ରାତି ୧୦ ପରେ ବରଗଡ଼ ବନ୍ଦ

ବରଗଡ଼: ଏଣିକି ରାତି ୧୦ଟା ପରେ ବରଗଡ଼ ସହର ବନ୍ଦ ରହିବ। ଦୋକାନ ବଜାର, ମଲ୍‌ ସବୁଠି ତାଲା ଝୁଲିବ। ଗତ ଦୁଇଦିନ ହେଲା ପୁଲିସ୍‌ ପକ୍ଷରୁ ଏହି ପଦକ୍ଷେପ ଆରମ୍ଭ ହୋଇଯାଇଛି। ରାତିରେ ଗାଡ଼ି ଏବଂ ବାଇକ୍‌ରେ ପୁଲିସ୍‌ବାଲା ମୁଖ୍ୟରାସ୍ତା ଏବଂ ଗଳିକନ୍ଦି ବୁଲୁଛନ୍ତି। ଦୋକାନ ତୁରନ୍ତ ବନ୍ଦ ରଖିବାକୁ ତାଗିଦ କରୁଛନ୍ତି। ଏପରିକି ହୋଟେଲ, ଫାଷ୍ଟଫୁଡ୍‌ ଏବଂ ରେଷ୍ଟୁରାଣ୍ଟ ଗୁଡ଼ିକୁ ମଧ୍ୟ ରାତି ୧୦ଟା ପରେ ବନ୍ଦ ରଖାଯାଉଛି। ଘରୋଇ ବସ୍‌ଷ୍ଟାଣ୍ଡ ଆଖପାଖ ଅଂଚଳରେ ବିଳମ୍ବିତ ରାତି ଯାଏଁ ମଦ୍ୟପଙ୍କ ଖୁଲମଖୁଲା ଆସର ଜମୁଥିଲା। ଏବେ ସେଥିରେ ବି ପୁଲିସ୍‌ ଲଗାମ ଲଗାଇବାକୁ ଚେଷ୍ଟା କରିଛି। ବରଗଡ଼ ପୁଲିସ୍‌ର ଏଭଳି ରୂପ ଦେଖି ମଦ୍ୟପମାନେ ହଡ଼ବଡ଼େଇ ଯାଉଛନ୍ତି। କେନାଲ ପାଖରୁ ମଦୁଆଙ୍କୁ ପୁଲିସ୍‌ ଘଉଡ଼ାଉଛି। ଏପରିକି ଲାଇସେନ୍ସପ୍ରାପ୍ତ ମଦ ଦୋକାନକୁ ମଧ୍ୟ ୧୦ଟା ପୂର୍ବରୁ ବନ୍ଦ ରଖିବା ପାଇଁ ପୁଲିସ୍‌ ନିର୍ଦ୍ଦେଶ ଦେଇଛି। ପୁଲିସ୍‌ର ଏଭଳି ତ୍ୱରିତ ପଦକ୍ଷେପକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଛି। ଏଭଳି କଟକଣା ଯୋଗୁଁ ରାତିରେ ଅସାମାଜିକ କାର୍ଯ୍ୟକଳାପରେ ଅଂକୁଶ ଲାଗିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର