ବରଗଡ଼: ବର୍ଷେ କି ଦୁଇ ବର୍ଷ ନୁହେଁ, ୨୩ ବର୍ଷ ହେଲା ପଦ୍ମପୁରରେ ଅଙ୍ଗ ନଦୀ ଉପରେ ପ୍ରସ୍ତାବିତ ବନ୍ଧ ଝୁଲି ରହିଛି। ଖୋଦ୍ ମୁଖ୍ୟମନ୍ତ୍ରୀ ୨୦୦୦ ମସିହାରେ ଏହି ପ୍ରକଳ୍ପ ନେଇ େଘାଷଣା କରିଥିଲେ। ପରେ ଏହି ପ୍ରକଳ୍ପର ପରିବର୍ଦ୍ଧିତ ବଜେଟ୍ ୧୫ଶହ କୋଟି ପହଞ୍ଚିଲା। ଗତ ଉପନିର୍ବାଚନ ବେଳେ ଏହି ପ୍ରକଳ୍ପକୁ ନେଇ ରାଜନୀତି ବି ଚାଲିଲା। ବିଜେଡି ଏହି ପ୍ରକଳ୍ପକୁ ଅଗ୍ରାଧିକାର ଦେବ ବୋଲି ପ୍ରତିଶ୍ରୁତି ଦେଲା। ପଦ୍ମପୁରବାସୀଙ୍କ ମନରେ ନଦୀବନ୍ଧ ନେଇ ଆଶା ଜନ୍ମିଥିଲା। ନିର୍ବାଚନ ସରିବାର ୯ ମାସ ପରେ ବି ଏହି ପ୍ରକଳ୍ପର ନାଁ ଗନ୍ଧ ଆଉ ନାହିଁ। ବିକାଶର ସ୍ବପ୍ନ ଦେଖାଇ ରାଜ୍ୟ ସରକାର ଲୋକଙ୍କ ଭାବାବେଗ ସହ ଖେଳିଲେ ବୋଲି ଏବେ ଆଲୋଚନା ହେଉଛି।
୧୯୯୫ ମସିହାଠାରୁ ନଦୀ ବନ୍ଧ ପାଇଁ ଦାବି ଚାଲିଛି। ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ। ସେହିବର୍ଷ ପାଇକମାଳଠାରେ ୧୧୧୧ କୋଟି ଟଙ୍କା ଘୋଷଣା କରିଥିଲେ। ୬ମାସ ଭିତରେ ସବୁ ବିଭାଗରୁ ଅନୁମୋଦନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜଂଗଲ, ପରିବେଶ ମଂଜୁରୀ ବି ହାସଲ ହୋଇଥିଲା। ୨୦୧୫ରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ପାଇଁ ପରିବର୍ଦ୍ଧିତ ଭାବେ ୧୫ଶହ କୋଟି ଟଙ୍କା ଘୋଷଣା କରିଥିଲେ। ଏହି ଅବଧି ଭିତରେ ଛତିଶଗଡ଼ ସରକାର ମଧ୍ୟ ନଦୀବନ୍ଧ ପାଇଁ ଏନ୍ଓସି ଦେଇଥିଲେ। ଅର୍ଥାତ ସବୁ କିସମରେ ଏହି ପ୍ରକଳ୍ପ ପାଇଁ ପଥ ପରିଷ୍କାର ହୋଇଥିଲା। କିନ୍ତୁ ଏ ଯାଏ କୌଣସି କାମ ଆଗେଇ ନାହିଁ। ୧୯୮୪-୮୫ ମସିହାରେ ଅଂଗନଦୀ ଜଳସେଚନ ଯୋଜନା ପାଇଁ ୬୫ କୋଟି ଟଙ୍କାର ଅଟକଳ ରହିଥିଲା। ବର୍ତମାନ ସ୍ଥିତିରେ ଏହା ବୃଦ୍ଧି ପାଇଁ ୨୫ଶହ କୋଟି ଟଙ୍କା ଟପି ଥିବା ବିଶେଷଜ୍ଞମାନେ ଅାକଳନ କରିଛନ୍ତି। ପ୍ରକଳ୍ପର ସର୍ଭେ ଏବଂ ଅନୁସନ୍ଧାନ ପାଇଁ ୬୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହେଲାଣି। ତଥାପି ଏହି ପ୍ରକଳ୍ପ ଅନିଶ୍ଚିତତା ଘେରରେ ରହିଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ନଦୀବନ୍ଧ ନେଇ ବିଜେଡି କିଛି ଆଖିଦୃଶିଆ ପଦକ୍ଷେପ ନ ନେଲେ ଅଡ଼ୁଆ ସ୍ଥିତିରେ ଫସିବ। କାରଣ ପଦ୍ମପୁର ଉପଖଣ୍ଡ ବର୍ଷାଭାବ ଯୋଗୁଁ ବାରମ୍ବାର ମରୁଡ଼ି ଶିକାର ହେଉଛି। ଚାଷୀଙ୍କ ପାଖରେ ଫସଲ ବଞ୍ଚାଇବାକୁ କିଛି ବିକଳ୍ପ ବ୍ୟବସ୍ଥା ନାହିଁ। ତେଣୁ ଦଶନ୍ଧି ଦଶନ୍ଧି ହେଲା ନଦୀବନ୍ଧ ଦାବି ହୋଇଆସୁଛି। ଏ ନେଇ ପଦ୍ମପୁର ନାଗରିକ କମିଟି ସମ୍ପାଦକ ଅଜିତ ଶତପଥୀ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି। ନଦୀବନ୍ଧ ନିର୍ମାଣ ବିଳମ୍ବ ପାଇଁ ଶ୍ରୀ ଶତପଥୀ ସିଧାସଳଖ ସରକାରୀ ଉଦାସୀନତା ବୋଲି ଦର୍ଶାଇଛନ୍ତି। ସରକାରଙ୍କ ଇଚ୍ଛାଶକ୍ତି ଅଭାବରୁ ନଦୀବନ୍ଧ ନିର୍ମାଣ ଗଡ଼ି ଚାଲିଛି ବୋଲି ସେ ପ୍ରତିକ୍ରିୟା ରଖଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp