ବରଗଡ଼/ବରପାଲି : ଦଳ ଭିତରେ ବଡ଼ ଧରଣର ବିଦ୍ରୋହ ଦେଖା ଦେବା ପରେ ବି ବିଜେପୁରର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ଆଜି ବିଜେପି ଗେରୁଆ ଟୋପି ପିନ୍ଧାଇଛି। ବରପାଲିର ଜଗନ୍ନାଥନଗର ପଡ଼ିଆରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ଶ୍ରୀ ପାଣିଗ୍ରାହୀଙ୍କ ସମେତ ପଶ୍ଚିମାଞ୍ଚଳ ବିକାଶ ପାର୍ଟିର ମୁଖ୍ୟ ଲକ୍ଷ୍ମଣ ଭୋଇ ଏବଂ କଂଗ୍ରେସ ନେତା ଧୀରେନ୍ଦ୍ର ପତିଙ୍କ ଯୋଗଦାନ ସଂପର୍କରେ ବିଜେପି ପକ୍ଷରୁ ଘୋଷଣା କରାଯାଇଥିଲା।
ତେବେ ବିଜେପୁର ଉପନିର୍ବାଚନରେ ଦଳ କାହାକୁ ପ୍ରାର୍ଥୀ କରିବ, ସେ ନେଇ କେହି ମୁହଁ ଖୋଲିନଥିଲେ। ଅଶୋକଙ୍କ ସମ୍ଭାବ୍ୟ ପ୍ରାର୍ଥିତ୍ୱକୁ ନେଇ ଦଳ ଭିତରେ ଯେଭଳି ବିଦ୍ରୋହ ସୃଷ୍ଟି ହୋଇଛି, ଖାସ୍ ସେହି ଦୃଷ୍ଟିକୋଣରୁ ଏ ପ୍ରସଙ୍ଗରୁ ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଏବଂ ଓଡ଼ିଶା ରାଜ୍ୟ ପ୍ରଭାରୀ ଅରୁଣ ସିଂ ନିରବ ରହିଥିବା କୁହାଯାଉଛି। ବରଂ ଏହି ପ୍ରସଙ୍ଗକୁ ନେତାମାନେ ଚତୁରତାର ସହିତ ଟାଳିବାକୁ ଯାଇ କେନ୍ଦ୍ରୀୟ ନେତାଙ୍କ ଉପରକୁ ଠେଲି ଦେଇଥିଲେ। ବିଜେପୁରର ହିତ ଦୃଷ୍ଟିରୁ କେନ୍ଦ୍ରୀୟ ସଂଗଠନ ଯାହାକୁ ପ୍ରାର୍ଥୀ ଭାବେ ଚୟନ କରିବେ, ତାଙ୍କୁ ସମସ୍ତେ ମିଶି ବିଜୟୀ କରିବୁ ବୋଲି ଦଳୀୟ ନେତାମାନେ ସଂକଳ୍ପ ନେଇଥିଲେ।
ମଞ୍ଚ ଉପରେ ନେତାମାନେ ମପାଚୁପା ଭାଷଣ ରଖିଥିଲେ। ନା ଦଳୀୟ ନେତାଙ୍କ ଅସନ୍ତୋଷ ସଂପର୍କରେ ସୂଚାଇଥିଲେ ନା ଅଶୋକଙ୍କୁ ପ୍ରଶଂସାରେ ପୋତିଥିଲେ। ବରଂ ଏଭଳି ବିବାଦୀୟ ପ୍ରସଙ୍ଗ ଉପରୁ ନଜର ହଟାଇବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ମନଇଚ୍ଛା ଗର୍ଜିଥିଲେ ବିଜେପି ନେତା। ଉଲ୍ଲେଖଥାଉକି, ଏହି ସମାବେଶରେ ଜିଲ୍ଲା ସଭାପତି ନାରାୟଣ ସାହୁ ଓ ହଲପାଣି ମାଝି ପ୍ରମୁଖ ଭଳି ବହୁ ଟାଣୁଆ ନେତାଙ୍କ ଅନୁପସ୍ଥିତି ବିଜେପି ଦଳରେ ଥିବା ଆଭ୍ୟନ୍ତରୀଣ କନ୍ଦଳକୁ ପଦାକୁ ଟାଣି ଆଣିଥିଲା।
ବିଜେପିର ମିସନ-୧୨୦ର ମୂଳଦୁଆ ବିଜେପୁର ଉପନିର୍ବାଚନରୁ ପଡ଼ିବ ବୋଲି ମଂଚାସୀନ ଅତିଥିମାନେ ମତ ଦେଇଥିଲେ। ସେହିିପରି ବିଜେପୁର ଉପନିର୍ବାଚନରୁ ନବୀନ ସରକାରଙ୍କ ପତନ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଭବିଷ୍ୟବାଣୀ କରିଥିଲେ। କହିଥିଲେ, କୃଷି ବର୍ଜ୍ୟରୁ ପେଟ୍ରୋଲ ଓ ଡିଜେଲ ବାହାର କରିବା ପାଇଁ ବରଗଡ଼ରେ ହଜାରେ କୋଟି ଟଙ୍କାର ଏକ କାରଖାନା ଆରମ୍ଭ କରିବାକୁ କେନ୍ଦ୍ର ସରକାର ଯୋଜନା ରଖିଥିଲେ ମଧ୍ୟ ଜମି ଯୋଗାଇବାରେ ରାଜ୍ୟ ସରକାର ବିଳମ୍ବ କରୁଛି। କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଉଥିଲେ ମଧ୍ୟ ପାତର ଅନ୍ତର ନୀତି ଯୋଗୁଁ ଗରିବ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ପାଉ ନାହାନ୍ତି। ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର , ଉତ୍ତରପ୍ରଦେଶ ସରକାର ଚାଷୀ ଋଣ ଛାଡ଼ କରୁଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୁପ କାହିଁକି ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଥିଲେ। ସେହିଭଳି ବରପାଲିର ରେଲୱେ ଲାଇନ ଉପରେ ଓଭରବ୍ରିଜ ନିର୍ମାଣ ଓ ପଦ୍ମପୁର-ବୌଦ୍ଧ ଜଗନ୍ନାଥ ରୋଡ଼କୁ ଜାତୀୟ ରାଜପଥ ଭାବେ ଘୋଷଣା କରିବାକୁ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରିଙ୍କୁ ଭେଟି ଦାବି ଜଣାଇବେ ବୋଲି ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି।
ଓଡ଼ିଶା ପ୍ରଭାରୀ ଅରୁଣ ସିଂ ନିଜ ବକ୍ତବ୍ୟରେ ନବୀନ ସରକାରଙ୍କୁ ତାତ୍ସଲ୍ୟ କରିଥିଲେ। କହିଥିଲେ, ମୋଦି ସରକାର ଓଡ଼ିଶାକୁ ଲାଇଟ ଯୋଗାଉଛି ହେଲେ ଏଠାକାର ସରକାରଙ୍କ ଟ୍ରାନ୍ସଫର୍ମର ଅଚଳ ହୋଇଯାଇଛି। ଏଭଳି ଅପାରଗ ସରକାରକୁ ଉପାଡ଼ି ଫିଙ୍ଗି ଦେବାକୁ ସେ ଆହ୍ଵାନ ଦେଇଥିଲେ। ବିଜେପିରେ ସାମିଲ ହେବା ପରେ ଅଶୋକ ପାଣିଗ୍ରାହୀ ଉଭୟ କଂଗ୍ରେସ ଏବଂ ବିଜେଡି ଦଳକୁ କଡ଼ା ସମାଲୋଚନା କରିଥିଲେ। ଏବେ ଆଉ ବିଜୁ ପ୍ରେମୀ ନାହାନ୍ତି। ବିଜୁ ବାବୁଙ୍କ ଆଦର୍ଶରୁ ବିଜେଡି ଦୂରେଇ ଯାଇଛି ଓ ନବୀନ ଶୃଙ୍ଖଳିତ ନେତାଙ୍କ ପଛରେ ଛୁରାଘାତ କରୁଛନ୍ତି ବୋଲି ଅଭିଯୋଗ କରିଥିଲେ। ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ନୁହେଁ, ବରଂ ତାଙ୍କୁ ଅନୁକମ୍ପା ଭୋଟ୍ ମିଳିବ ବୋଲି ଶ୍ରୀ ପାଣିଗ୍ରାହୀ ଦାବି କରିଥିଲେ।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଖଣି, ପାଣି, ଚିଟଫଣ୍ଡ ଦୁର୍ନିୀତିରେ ଉବୁଟୁବୁ ନବୀନ ସରକାରର ପତନର ଘଣ୍ଟି ବିଜେପୁର ଉପନିର୍ବାଚନରୁ ହିଁ ବାଜିବ ବୋଲି କହିଥିଲେ।
ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ,ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା, ଉପସଭାପତି ଅଶ୍ୱିନୀ ଷଡ଼ଂଗୀ, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ପ୍ରଦୀପ ପୁରୋହିତ, ପୂର୍ବତନ ମନ୍ତ୍ରୀ ଜୟ ନାରାୟଣ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ମୁକ୍ତା ସାହୁ, ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଜିଲ୍ଲା ପ୍ରଭାରୀ ବଳଦେବ ବେଦବାକ, ଜିଲ୍ଲା ଉପାଧ୍ୟକ୍ଷ ମଦନ ଦୀପ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବାଷ ଚୌହାନ, ମହମ୍ମଦ ରଫିକ, ଡି. ମୂରଲୀ କ୍ରିଷ୍ଣା, ସୌରୀଚରଣ ବାରିକ, ସୁରେଶ୍ୱର ଶତପଥୀ, ମିଲନ ସେଠ୍, ଗିରଜେଶ ଖାଡ଼ଙ୍ଗା, ସ୍ୱାସ୍ଥ୍ୟ ସେଲ୍ ସଂଯୋଜକ ଡା. ରାମକୃଷ୍ଣ ପୁରୋହିତ, ଇଂ. ଦେବବ୍ରତ ମିଶ୍ରଙ୍କ ସମେତ ବହୁ ଦଳୀୟ ନେତା ଏହି ମିଶ୍ରଣ ପର୍ବରେ ମଂଚାସୀନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/BJP-party.jpg)