୪୦ ଦିନ କଣ୍ଟେନମେଣ୍ଟରେ କଟାପାଲି : ଗାଁର ନାଁ ଶୁଣିଲେ ଭାଙ୍ଗୁଛି ବାହାଘର

ବରଗଡ଼ ( ଅଞ୍ଜନ ପ୍ରଧାନ):  ବରଗଡ଼ ସହରଠାରୁ ୮ କିଲୋମିଟର ଦୂରରେ ରହିଛି କଟାପାଲି ଗାଁ। ପ୍ରଚୁର ଧାନ ଏବଂ ପରିବା ଚାଷ ପାଇଁ ଏହି ଗାଁ ପ୍ରସିଦ୍ଧ। ଜନସଂଖ୍ୟା ୫ହଜାର। ଚାଷୀଙ୍କ ବ୍ୟତୀତ ଏଠାରେ ବହୁ ଉଚ୍ଚଶିକ୍ଷିତ ମଧ୍ୟ ବସବାସ କରୁଛନ୍ତି। କିନ୍ତୁ କରୋନା ବ୍ୟାପିବା ଦିନରୁ ଏହି ଗାଁର ସୁନାମରେ ଯେମିତି ଗ୍ରହଣ ଲାଗିଯାଇଛି। ଗତମାସ ୧୬ ତାରିଖ ଏଠାରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଗାଁକୁ କଣ୍ଟେନମେଣ୍ଟ ଜୋନ୍‌‌ ଭାବେ ଘୋଷଣା କରାଯାଇଥିଲା। ଦୀର୍ଘ ୪୦ ଦିନ ହେଲା ଗାଁଟି ଅବରୋଧ ଅଂଚଳ ହିସାବରେ ରହିଛି। ଲୋକେ ଖା‌ଦ୍ୟ ଓ ଅନ୍ୟା‌ନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଉ ନ ଥିବା ନେଇ ମେଳି ବାନ୍ଧିଥିଲେ। କୌଣସି ହିସାବରେ ପ୍ରଶାସନ ଏବଂ ସ୍ବେଚ୍ଛାସେବୀ ସଂସ୍ଥା ସେହି ଆବଶ୍ୟକତା ପୂରଣ କରି ଆସୁଛନ୍ତି। ହେଲେ ଗାଁରେ ସାମାଜିକ ବ୍ୟବସ୍ଥା ବିଗିଡ଼ି ଯାଇଛି। କଣ୍ଟେନମେଣ୍ଟ ଜୋନ୍‌ରେ ଥିବାରୁ ଗାଁରେ ୧୦ରୁ ଅଧିକ ବାହାଘର ଭାଂଗି ସାରିଛି।

ଠିକ୍‌ ବିବାହ ଋତୁରେ ଏହି ଗ‌ାଁରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ବର୍ତମାନ ଯାଏ କେବଳ କଟାପାଲି ଗାଁରୁ ୧୨୦ରୁ ଅଧିକ ଆକ୍ରାନ୍ତ ବାହାରିଲେଣି। ତେଣୁ ‌ଯେଉଁମାନେ ଏହି ଗାଁରେ ବିବାହ କରିବାକୁ ପୂର୍ବରୁ ଧାର୍ଯ୍ୟ କରିଥିଲେ, ଏବେ ମୁହଁ ମୋଡ଼ି ନେଉଛନ୍ତି। ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି ଯେ ସେ ନିଜେ ଏବଂ ପରିବାରର ୩ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଥିଲେ। ଅବଶ୍ୟ ପରେ ସମ‌େସ୍ତ ସୁସ୍ଥ ହୋଇଗଲେ। ଝିଅ ବାହାଘର ପୂର୍ବରୁ ଠିକ୍‌ ହୋଇ ସାରିଥିଲା। ହେଲେ ପରିବାର ଲୋକେ କରୋନା ଆକ୍ରାନ୍ତ ହେବା ପରେ କିଛି ଦିନ କୋଭିଡ୍‌ ହସ୍ପିଟାଲରେ ଭର୍ତି ହୋଇଥିଲେ। ସୁସ୍ଥ ହୋଇ ଫେରିବା ପରେ ବିବାହ ତାରିଖକୁ ସ୍ଥିତି ସ୍ବାଭାବିକ ହେବା ଯାଏ ଘୁଞ୍ଚାଇବାକୁ ବରପକ୍ଷକୁ ନିବେଦନ କରିଥିଲେ। କିନ୍ତୁ ବରପକ୍ଷ ସଂପୂର୍ଣ୍ଣ ଭାବେ ବିବାହ ଭାଂଗି ଦେଇଥିଲେ। ଏଭଳି ଗୁଡ଼ାଏ ମାମଲା କେବଳ କଟାପାଲି ଗାଁରୁ ଶୁଣିବାକୁ ମିଳୁଛି। କରୋନା ହେଲା ବୋଲି କଣ ଆମେ ପାପ କଲୁ କି ବୋଲି ଲୋକେ କହୁଛନ୍ତି।

ସମ୍ବନ୍ଧିତ ଖବର