brgh-2.jpg)